ବାତ୍ୟା ‘ଅର୍ଣ୍ଣବ’ କ୍ଷତିରୁ ମୁକୁଳିନି ପୁଣି ‘ମୁରାସୁ’ ଆଶଙ୍କା ; ବର୍ଷାରେ ବଢ଼ିଲା ପ୍ରଶାସନର ଚିନ୍ତା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧/୧୧ : ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବରେ ସୃଷ୍ଟି ହୋଇଥିବା ବିପୁଳ କ୍ଷୟକ୍ଷତିରୁ କନ୍ଧମାଳ ଜିଲ୍ଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରିନାହିଁ। ବାତ୍ୟାର ପ୍ରଭାବ କମିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାର ଅନେକ ଅଞ୍ଚଳକୁ ଯୋଗାଯୋଗ ସ୍ୱାଭାବିକ ହୋଇନାହିଁ।
ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହଟାଇବା, କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଲୋକଙ୍କ ମନରେ ଆଶଙ୍କା ବଢ଼ିଛି।
ଅର୍ଣ୍ଣବର ପ୍ରଭାବରୁ ଧୀରେ ଧୀରେ ସ୍ୱାଭାବିକ ହେଉଥିବା ଜନଜୀବନ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ରବିବାର ସକାଳେ ଆକାଶ ହାଲୁକା ମେଘାଚ୍ଛନ୍ନ ରହିଥିବା ବେଳେ ବାଲିଗୁଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଅପରାହ୍ନରୁ ପୁଣି ବର୍ଷା ଆରମ୍ଭ ହୋଇଥିଲା।
ଦୁଇଦିନ ଧରି ଖରା ଓ ଶୁଖିଲା ପାଗ ରହିବା ପରେ ହଠାତ୍ ବର୍ଷା ହେବାରୁ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ପାହାଡ଼ିଆ ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ଅନୁଭୂତ ହୋଇଛି। ବିଭିନ୍ନ ପାହାଡ଼ରୁ ପୁଣି ଜଳସ୍ରୋତ ପ୍ରବଳ ବେଗରେ ତଳକୁ ଖସିବା ଆରମ୍ଭ କରିଛି। ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ନଦୀନାଳ ଫୁଲିବା ସହ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ପୁନର୍ବାର ବର୍ଷା ହେଲେ ପରିସ୍ଥିତି ଜଟିଳ ହେବା ଆଶଙ୍କା ଦେଖାଦେଇଛି।
ଦୁର୍ଗମ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ମଧ୍ୟ ପ୍ରଶାସନ ପାଇଁ ଆହ୍ୱାନ ପାଲଟିଛି। ଅନ୍ୟ ପକ୍ଷରେ, ରାଇକିଆ ବ୍ଲକ୍ ସୀମାନ୍ତବର୍ତ୍ତୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ଗିଡ଼ିପାପଲ୍ଲୀ ଗ୍ରାମରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଏହି ଉଦ୍ଧାର ଅଭିଯାନରେ ଡାଙ୍ଗେସି ରାସ୍ତା ଦେଇ ଏନ୍ଡିଆର୍ଏଫ୍ ଟିମ୍ ସାମିଲ ହୋଇଛି।
ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଦଳ ଗୁରୁତ୍ୱ ଦେଉଛି।
ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ରାସ୍ତାଘାଟ ସଫା ରଖିବା, ଅବରୋଧ ହଟାଇବା ଏବଂ ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଦିଗରେ ଉଦ୍ୟମ କରାଯାଉଛି।
ତେବେ ପୂର୍ବ ବାତ୍ୟାର କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇନଥିବା ବେଳେ ପୁଣି ବର୍ଷା ଆରମ୍ଭ ହେବା ପ୍ରଶାସନର ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗୋଟିଏ ପଟେ ଅର୍ଣ୍ଣବର କ୍ଷତ ଏପର୍ଯ୍ୟନ୍ତ ଶୁଖିନାହିଁ, ଅନ୍ୟପଟେ ନୂଆ ବାତ୍ୟା ଆଶଙ୍କା ଓ ପୁନର୍ବାର ବର୍ଷା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।
ଏଭଳି ସ୍ଥିତିରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ସହ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ଏବେ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି।







