Indus Valley Times

ବଲାଙ୍ଗୀର ରେଞ୍ଜରେ ପୁଣି ଏକ ଦନ୍ତାର ମୃତ୍ୟ ; ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର : ହାତୀଙ୍କ ଗତିବିଧି ଜଗିବ କିଏ ?

 Breaking News

ବଲାଙ୍ଗୀର ରେଞ୍ଜରେ ପୁଣି ଏକ ଦନ୍ତାର ମୃତ୍ୟ ; ଏଲିଫ୍ୟାଣ୍ଟ୍ ଟ୍ରାକରମାନେ ଅଧିକାରୀଙ୍କ ଘରୋଇ ଚାକର : ହାତୀଙ୍କ ଗତିବିଧି ଜଗିବ କିଏ ?

October 14
10:22 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୪/୧୦ : ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ସଦର ରେଞ୍ଜ୍ ରେ ଆଜି ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି।ସୁଲିଆ ଓ ଭୀମଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ପୁରୁଣାପାଣି ଗ୍ରାମ ନିକଟସ୍ଥ ସୁଲିଆ ଘାଟୀରେ ବନବିଭାଗ ଠାବ କରିଥିବା ଏହି ହାତୀଟିର ମୃତ୍ୟୁ ଦୁଇଦିନ ତଳେ ଘଟିଥିବା ଅନୁମାନ କରାଯାଉଛି।ଏହି ମୃତ ଅଣ୍ଡିରା ଦନ୍ତା ହାତୀଟିର ବୟସ ୪୫ ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବନ ବିଭାଗ ଅନୁମାନରୁ ପ୍ରକାଶ।ତେଣୁ ହାତୀଟିର ମୃତ୍ୟୁ ବୟସାଧିକ୍ୟ ହେତୁ ସ୍ବାଭାବିକ୍ ବୋଲି ଏହି ସୂତ୍ରରୁ ପ୍ରକାଶ।ତେବେ ଶବବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ।
ଉଲ୍ଲେଖନୀୟ ଯେ,ବନ୍ୟପ୍ରାଣୀ ସପ୍ତାହରେ ଗତ ୮ ତାରିଖରେ ଏହି ରେଞ୍ଜ୍ ର ମଠଖାଇ ସଂରକ୍ଷିତ ଜଙ୍ଗଲର ଅସୁରଡୁଙ୍ଗୁରି ଗ୍ରାମ ନିକଟ ରେ ମିଳିଥିବା ଅଣ୍ଡିରା ଦନ୍ତାହାତୀଟିର ଗଳିତ ମୃତଦେହକୁ ଦେଖି ପ୍ରଥମେ ବିଭିଗ ପକ୍ଷରୁ ତାହାକୁ ମଧ୍ୟ ସ୍ବାଭାବିକ ମୃତ୍ୟୁ ବା ସଂକ୍ରମଣରୁ ମୃତ୍ୟୁ ବୋଲି କହିଥିଲା।ଗଣମାଧ୍ୟମରେ ମଧ୍ୟ ଏହାକୁ ହାତୀଦାନ୍ତ ତସ୍କରୀର ଭ୍ରମରେ ‘ ଦାନ୍ତ ପାଇଁ ଦନ୍ତା ହତ୍ୟା ‘ ବୋଲି ରୋଚକ ଶେଳୀ ର ଖବର ପ୍ରକାଶ ପାଇବା ପରେ ତଦନ୍ତରେ ଗ୍ରାମର ୫ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ଅସୁର ଡୁଙ୍ଗୁରି ଗ୍ରାମର ଅନି ମାଝି (୪୫), ପଦୁ ମାଝି(୨୦),ତରଣି ମାଝି(୨୫),ଲବ ଭୁଏ(୨୫) ଓ ସରୋଜ ବରିହା(୨୩)।