Indus Valley Times

ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ

 Breaking News

ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ
July 15
17:33 2023

କଟକ,୧୫/୭: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜିବୀ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତିକୁ ପାଳନ କରୁନଥିଲେ । ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଓ ଆଲୋଡ଼ନର ବିଷୟ ହୋଇଛି ।
ତେବେ ଏହି ଦୁଇ ନେତା ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଉକ୍ତ ଦୁଇ ନେତାଙ୍କୁ ନିଲମ୍ବିତ ଅବସ୍ଥାରେ ବିଜେଡି ନିଜ ସହ ସାମିଲ କରିବା ସମ୍ଭାବନା କ୍ଷୀଣ । ଏଭଳି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କଂଗ୍ରେସର ସଂଗଠନକୁ ଓଡ଼ିଶାରେ ଅଧିକ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବ ବୋଲି ଚର୍ଚ୍ଚା ।
ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ସଦସ୍ୟ ସଚିବ ତାରିକ୍ ଅନୱାର କହିଛନ୍ତି ଯେ, ଚିରଞ୍ଜିବୀ ଓ ମୋକିମ୍ ଦଳବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କରିଥିଲେ । ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଓ ଉଭୟ ନେତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।
ଉଭୟ ନେତାଙ୍କଠୁ ଯେଉଁ ଉତ୍ତର ମିଳିଥିଲା ତାହା ସନ୍ତୋଷଜନକ ନଥିଲା । ତେଣୁ ଉଭୟ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିବା କାରଣରୁ ତତ୍କାଳ ପ୍ରଭାବରୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା ବୋଲି ଅନୱାର ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଧାୟକ ମୋକିମ୍ ସେତେବେଳେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଏହାସହିତ ସେ ପିସିସି ସଭାପତି ଆଶାୟୀ ଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନଥିଲା ଓ ସଂଗଠନର ପରିଚାଳନାକୁ ନେଇ ସେ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ ।
ସେହିପରି ଚିରଞ୍ଜିବୀ ୨୦୧୯ ବିଧାନସଭା ନିର୍ବାଚନରେ ଜଗତସିଂହପୁରରୁ ପରାଜିତ ହେବା ପରଠୁ ସେ ସାଂଗଠନିକ କାର‌୍ୟ୍ୟକ୍ରମରୁ ଦୂରେଇ ରହିଥିଲେ ।
ଏପରିକି ପିସିସି କାର୍ଯ୍ୟକାରୀ ସଭାପତି ଥାଇ ମଧ୍ୟ ସେ କଂଗ୍ରେସ ଭବନ କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ । ଗତ କିଛିମାସ ତଳେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନର ମାତ୍ର ୩ଦିନ ପୂର୍ବରୁ ମୋକିମଙ୍କ ଦ୍ୱାରା ଭୁବନେଶ୍ୱରରେ ‘ଜାନକୀ-ବସନ୍ତ ଯୋଡ଼ି, ଓଡ଼ିଶାରେ ସୁବର୍ଣ୍ଣ ଯୁଗ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଚିରଞ୍ଜିବୀ ବର୍ତ୍ତମାନର କଂଗ୍ରେସର ସାଂଗଠନିକ ସ୍ଥିତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ମୋକିମ୍ ଓ ଚିରଞ୍ଜିବୀ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଛି ।
ମାତ୍ର ଦୁଇ ନେତାଙ୍କୁ ତାଙ୍କ ଦଳ ନିଲମ୍ବନ କରିବା ପରେ ବିଜେଡି ସେମାନଙ୍କୁ ନିଜ ଦଳରେ ସାମିଲ କରିବ କି ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି ।
କାରଣ ମୋକିମ୍ କଟକ ସହରରରୁ ଓ ଚିରଞ୍ଜିବୀ ଜଗତସିଂହପୁରରୁ ପ୍ରତିନିଧିତ୍ୱ କରୁଥିଲାବେଳେ ଉଭୟ ଜିଲ୍ଲା ବିଜେଡିର ଗଡ଼ ଭାବେ ପରିଚିତ । ତେଣୁ ଏହି ଦୁଇ ନିଲମ୍ବିତ ନେତା ଆଗାମୀ ଦିନରେ ବିଜେଡି ପାଇଁ ସହାୟକ ହେବା ବଦଳରେ ବୋଝ ହେବାର ସମ୍ଭାବନା ବେଶୀ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ବିଧାନସଭାରେ ଏବେ ମୋକିମଙ୍କୁ ମିଶାଇ ୯ଜଣ ବିଧାୟକ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031