Legatus

ପରଲୋକରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

 Breaking News

ପରଲୋକରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

November 07
10:09 2023

ପୁରୀ/ ଭୁବନେଶ୍ବର,୭/୧୧: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି।
ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତିଙ୍କ ବିୟୋଗ ଭୋର ୩.୨୫ରେ ହୋଇଛି ବୋଲି ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ସ୍ବର୍ଗତ ମହେଶ୍ବର ମହାନ୍ତି ୧୯୫୬ ମସିହା ଫେବ୍ରୁଆରି ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମଏ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଲଏଲବି ଅଧ୍ୟୟନ କରିଥିଲେ। ପେସାରେ ଆଇନଜୀବୀ ଥିଲେ ମହେଶ୍ବର। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।
ରାଜ୍ୟର ଜଣେ ସଫଳ ରାଜନେତା ଭାବେ ସେ ପରିଗଣିତ ହେଉଥିଲେ। ୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ବର ମହାନ୍ତି । ପ୍ରଥମେ ଜନତା ଦଳରୁ ୧୯୯୫ରେ ସେ ବିଧାୟକ ହୋଇଥିଲେ । ସେ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଜେଡିରୁ ବିଧାୟକ ହୋଇ ପୁରୀରୁ ପ୍ରତିନିଧିତ୍ବ କରି ଆସୁଥିଲେ।
୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ସେ। ଏହି ସମୟରେ ସେ ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ମହେଶ୍ବର।
ଏହା ପୂର୍ବରୁ ସେ ପୁରୀର ପୌରାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ମହେଶ୍ବର ମହାନ୍ତି ପୁରୀ ପୌର ନିର୍ବାଚନରେ ଭାଗ ନେଇ ରାଜନୈତିକ କ୍ୟାରିୟରରେ ପ୍ରଥମ ସଫଳତା ହାସଲ କରିଥିଲେ।
୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ସେ ପୁରୀର ପୌରାଧ୍ୟକ୍ଷ ଥିଲେ। ଏହାପରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ପୌରାଧ୍ୟକ୍ଷ ପଦ ପାଇଁ ୧୯୯୨ ମସିହାରେ ହୋଇଥିବା ସିଧାସଳଖ ନିର୍ବାଚନରେ ସେ ଜନତା ଦଳ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସେ ସମୟରେ ଶ୍ରୀ ମହାନ୍ତି ପ୍ରାୟ ୧୮ହଜାର ଭୋଟ ପାଇଥିଲେ।
ଏ ସମ୍ପର୍କରେ ଶ୍ରୀ ମହାନ୍ତି ଏକ ସାକ୍ଷାତକାରରେ କହିଥିଲେ ଯେ ସେ ୧୯୮୫-୯୦ ମସିହାରେ ପ୍ରଥମେ ପୁରୀ ପୌରାଞ୍ଚଳର ପୌରାଧ୍ୟକ୍ଷ ହୋଇଥିଲେ, ସେତେବେଳେ କାଉନ୍ସିଲରଙ୍କ ଦ୍ବାରା ନିର୍ବାଚିତ ହୋଇଥିଲେ।
ପରେ ୧୯୯୨ ମସିହା ମାର୍ଚ୍ଚ ମାସରେ ସିଧାସଳଖ ଭୋଟରଙ୍କ ଦ୍ବାରା ନିର୍ବାଚିତ ହୋଇ ପୌରାଧ୍ୟକ୍ଷ ହୋଇଥିଲେ। ପୁରୀ ସହରର ବିକାଶ ତଥା ଜନତାଙ୍କ ସେବା କରିବାର ଇଚ୍ଛା ତାଙ୍କୁ ରାଜନୀତିକୁ ଟାଣି ଆଣିଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31