Indus Valley Times

ପଦ୍ମପୁର ଦୁର୍ଗ ବଜାୟ ରଖିଲା ବିଜେଡି, ୪୨,୬୩୮ ଭୋଟରେ ଜିତିଲେ ବର୍ଷା

 Breaking News

ପଦ୍ମପୁର ଦୁର୍ଗ ବଜାୟ ରଖିଲା ବିଜେଡି, ୪୨,୬୩୮ ଭୋଟରେ ଜିତିଲେ ବର୍ଷା

December 08
18:46 2022

ଭୁବନେଶ୍ୱର,୮/୧୨: ଆସିଛି ପଦ୍ମପୁର ଉପ-ନିର୍ବାଚନ ଫଳାଫଳ। ବାଜି ମାରି ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ୪୨ ହଜାର ୬୭୯ ଖଣ୍ଡ ଭୋଟ୍ରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ସିଂହ ବରିହା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେପିର ପ୍ରଦୀପ ପୁରୋହିତ ୭୮ ହଜାର ୧୨୮ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୯୪ ଖଣ୍ଡ ଭୋଟ୍ ମିଳିଛି।
ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ମୋଟ ୨୩ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ବିଜେପି ଆଗୁଆ ରହିଥିଲା। ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ।
ପ୍ରଥମ ରାଉଣ୍ଡର ଏହି ସ୍ଥିତି ପରବର୍ତ୍ତୀ ରାଉଣ୍ଡ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଥିଲା। ୫ମ ରାଉଣ୍ଡ ଗଣତି ଶେଷ ବେଳକୁ ପ୍ରଦୀପ ପୁରୋହିତଙ୍କ ଠାରୁ ବର୍ଷା ୮ ହଜାରରୁ ଅଧିକ ଭୋଟ୍ରେ ଆଗରେ ରହିଥିଲେ। ଏଣୁ ବିଜେପି ଆଉ ଜିତିବାର ଆଶା ନାହିଁ ବୋଲି ଆକଳନ କରାଯାଇଥିଲା, ଯାହା ସତ ହୋଇଥିଲା।
ଅନ୍ୟପକ୍ଷରେ ସେତେବେଳକୁ ବିଜେଡିର ସେଲିବ୍ରେସନ ବି ଆରମ୍ଭ ହୋଇଯାଇଥିଲା। କ୍ରମଶଃ ଭୋଟ୍ ବ୍ୟବଧାନ ବଢ଼ି ଚାଲିଥିଲା। ୧୦ମ ରାଉଣ୍ଡ ଶେଷ ବେଳକୁ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୯, ୪୨୫ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ଏହା ପରେ ଆହୁରି ୧୩ ରାଉଣ୍ଡ ଗଣତି ଥିବାରୁ ବିଜେପି ପ୍ରାର୍ଥୀ ୪୦ ହଜାରରୁ ଅଧିକ ଭୋଟ୍ରେ ହାରିବେ ବୋଲି ରାଜନୀତିକ ସମୀକ୍ଷକମାନେ ଆକଳନ କରିଥିଲେ। ଆଉ ତାହା ଘଟିଲା ମଧ୍ୟ।
୨୦୧୯ ବିଧାନସଭା ନିର୍ବାଚନକୁ ଦେଖିଲେ ବିଜେପିର ଭୋଟ୍ ଖସି ନାହିଁ। ଦଳ ତା’ର ଭୋଟ୍ ପାଇଛି। ୨୦୧୯ରେ ପ୍ରଦୀପ ପୁରୋହିତ ୭୭,୫୬୫ ଖଣ୍ଡ ପାଇଥିଲେ। ଏଥର ସେ ୭୮,୧୨୮ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ ସେ ଏଥର ୫୬୩ ଖଣ୍ଡ ଅଧିକ ଭୋଟ୍ ପାଇଛନ୍ତି। କିନ୍ତୁ ତାହା ତାଙ୍କୁ ବିଜୟୀ କରାଇପାରି ନାହିଁ। ଅନ୍ୟପକ୍ଷରେ ବିଜେଡିର ଭୋଟ୍ ସଂଖ୍ୟା ବହୁତ ବଢ଼ିଛି।
