Indus Valley Times

ବଡ଼ କାର୍ଯ୍ୟାନୁଷ୍ଠାନ : ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

 Breaking News

ବଡ଼ କାର୍ଯ୍ୟାନୁଷ୍ଠାନ : ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

ବଡ଼ କାର୍ଯ୍ୟାନୁଷ୍ଠାନ : ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି
January 15
20:12 2026

ଭୁବନେଶ୍ଵର, ୧୫/୧: ରାଜ୍ୟ ରାଜନୀତିରେ ଅପ୍ରତ୍ୟାଶିତ ଘଟଣା। ବିଜେଡି ପାର୍ଟିରୁ ଆସିଛି ବଡ଼ ଖବର।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଗୁରୁବାର ଦଳରୁ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି। ଦଳ ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସସପେଣ୍ଡ କରିଛନ୍ତି।
ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଧାୟକଙ୍କୁ ସସପେଣ୍ଡ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଛି।
ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମିତି କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି। ଉଲ୍ଲେଖନୀୟ ସନାତନ ମହାକୁଡ଼ଙ୍କୁ ନିକଟରେ ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦେଖିବାକୁ ମିଳିଥିଲା।
ମୋହନ ମାଝୀଙ୍କ ଜାନୁଆରୀ ୧୩ରେ କେନ୍ଦୁଝର ଗସ୍ତ ସମୟରେ ଏକ ସରକାରୀ କାର‌୍ୟ୍ୟକ୍ରମରେ ସନାତନ ମହାକୁଡ଼ଙ୍କୁ ଦେଖିବାକୁ ମିଳିଥିଲା।
ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚମ୍ପୁଆ ବିଧାୟକଙ୍କ ଢେର ପ୍ରଶଂସା କରିଥିଲେ। ବୋଧହୁଏ ସନାଙ୍କ ଏମିତି ଗତିବିଧିକୁ ନେଇ ବିଜେଡି ସୁପ୍ରିମୋ ଅସନ୍ତୋଷ ଥିଲେ। ଏହି କାରଣ ପାଇଁ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା।
୨୦୨୪ରେ ବିଜେଡି ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିବ ସନାତନ ମହାକୁଡ଼ କହିଥିଲେ, ବିଜେଡି ୨୪ ବର୍ଷ କ୍ଷମତାରେ ଥିଲେ ହେଁ କେନ୍ଦୁଝର ପ୍ରତି ଘୋର ଅବହେଳା କରିଛି। କେନ୍ଦୁଝରକୁ ଯେମିତି ଗୁରୁତ୍ଵ ମିଳିବା କଥା ସେମିତି ମିଳିନି।
କେନ୍ଦୁଝରର ବିକାଶ ପ୍ରତି ତତ୍କାଳୀନ ବିଜେଡି ସରକାର କେବେ ଧ୍ୟାନ ଦେଇ ନାହିଁ। ସେଥିପାଇଁ ମୋ ମନରେ କ୍ଷୋଭ। ବିଜେଡି ରାଜ୍ୟର ଅନ୍ୟ ଅଞ୍ଚଳରେ ବିକାଶ କରିଥିଲା ବୋଲି ତ ୨୪ ବର୍ଷ ଶାସନରେ ଥିଲା। କିନ୍ତୁ ଆମକୁ ଅଣଦେଖା କରାଯାଇଥିଲା ବୋଲି ମହାକୁଡ଼ କହିଥିଲେ।
ଅନ୍ୟପଟେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ହେଉଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ।
ବାପା ବିଜୟ ବିଜେପିର ନେତା ହୋଇଥିଲେ ହେଁ ଅରବିନ୍ଦ ଖୋଦ୍ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ସାମିଲ ହୋଇଥିଲେ। ଆଉ ବିଜେଡି ଟିକେଟରେ ପାଟକୁରାରୁ ବିଜୟୀ ହୋଇଥିଲେ।
ତଥାପି ତାଙ୍କୁ ଦଳ କାହିଁକି ସସପେଣ୍ଡ କଲା ତାହା ସଭିଙ୍କୁ ବିସ୍ମିତ କରିଛି। କାରଣ ଅରବିନ୍ଦ କେବେ ବି ପାର୍ଟି ବିରୋଧରେ ମନ୍ତବ୍ୟ ଦେଇ ନାହାନ୍ତି। କିନ୍ତୁ ଏଠି କହି ରଖୁଛୁ ତାଙ୍କ ବାପା ବିଜୟ ମହାପାତ୍ର କେବେ ବି କ୍ଷମତାରେ ନ ଥିଲେ ବି ତାଙ୍କ ପାଖକୁ ଅନେକ ନେତାଙ୍କ ସୂଅ ଛୁଟିଥାଏ।
ସାଂପ୍ରତିକ ରାଜନୀତିକୁ ନେଇ ବିଜୟଙ୍କ ସହ ଆଲୋଚନା ବି ହୁଏ। ବୋଧହୁଏ ବିଜୟଙ୍କ ଏହି ଗତିବିଧି ପାଇଁ ଅରବିନ୍ଦଙ୍କ ବିରୋଧରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।
ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ବାସ୍ତବରେ ତାଙ୍କ ବିରୋଧରେ ନୁହେଁ ବରଂ ନବୀନଙ୍କ ଏହି ଆକ୍ସନ ବିଜୟ ମହାପାତ୍ରଙ୍କ ଉପରେ ପରୋକ୍ଷରେ ହୋଇଥିବା କୁହାଯାଉଛି।
କାରଣ ବିଜୟ ମହାପାତ୍ର ଏମିତି ଜଣେ ନେତା ଯିଏ କ୍ଷମତାରେ ନ ଥିଲେ ବି ତାଙ୍କର ସାଂଗଠନିକ ଦକ୍ଷତା ଏମିତି ରହିଛି, ଯାହାର ପ୍ରଭାବ ଏବେ ବି ରହିଛି।
ଆଉ ଅରବିନ୍ଦଙ୍କୁ ବୋଧହୁଏ ଏହାର ପରିଣାମ ଭୋଗିବାକୁ ପଡ଼ିଛି। ଆଉ ଆଜି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର‌୍ୟ୍ୟ ପାଇଁ ସସପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, କ୍ଷମତା ହାତରୁ ଯିବା ପରେ ବିଜେଡି ସୁପ୍ରିମୋ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ନବୀନଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିଜେଡିର ଅନ୍ୟ ନେତାଙ୍କ ପାଇଁ ଏକ ଦୃଢ ସନ୍ଦେଶ ଭାବେ ବିବେଚନା କରାଯାଉଛି। କାରଣ ଦଳରେ ଏମିତି ଅନେକ ନେତା ଓ ବିଧାୟକ ଅଛନ୍ତି ଯେଉଁମାନେ ଅନେକ ସମୟରେ ପାର୍ଟି ଆଭିମୁଖ୍ୟ ବିରୋଧୀ ବୟାନ ଦେଇଛନ୍ତି।
ନବୀନ ଏହି ଦୁଇ ନେତାଙ୍କୁ ସସପେଣ୍ଡ କରି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ପାର୍ଟି ବିରୋଧୀ ଗତିବିଧିରେ ସାମିଲ୍ ନେତାକୁ ଆଉ ବରଦାସ୍ତ କରାଯିବନି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930