Indus Valley Times

ଦେବାଳିଆ ସ୍ଥିତିରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଟଙ୍କା ହରିଲୁଟ୍ ପାଇଁ କରାଯାଇଥିଲା କି ତିନି ପ୍ୟାନ କାର୍ଡ? ୨୦୦୬ରୁ ବ୍ୟାଙ୍କ୍ ଆର୍ଥିକ କାରବାର ତଦନ୍ତ ପାଇଁ ଦାବି

 Breaking News

ଦେବାଳିଆ ସ୍ଥିତିରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଟଙ୍କା ହରିଲୁଟ୍ ପାଇଁ କରାଯାଇଥିଲା କି ତିନି ପ୍ୟାନ କାର୍ଡ? ୨୦୦୬ରୁ ବ୍ୟାଙ୍କ୍ ଆର୍ଥିକ କାରବାର ତଦନ୍ତ ପାଇଁ ଦାବି

January 11
19:29 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୧/୧ : ଦେବାଳିଆ ସ୍ଥିତିରେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ୍। ବର୍ତ୍ତମାନ ବ୍ୟାଙ୍କ୍ ଚାଷୀଙ୍କ ଋଣ ଆଦାୟ କରିବା ତ ଦୂରରେ ଥାଉ ଜରିମାନା ଜମା କରିବା ସ୍ଥିତିରେ ବି ନାହିଁ। ବ୍ୟାଙ୍କ୍ ପରିଚାଳନା ପରିଷଦ ଓ ସମ୍ପାଦକଙ୍କ ମଧ୍ୟରେ ଚାଲିଥିବା କଳିରୁ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିଛି।
ବର୍ତ୍ତମାନର ପରିଚାଳନା ପରିଷଦ ୨୦୦୬ରୁ ବ୍ୟାଙ୍କର ସମସ୍ତ ଆର୍ଥିକ କାରବାରର ତଦନ୍ତ କରିବା ପାଇଁ ଦାବି କରି ବିଭାଗୀୟ ମନ୍ତ୍ରୀ, ବ୍ୟାଙ୍କ୍ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରେ ଦାବି କରିଛନ୍ତି। ବିଶେଷ କରି ସମ୍ପାଦକମାନେ କାହିଁକି ବ୍ୟାଙ୍କର ତିନି ତିନିଟା ପ୍ୟାନକାର୍ଡ କାହିଁକି କରାଯାଇଥିଲା ଏହାକୁ ନେଇ ‌ଏବେ ପରିଚାଳନା ପରିଷଦ ପ୍ରଶ୍ନ ଉଠାଇଛନ୍ତି।
ବ୍ୟକ୍ତି ହୁଅନ୍ତୁ ବା ଅନୁଷ୍ଠାନ ସମସ୍ତଙ୍କ ପାଇଁ ଗୋଟିଏ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ। ମାତ୍ର ଏହି ସମବାୟ ବ୍ୟାଙ୍କର ତିନିଟା ପ୍ୟାନ୍ କାର୍ଡ ଥିଲା। ଯେତେବେଳେ ଏହି ବ୍ୟାଙ୍କର ସମ୍ପାଦକ ଭାବେ ଯିଏ ଦାୟିତ୍ବ ନେଲେ ସେମାନେ ନିଜ ମନମୁତାବକ ଗୋଟିଏ ଲେଖାଏ ପ୍ୟାନ୍ କାର୍ଡ ଖୋଲି ଚାଲିଲେ। ଫଳରେ ଠିକ୍ ଭାବେ ବ୍ୟାଙ୍କର ଆୟକର ଟିକସ ପଇଠ ହୋଇପାରିଲା ନାହିଁ।