୨୦୧୯ରେ ବର୍ଷା ସିଂ ବରିହାଙ୍କ ବାପା ସ୍ୱର୍ଗତ ବିଜୟ ସିଂ ବରିହା ୮୩,୨୯୯ ଖଣ୍ଡ ଭୋଟ୍ ପାଇଥିଲେ। ଏହି ଉପ-ନିର୍ବାଚନରେ ବର୍ଷା ୧ ଲକ୍ଷ ୨୦ ହଜାର ୮୦୭ ଖଣ୍ଡ ପାଇଛନ୍ତି। ଅର୍ଥାତ୍ ବିଜେଡି ଖାତାରେ ଆହୁରି ୩୭,୫୦୮ ଖଣ୍ଡ ଅଧିକ ଭୋଟ୍ ପଡ଼ିଛି। କଂଗ୍ରେସର ଭୋଟ୍ ବିଜେଡି ଖାତାରେ ପଡ଼ିଥିବା କୁହାଯାଉଛି।
କାରଣ ଉଭୟ ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ। ୨୦୧୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସତ୍ୟଭୂଷଣ ସାହୁ ୩୨,୭୮୭ ଖଣ୍ଡ ଭୋଟ୍ ପାଇଥିଲେ। ଏହି ଉପ-ନିର୍ବାଚନରେ ସେ ପୁଣି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଭୋଟ୍ର ତାଙ୍କ ଉପରେ ଭରସା କରି ନାହାନ୍ତି। ତାଙ୍କୁ ମାତ୍ର ୩୫୯୪ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ୍ କଂଗ୍ରେସର ୨୯,୧୯୩ ଖଣ୍ଡ ଭୋଟ୍ କମିଛି।
ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ନୋଟାରେ ପଡ଼ିଛି ଅଧିକ ଭୋଟ୍
ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବଙ୍କୁ ୩୪୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମୁକ୍ତେଶ୍ୱର ଦାଶଙ୍କୁ ୨୬୬, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୩୯୯, ଗଙ୍ଗାଧର ସାହାଙ୍କୁ ୩୯୭, ଦେବାର୍ଚ୍ଚନ ନାଏକଙ୍କୁ ୫୪୧, ବୃନ୍ଦାବନ ପୁରୋହିତଙ୍କୁ ୫୭୪ ଓ ଶେଷଦେବ ସାହୁଙ୍କୁ ୧୧୬୮ ଖଣ୍ଡ ଭୋଟ୍ ମିଳିଛି। ଅନ୍ୟପକ୍ଷରେ ନୋଟାରେ ୨୦୮୭ ଖଣ୍ଡ ଭୋଟ୍ ପଡ଼ିଛି। ଅର୍ଥାତ୍ ଏହି ଉପ-ନିର୍ବାଚନର ୧୦ ପ୍ରାର୍ଥୀଙ୍କ ମଧ୍ୟରୁ କାହାରିକୁ ୨୦୮୭ ଜଣ ଭୋଟର ପସନ୍ଦ କରି ନାହାନ୍ତି।
ପଦ୍ମପୁର ଫଳାଫଳ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏହାକୁ ସ୍ୱୀକାର କରିବା ସହିତ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ। ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବୁ। ଜନକଲ୍ୟାଣ ଓ ଲୋକସଂପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥା ଜିତିବାକୁ ଚେଷ୍ଟା କରିବୁ।
ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ପଡ଼ିଥିଲା। ଗତ ୫ ତାରିଖରେ ଏହି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ଏଥର ଏଠାରେ ରେକର୍ଡ ୮୨. ୨୯% ଭୋଟିଂ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031