Indus Valley Times

ପଦ୍ମପୁର ଉପନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ଜୋରଦାର ପ୍ରଚାର, ଶାଣିତ ସ୍ୱରରେ ବିଜେଡିକୁ କଲେ ଟାର୍ଗେଟ୍

 Breaking News

ପଦ୍ମପୁର ଉପନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ଜୋରଦାର ପ୍ରଚାର, ଶାଣିତ ସ୍ୱରରେ ବିଜେଡିକୁ କଲେ ଟାର୍ଗେଟ୍

ପଦ୍ମପୁର ଉପନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ଜୋରଦାର ପ୍ରଚାର, ଶାଣିତ ସ୍ୱରରେ ବିଜେଡିକୁ କଲେ ଟାର୍ଗେଟ୍
November 29
18:44 2022

ପଦ୍ମପୁର,୨୯/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଆଜି ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷୀଙ୍କ ପ୍ରସଙ୍ଗ ଉଠାଇ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ଏହା ସହିତ ନାଁ ନନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।
ସୋହେଲାରେ ଆୟୋଜିତ ସଭାରେ ଧର୍ମେନ୍ଦ୍ର କହିଛନ୍ତି, ପଦ୍ମପୁରରେ ଜଣେ କୁହାଳିଆ ନେତା କାଖରେ ବଡ଼ ଗଣ୍ଠିଲି ଧରି ବୁଲୁଛନ୍ତି। ସିଏ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ। ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ଶୂନ। ହେଲେ ସେ ଏବେ ଟଙ୍କା ମୁଣି ଧରି ପାଇକମାଳରେ ଡେରା ପକାଇଛନ୍ତି। ତାଙ୍କୁ ଆମେ ଶୁଭେଚ୍ଛା ଦେଉଛୁ। କାରଣ ସେ ଜାନକୀ ବାବୁଙ୍କୁ ବୁଡ଼ାଇବାରେ ଥିଲେ ୧ ନମ୍ୱର ନେତା, ଏବେ ନବୀନ ବାବୁଙ୍କୁ ବୁଡ଼ାଇବାର ସମୟ ଆସିଗଲା। ନବୀନ ବାବୁ ସେପରି ନେତାଙ୍କୁ ପାଖରେ ବସାଇଛନ୍ତି। ଘରକୁ ଘର ପାଣି ପହଞ୍ଚାଇବା ପାଇଁ ମୋଦି ସରକାର ଟଙ୍କା ଦେଇଛନ୍ତି। ହେଲେ ଆଜି ପର‌୍ୟ୍ୟନ୍ତ ପାଣି ପହଞ୍ଚାଇ ପାରିଲେ ନାହିଁ। ନବୀନ ବାବୁ ଆପଣଙ୍କ ପାରିବା ପଣିଆ କୁଆଡ଼େ ଗଲା? ୨୨ ବର୍ଷ ଧରି କ’ଣ ବିକାଶ କରୁଛ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଆଜି ପ୍ରଚାର କରିବାକୁ ଆସି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀମାନଙ୍କୁ ଦେଉଛନ୍ତି ଟଙ୍କା। ହେଲେ ନବୀନବାବୁ ସରକାର ପୁଞ୍ଜିପତି ମିଲ୍ରମାନଙ୍କ ସାଙ୍ଗରେ ମିଶି ଚାଷୀମାନଙ୍କ ଟଙ୍କାକୁ ହଡପ୍ କରୁଛନ୍ତି। ଏହାର ପ୍ରତିବାଦ କରିଥିଲେ କୁନାବାବୁ (ପ୍ରଦୀପ ପୁରୋହିତ)। ଆମେ ଚାହୁଁଛୁ ଧାନ କିଣା ସମସ୍ୟାର ସ୍ଥାୟୀ ସମାଧାନ ହେଉ। ହେଲେ ତା’ର ସମାଧାନ କରିବା ପରିବର୍ତ୍ତେ ମଝିରେ ମଝିରେ ସେମାନେ ବିଧାନସଭାରେ ଏତିକି ଟଙ୍କା ଦିଅ, ସେତିକି ଟଙ୍କା ଦିଅ କଥା ଉଠାଉଛନ୍ତି। ମୁଁ ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛି, ଆପଣ ବହୁବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ହେଲେ ଥରେ କେବେ ଧାନ କିଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ମୁଁ ଜାଣିନି। ଏପରିକି ଖବର କାଗଜରେ ମଧ୍ୟ ପଢ଼ିନି। ନା ଗଣମାଧ୍ୟମରେ ସେ କେବେ ବକ୍ତବ୍ୟ ଦେଇଛନ୍ତି। କେବଳ ଲୋକ ଦେଖାଣିଆ ଭାବେ ଏଇଠି ଭୁରୁଡି ମାରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେ ଆହୁରି କହିଛନ୍ତି, ୨୦୧୫ ମସିହାରେ ବରଗଡ଼ ଜିଲ୍ଲା ସୋହେଲା ସଭାରେ ମୁଖ୍ୟମନ୍ତ୍ରୀ ମହାଶୟ କହିଥିଲେ, କେନ୍ଦ୍ର ଯାହା ଟଙ୍କା ଦେବେ, ମୁଁ ଆଉ ୧୦୦ ଟଙ୍କା ମିଶାଇ ଦେବେ। ହେଲେ ସେ ଆଜି ପର‌୍ୟ୍ୟନ୍ତ ଦେଲେ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣ ବଡ଼ ଲୋକ। ସୁନା ଚାମଚ ମୁହଁରେ ଥାଇ ଆପଣଙ୍କ ଜନ୍ମ। ଧାନ କିଣିବା ପାଇଁ ଆପଣଙ୍କ ପକେଟ୍ରୁ ଟଙ୍କାଟିଏ ଖର୍ଚ୍ଚ ହେଉନି। ହେଲେ ଆପଣ ଧାନ କିଣାର ପଇସା ବାଟ ମାରଣା କରୁଛନ୍ତି। ମିଲର ମାଲିକଙ୍କ ସହିତ ମଧୁଚନ୍ଦ୍ରିକା କରି ଚାଷୀଙ୍କ ଟଙ୍କା ହଡ୍ପ କରୁଛନ୍ତି। ଆଉ ବେଶୀ ଦିନ ସେ ସମ୍ପର୍କ ରହିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ମଣ୍ଡି ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଧାନ ମଣ୍ଡି ଖୋଲିବା ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି। ହେଲେ ମଣ୍ଡିରେ ଚାଷୀଙ୍କ ବସିବା ପାଇଁ ଚୌକିଟିଏ ନାହିଁ। ଖରା ତରାରେ ଆସୁଥିବା ଚାଷୀ ପାଇଁ ଫ୍ୟାନ୍ ନାହିଁ। ସରକାରୀ କ୍ୟାଣ୍ଟିନ୍, ଶୌଚାଳୟ ନାହିଁ। ଯିଏ ଚାଷୀଙ୍କ ପାଇଁ ଚୌକିଟିଏର ବ୍ୟବସ୍ଥା କରିନାହିଁ, ସେ ଆସିଛି ଚୌକି ସ୍ଥାୟୀ କରିବା ପାଇଁ । ତା’ର ଜବାବ ମାଆ ଓ ଭଉଣୀମାନେ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାର ମୋଟ୍ ଋଣ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ହେବ। ଆଜିର ଦିନରେ ଓଡ଼ିଶା ଲୋକଙ୍କ ମୁଣ୍ଡପିଛା ଋଣ ଭାର ୨୫ ହଜାର ଟଙ୍କା। ସାରା ଭାରତକୁ ଚଳାଇବାର କ୍ଷମତା ରଖୁଥିବା ଓଡ଼ିଶାର ଏ ଅବସ୍ଥା କାହିଁକି? ୨୨ ବର୍ଷ ଧରି ଲୋକଙ୍କୁ ଠକୁଥିବା ସରକାରକୁ ଜବାବ ଦେବା ସମୟ ଆସିଛି ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031