Indus Valley Times

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର

 Breaking News

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର
April 20
09:41 2023

ଭୁବନେଶ୍ବର,୨୦/୪ : ଭଲ ଭାବେ ନ ଚିହ୍ନି ନ ଜାଣି ଜଣେ ଧୂର୍ତ୍ତକୁ ଟଙ୍କା ଧାର ଦେବା ଜଣେ ସରଳ ବିବାହିତା ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସ୍ବାମୀଙ୍କ ଅଗୋଚରରେ ୫୦ ହଜାର ଟଙ୍କା ଧାର ଦେଇ ଫସିଯାଇଛନ୍ତି ମହିଳା।
ଟଙ୍କା ସୁଝିବା ଆଳରେ ଧୂର୍ତ୍ତ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ଡାକ୍ତରୀ ମାଇନା କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଧୂର୍ତ୍ତ ମୃତ୍ୟୁଞ୍ଜୟର ପତ୍ତା ମିଳିନଥିବା ଜଣାପଡ଼ିଛି।
ସୂଚନାନୁସାରେ ଗାଡ଼କଣ ଅଞ୍ଚଳରେ ମହିଳାଙ୍କର ଏକ ତଜରାତି ଓ ପରିବା ଦୋକାନ ରହିଛି। ବେଳେବେଳେ ଦୋକାନରେ ମହିଳାଙ୍କ ସ୍ବାମୀ ବସୁଥିବା ବେଳେ ଅଧିକାଂଶ ସମୟରେ ମହିଳା ଦୋକାନରେ ବସିଥା’ନ୍ତି। ଅଭିଯୁକ୍ତ ମୃତ୍ୟୁଞ୍ଜୟ ମହିଳାଙ୍କ ଦୋକାନର ଜଣେ ନିୟମିତ ଗ୍ରାହକ ଥିଲା।
ତେଣୁ ମହିଳାଙ୍କ ସହ ମୃତ୍ୟୁଞ୍ଜୟର ଭଲ ସମ୍ପର୍କ ଥିଲା। ମୃତ୍ୟୁଞ୍ଜୟ ବାକିରେ ସଉଦା ନେଉଥିଲେ ଏବଂ ଠିକ ସମୟରେ ପଇସା ଦେଇଦେଉଥିଲେ। ଗତ ଜାନୁଆରି ମାସରେ ବାପାଙ୍କ ଦେହ ଅସୁସ୍ଥ ଥିବା କହି ମୃତ୍ୟୁଞ୍ଜୟ ମହିଳାଙ୍କୁ ୫୦ ହଜାର ଟଙ୍କା ଧାର ମାଗିଥିଲେ।
ମାତ୍ର ମାସକ ଭିତରେ ଟଙ୍କା ଫେରାଇ ଦେବ ବୋଲି କହିଥିଲା। ତା’କଥାକୁ ବିଶ୍ବାସ କରି ମହିଳା ନିଜ ସ୍ବାମୀଙ୍କୁ ନ କହି ମୃତ୍ୟୁଞ୍ଜୟକୁ ୫୦ ହଜାର ଟଙ୍କା ଦେଇଦେଲେ। କିନ୍ତୁ ମାସକ ପରେ ମୃତ୍ୟୁଞ୍ଜୟ ଆଉ ଟଙ୍କା ଫେରାଇବା ନାଁ ଧରିନଥିଲା। ବିଭିନ୍ନ ବାହାନା କରି ଦିନ ଗଡ଼ାଇ ଚାଲିଥିଲା।
ଏହା ଭିତରେ ମହିଳାଙ୍କ ସ୍ବାମୀ ମାର୍ଚ୍ଚ ମାସ ହେତୁ ମହାଜନ ଟଙ୍କା ସୁଝିବାକୁ ବାହାରିଥିଲେ। ତେଣୁ ମହିଳାଙ୍କୁ ଟଙ୍କା ମାଗିଥିଲେ। ଅଡ଼ୁଆରେ ପଡ଼ି ମହିଳା ମୃତ୍ୟୁଞ୍ଜୟକୁ ସବୁକଥା ଜଣାଇଲେ ଏବଂ ଟଙ୍କା ନଦେଲେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବିବାଦ ହେବ ବୋଲି କହି ବୁଝାଇଥିଲେ। ଏହାକୁ ମଉକା ଭାବେ ନେଲା ଧୂର୍ତ୍ତ ମୃତ୍ୟୁଞ୍ଜୟ।
ଦିନେ ସେ ମହିଳାଙ୍କୁ ଟଙ୍କା ଫେରାଇବାକୁ କହି ଘରକୁ ଗଲା। ସେତେବେଳେ ମହିଳାଙ୍କ ସ୍ବାମୀ ଦୋକାନରେ ଥିଲେ। ମୃତ୍ୟୁଞ୍ଜୟ ଟଙ୍କା ଦେବ କ’ଣ ଜୋର୍ କରି ମହିଳାଙ୍କୁ ଦୁଷ୍କର୍ମ କଲା। କଥା ପ୍ରଘଟ କଲେ, ଟଙ୍କା ତ ଫେରାଇବ ନାହିଁ ଓ ତାଙ୍କୁ ବଦନାମ କରିବ ବୋଲି ପାଲଟା ଧମକ ଦେଲା।
ମହିଳାଜଣଙ୍କ ଦୋ’ଛକିରେ ପଡ଼ିଗଲେ। କୌଣସିମତେ ମୃତ୍ୟୁଞ୍ଜୟଠାରୁ ଟଙ୍କା ଫେରି ପାଇ ସ୍ବାମୀଙ୍କ ନଜରରୁ ବଞ୍ଚିଯିବା ପାଇଁ ନିରବ ରହିବାକୁ ଉଚିତ ମଣିଲେ। କିନ୍ତୁ ମହିଳାଙ୍କ ନିରବ ରହିବା ଧୂର୍ତ୍ତ ମୃତ୍ୟୁଞ୍ଜୟ ପାଇଁ ଅଧିକ ମଉକା ସୃଷ୍ଟି କଲା। ଟଙ୍କା ଫେରାଇବାକୁ କହି ସେ ପୁଣି ମହିଳାଙ୍କ ଘରକୁ ଆସି ତାଙ୍କୁ ଦୁଷ୍କର୍ମ କଲା। ଏମିତି ଦୁଇ/ତିନି ଥର ଘଟିବା ପରେ ମହିଳା ଆଉ ସହିପାରିନଥିଲେ। ଧୂର୍ତ୍ତ ମୃତ୍ୟୁଞ୍ଜୟ ବିଷୟରେ ସେ ସ୍ବାମୀଙ୍କୁ ସବୁ କଥା ଜଣାଇଥିଲେ। ଏହାପରେ ସ୍ବାମୀଙ୍କ ପରାମର୍ଶକ୍ରମେ ସେମାନେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031