ତିନି ପ୍ୟାନ୍ କାର୍ଡରେ ଟିକସ ପଇଠ ବାବଦକୁ ଜାଲିଆତି ହୋଇଥିବା ଅଭିଯୋଗ କରି ଗତବର୍ଷ ଆୟକର ବିଭାଗ ପକ୍ଷରୁ ବ୍ୟାଙ୍କକୁ ୩୬୨ କୋଟି ଟଙ୍କା ଜରିମାନା କରିବା ସହ ବ୍ୟାଙ୍କର ସମସ୍ତ ୧୨ଟି ଆକାଉଣ୍ଟକୁ ଅଚଳ କରି ଦେଇଥିଲା। ପରେ ପରିଚାଳନା ପରିଷଦ ଭୁବନେଶ୍ବରର ଏକ ଚାଟାର୍ଡ ଫାର୍ମ ଜରିଆରେ ଆୟକର ବିଭାଗ ସହ ଆଲୋଚନା କରି ଏହାର ସମାଧାନର ରାସ୍ତା ବାହାର କରିଥିଲା। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଦୁଇଟି ପ୍ୟାନ୍ କାର୍ଡକୁ ଅଚଳ କରି ‌ଗୋଟିଏ ଦାଖଲ କରିବା ସହ ଗତ ଆର୍ଥିକ ବର୍ଷର ଆୟକର ଟିକସ ବାବଦକୁ ୬ କୋଟି ୨୮ ଲକ୍ଷ ୫୫ ହଜାର ୮୭୪ ଟଙ୍କା ଜମା କରିଥିଲେ। ଏହାପରେ ଆୟକର ବିଭାଗ ପକ୍ଷରୁ ଅଚଳ କରାଯାଇଥିବା
ଏହି ବ୍ୟାଙ୍କର ସମସ୍ତ ଆକାଉଣ୍ଟକୁ ପୁଣି ଥରେ ସଚଳ କରି ଦିଆଯାଇଥିଲା। ମାତ୍ର ସେତ‌େବେଳେ ବ୍ୟାଙ୍କକୁ କରାଯାଇଥିବା ଜରିମାନା ଉପରେ କିଛି ବି ପଦକ୍ଷେପ ନିଆଗଲା ନାହିଁ। କିନ୍ତୁ କେଉଁ କାରଣ ପାଇଁ ସମ୍ପାଦକମାନେ ତିନି ପ୍ୟାନକାର୍ଡ କରିଥିଲେ, ତାହା ବୁଝାପଡ଼ୁ ନାହିଁ। ଆୟ କର ଫାଙ୍କିବା ପାଇଁ ହେଉ ଅବା ଅନ୍ୟାନ୍ୟ ବାବଦରେ ଟଙ୍କା ହଡ଼ପ କରିବା ପାଇଁ ସେତେବେଳେ ବ୍ୟାଙ୍କର ସମ୍ପାଦକମାନେ ଏହିପରି କାରନାମା କରିଥିବା ଅଭିଯୋଗ ହୋଇଛି। ଯେଉଁମାନଙ୍କ ପାଇଁ ବ୍ୟାଙ୍କକୁ ଏତେ ବଡ଼ ସମସ୍ୟା ଭୋଗିବାକୁ ପଡ଼ୁଛି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।
ଏ ନେଇ ସମବାୟ ବ୍ୟାଙ୍କର ନି‌ର୍ଦ୍ଦେଶକ ସନ୍ନ୍ୟାସୀ ପ୍ରଧାନ କୁହନ୍ତି ଯେ, ବର୍ତ୍ତମାନ ବ୍ୟାଙ୍କର ସ୍ଥିତି ଆଦୌ ଭଲ ନାହିଁ। କିଛି ଅସାଧୁ ବ୍ୟାଙ୍କ୍ ଅଧିକାରୀ ଓ ତତକାଳୀନ ପରିଚାଳନା ପରିଷଦ ପାଇଁ ବ୍ୟାଙ୍କ୍ ଆଜି ଦେବାଳିଆ ହେବାକୁ ବସିଛି। ଜାଲ୍ ପ୍ୟାନ୍ କାର୍ଡ ଜରିଆରେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରାଯାଇଛି।
ଏଣୁ ଏହାର ତଦନ୍ତ କରାଯାଇ ସେଥିରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ ପରିଚାଳନା ପରିଷଦର ସଦସ୍ୟମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇ ଚିଠି ଲେଖାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930