ସେମାନେ ଜଙ୍ଗଲୀ ବାର୍ହା ମାରିବାକୁ କିଛିଦୂରରୁ ବିଦ୍ୟୁତ୍ ସବ୍ ଷ୍ଟେସନରୁ ଚୋରା ତାର ଲମ୍ବାଇଥିବା ଓ ସେଥିରେ ହାତୀଟି ଲାଗିଯାଇ ମୃତ୍ୟୁବରଣ କରିଥିବା ସ୍ବୀକାର କରିଥିବା ବନବିଭାଗ ସୂତ୍ରରୁ ପ୍ରକାଶ।ତେବେ ମୃତ ହାତୀଟିର ଦୁଇଟି ଦାନ୍ତ ରୁ ଗୋଟିଏ ଦାନ୍ତ କେହି କାଟି ନେଇଥିବା ଓ ଅଦ୍ୟାବଧି ଏହା ଧରାଯାଇ ପାରିନାହିଁ।
ଏଠାରେ ଗୁରୁତର ବିଷୟ ଏହି ଯେ,ହାତୀଙ୍କର ଗତିବିଧି ତଦାରଖ କରିବାକୁ ସରକାରୀ ଅର୍ଥରେ ଏଲିଫ୍ୟାଣ୍ଟ୍ ଟ୍ରାକର ମାନଙ୍କୁ ନିୟୋଜିତ କରାଯାଇଛି।ବିଡମ୍ବନାର ବିଷୟ ଯେ ଏମାନଙ୍କୁ ବିଭାଗୀୟ ଅଧିକାରୀ ଙ୍କ ଘରୋଇଚାକର ଭାବରେ ବେଠି ଖଟିବାକୁ ପଡୁଛି।ହାତୀଟ୍ରାକର , ପାରାଷ୍ଟାଫ୍ ଓ ଅସ୍ଥାୟୀ କର୍ମଚାରୀଙ୍କୁ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ଅବୈଧ ଘରୋଇ ସେବାର ଅଭିଯୋଗ ବହୁଦିନରୁ ହୋଇ ଆସୁଥିବା ସତ୍ତ୍ୱେ,ସରକାର ଏହାକୁ କର୍ଣ୍ଣପାତ ନ କରିବା କ୍ଷୋଭର ବିଷୟ।
ଏଣୁ ଜଙ୍ଗଲରେ ହାତୀଙ୍କର ଗତିବିଧି ଦେଖିବାକୁ କେହିନାହିଁ।ଓଲଟା ଉପର ଠାଉରିଆ ଭାବରେ ରିପୋର୍ଟ ଟିଏ କରିଦେଇ ତଳିଆ କର୍ମଚାରୀ ମାନେ ନିଶ୍ଚିନ୍ତ।ଉପରୋକ୍ତ ମାତ୍ର ୪ ଦିନ ଅନ୍ତରରେ ଦୁଇଟି ହାତୀଙ୍କର ମୃତ୍ୟୁ ପୂର୍ବରୁ ଏଇ ହାତୀମାନେ ସୁସ୍ଥ ଥାଇ ବୁଲୁଥିବା ବନରକ୍ଷୀ ମାନେ ରିପୋର୍ଟ କରିଥିବା ବେଳକୁ ସେହି ଦୁଇଟି ପ୍ରାଣୀ ଙ୍କର ମୃତ୍ୟୁ ଘଟିସାରି ମୃତଦେହ ପଚି ଯାଇଥିଲା।
ଆହୁରି ମଧ୍ୟ ବିଦ୍ୟୁତ୍ ବିଭାଗର ଏ ଦିଗରେ ଚରମ ଦାୟିତ୍ୱହୀନତା ଲକ୍ଷ୍ୟ କରାଯାଇଛି।ପ୍ରଥମ ଅସୁର ଡୁଙ୍ଗୁରିର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତାଙ୍କର କିଛି ଦୋଷ ନଥିବା ସଫେଇ ଦେଇ ଫେରି ଆସିଥିଲେ।
ସର୍ବୋପରି ବଲାଙ୍ଗୀର ବନଖଣ୍ଡ ସମେତ ଅନଗୁଳ ତଥା ସାରା ରାଜ୍ୟରେ ଚୋରା ବିଦ୍ୟୁତ୍ ତାର ଫାଶରେ ବାର୍ହା ଓ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇଥିବା ଚିନ୍ତାଜନକ କଥା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31