Indus Valley Times

ପରକିୟା ପ୍ରୀତିରୁ ଗଡ଼ିଲା ୫ ମୁଣ୍ଡ; ମହିଳା ଓ ୨ ଶିଶୁଙ୍କୁ ନେଇ ଅଭିଯୁକ୍ତ ଫେରାର

 Breaking News

ପରକିୟା ପ୍ରୀତିରୁ ଗଡ଼ିଲା ୫ ମୁଣ୍ଡ; ମହିଳା ଓ ୨ ଶିଶୁଙ୍କୁ ନେଇ ଅଭିଯୁକ୍ତ ଫେରାର

October 30
11:45 2024

ସୁନ୍ଦରଗଡ଼,୩୦/୧୦: ଗୋଷ୍ଠୀ ସଂଘର୍ଷ କାରଣରୁ ୩ ଜଣ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟରେ ମଙ୍ଗଳବାର-ବୁଧବାର ରାତିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକମାନେ ହେଲେ ଛମା ଭୋସଲେ (୨୫), ଭାଇ ସୁବାସ ପାୱାର (୨୩), ଚରଣ କୁମାର (୪୫), ତାଙ୍କ ପତ୍ନୀ କାଇଲା କୁମାର (୩୫) ଓ ଦାଦି କୁଣ୍ଡି ପାୱାର। ଆହତମାନେ ହେଲେ ଅବିନାଶ ପାୱାର (୩୦), ପୀୟୁଷ କୁମାର (୧୩), ମଞ୍ଜୁ ପାୱାର (୧୦), ଅନିଶା କୁମାରୀ (୧୨)। ଏମାନେ ସମସ୍ତେ ଦୁଇଟି ପରିବାରର ଲୋ‌କ ଥିଲେ।
ସୂଚନା ଅନୁସାରେ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ‌ହୋଇଛି। ମୃତ ୫ ଜଣଙ୍କ ମଧ୍ୟରୁ ତିନି ମହିଳା ଅଛନ୍ତି। ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ହୋଇଥିବା ଚର୍ଚ୍ଚା ହେଉଛି। ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଦୁଇ ଶିଶୁଙ୍କୁ ନେଇ ଫେରାର ଅଛନ୍ତି। ଅପହରଣକାରୀ ଗୋଷ୍ଠୀକୁ ଧରିବାକୁ ପୁଲିସର ତନାଘନା ଜାରି ରହିଛି। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ଉପସ୍ଥିତ ଅଛନ୍ତି।
ଗତ କିଛି ମାସରୁ ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଦୁଇଟି ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ସେ ମଧ୍ୟରୁ ଜଣେ ଅବିନାଶ ପାୱାରର ପ୍ରଥମ ସ୍ତ୍ରୀ ଗୋଟେ ପୁଅ ଏବଂ ତାକୁ ଛାଡି ଅନ୍ୟ କାହା ସହିତ ପଳାଇଗଲା ପରେ ଅବିନାଶ ଦ୍ବତୀୟ ଗୋଷ୍ଠୀର ଜଣେ ମହିଳାକୁ ଦ୍ବିତୀୟ ସ୍ତ୍ରୀ କରିବାକୁ ନେଇ ଆସିଥିଲେ। ଅବିନାଶ ଯେଉଁ ମହିଳାଙ୍କୁ ଦ୍ବିତୀୟ ସ୍ତ୍ରୀ କରିଥିଲେ, ସେ ମଧ୍ୟ ଜଣେ ବିବାହିତ ଥିଲେ ଏବଂ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅବିନାଶଙ୍କ ପୂର୍ବ ସ୍ତ୍ରୀ ପଟରୁ ଗୋଟିଏ ପୁଅ ଏବଂ ଦ୍ବିତୀୟ ସ୍ତ୍ରୀ ପଟରୁ ଦୁଇଟି ସନ୍ତାନ ରହିଛନ୍ତି।
ଗତକାଲି ରାତି ପ୍ରାୟ ୧୧ଟା ବେଳେ ଅବିନାଶଙ୍କ ଗୋଷ୍ଠୀର ଲୋକେ ଶୋଇଥିଲେ। ମଧ୍ୟରାତ୍ରୀରେ ହଠାତ୍ ଅନ୍ୟ ଗୋଷ୍ଠୀର କିଛି ଲୋକ ଆସି ଏମାନଙ୍କ ଉପରେ ଖଣ୍ଡା ଓ ଭୁଜାଲି ଦ୍ବାରା ଅତର୍କିତ ଆକ୍ରମଣ କରିଥିଲେ, ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଅନ୍ୟ ଜଣେ ସ୍ତ୍ରୀ ଆହତ ହୋଇଛନ୍ତି। ଘଟଣା ପରେ ଅବିନାଶର ଦ୍ବିତୀୟ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ନେଇ ଆକ୍ରମଣକାରୀ ଗୋଷ୍ଠର ଲୋକେ ବଳପୂର୍ବକ ନେଇଯାଇଛନ୍ତି।
ଖବର ପାଇ ସଦର ଥାନା ପୁଲିସ ପହଂଚି ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇ ଥିବା ବେଳେ ସଦର ଏସଡିପିଓ, ଏସପି ଏବଂ ଡିଆଇଜି ପଶ୍ଚିମାଞ୍ଚଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି। ବର୍ତ୍ତମାନ ପୁଲିସର ଦୁଇଟି ଟିମ୍ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। ଚାରି ପ୍ଲାଟୁନ ଫୋର୍ସର ଟିମ୍ ଗଠନ କରି ପୁଲିସ ସବୁ ଦିଗରେ ଖୋଜାଖୋଜି କରୁଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31