Indus Valley Times

ବାଲିଗୁଡା ରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

 Breaking News

ବାଲିଗୁଡା ରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବାଲିଗୁଡା ରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
January 27
21:31 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୧ : କନ୍ଧମାଳ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୭୭ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୩ଟି ବ୍ୟକ୍ତିଗତ ଓ ୨୪ଟି ସାମୂହିକ ଅଭିଯୋଗ ରହିଥିଲା।
ଏହି ଅଭିଯୋଗ ଶୁଣାଣିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ,ଆରକ୍ଷୀ ଅଧିକ୍ଷକ ହରିଶ ବିସି, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୁକାରୀ ଶମ୍ଭୁ ନାଥ ନନ୍ଦୀ, ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଥିଲେ ।
ଏହି ଅଭିଯୋଗ ଶୁଣାଣିରେ ବାଲିଗୁଡା ପ୍ରକଳ୍ପ ପ୍ରଶାସକ ଆଇଟିଡିଏ କୃପାସିନ୍ଧୁ ବେହେରା, ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ରାସ୍ତାଘାଟ, ଆବାସ,ମୋବାଇଲ ଟାୱାର,ଭତ୍ତା, ଜମିବାଡ଼ି ସମସ୍ୟା ସମେତ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କ ରେ ଅଭିଯୋଗ ଆସିଥିଲା ।
ବେଲଘର ହାତୀ ମୃତ ଘଟଣା: ଦିନ ଗଡ଼ୁଛି ରହସ୍ୟ ବଢୁଛି,
ବାଲିଗୁଡା, ୨୭/୧ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଏବେ କଳି ଆରମ୍ଭ ହୋଇଛି।ବିଦ୍ୟୁତ ବିଭାଗ କହିଛି ତଦନ୍ତ କେଉଁ ଆଧାର ରେ କରାଯାଇ ଆମ ଉପରେ ଦୋଷ ଲଦାଗଲା ନା ନିଜ ମୁଣ୍ଡ ରୁ ଦୋଷ ଛଡ଼ାଇ ବିଦ୍ୟୁତ ବିଭାଗ ଉପରେ ଲଦି ଦିଆଗଲା ବୋଲି ମାନସ ରଞ୍ଜନ ମହାରଣା , ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ ବିଭାଗ,ଫୁଲବାଣୀ କହିଛନ୍ତି ।
ଆଉ ଏକ ତଥ୍ୟ ମଧ୍ୟ ବିଦ୍ୟୁତ ବିଭାଗର ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି । ଜାନୁଆରୀ,୫ ରେ ହାତୀ ଗତିବିଧି କୁ ନଜର ରେ ରଖି ଝିରିପାଣି ଅଞ୍ଚଳ ରେ ବିଦ୍ୟୁତ କାଟ କରଯାଇଥିଲା କିଭଳି ହାତୀ ମୃତ ହେଲା ବନ ବିଭାଗ କହୁଛି ତାହା ସନ୍ଦେହ ଜନକ।
ଗତ ଜାନୁୟାରୀ ୨୫ ତାରିଖ ରେ ବ୍ରହ୍ମପୁର ଜଉଉୠ ବିଶ୍ବନାଥ ନୀଳନବର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗତ ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା ଏବଂ ମୃତ ହାତୀର ନମୁନା ଫୋରେନ୍ସିକ୍ ଲ୍ୟାବ୍ କୁ ପଠାଯାଇଛି ।
କହିବା ପରେ ଆଜି ଫୁଲବାଣୀ ରେ ଥିବା ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ବନ ବିଭାଗ ପକ୍ଷରୁ ଆମକୁ କୌଣସି ଚିଠି କରାଯାଇ ନାହିଁ। ଆମେ ଆପଣ ମାନଙ୍କ ଠାରୁ ଜାଣିବାକୁ ପାଇଛୁ। ଯେକୌଣସି ବନ୍ୟପ୍ରାଣୀ ଜଙ୍ଗଲ ରେ ମୃତ ହେଲେ ବନ ବିଭାଗ ବିଦ୍ୟୁତ୍ ବିତରଣ ବିଭାଗ କୁ ଚିଠି କରିଥାଏ କିନ୍ତୁ ବାଲିଗୁଡ଼ା ବନ ବିଭାଗ କୌଣସି ଚିଠି କରି ନାହିଁ କି ତଦନ୍ତ ପାଇଁ ଆମକୁ ଡାକି ନାହାନ୍ତି। ଏଭଳି ମତାମତ ଦେବା ଠିକ ନୁହେଁ କହିଛି ।
୭୭ ତମ ସାଧାରଣତନ୍ତ୍ର ଦିବସରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଗୌରବାନ୍ୟୁତ ବିଜୟ
ବାଲିଗୁଡ଼ା, ୨୭/୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ୭୭ତମ ସାଧାରଣତନ୍ତ୍ର ଦିବସ – ୨୦୨୬ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
କିନ୍ତୁ ଗର୍ବ ଏବଂ ଗୌରବର ବିଷୟ ଏହିକି ଯେ, ପ୍ୟାରେଡ୍‌ରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ମଧ୍ୟ ବନବାସୀ ସେବା ସମିତି, ବାଲିଗୁଡ଼ା ଦ୍ଵାରା ପରିଚାଳିତ ରେଡ୍ କ୍ରସ ଦୃଷ୍ଟିବାଧିତ ବିଦ୍ୟାଳୟ, ବାଲିଗୁଡ଼ା ର ପ୍ୟାରେଡ୍ ଗ୍ରୁପ୍ ସାଧାରଣ ବର୍ଗର ପିଲାମାନଙ୍କ ସହ ପ୍ରତିଦ୍ଵନ୍ଦିତା କରି ସିନିୟର ସ୍ତରରେ ପ୍ୟାରେଡ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସେମାନଙ୍କ ଧୈର୍ଯ୍ୟ ଓ ନିଷ୍ଠା ଆଜି ସେମାନଙ୍କୁ ସଫଳତା ପ୍ରଦାନ କରିଛି।
ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।ପୁରସ୍କାର ପାଇଥିବାରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ଓଡ଼ିଶା ରାଜ୍ୟ ଦଲିଲ ଲେଖକ ଓ ମୋହରିର ସଂଘ ତରଫରୁ ଭିନ୍ନକ୍ଷମ ଶିଶୁଙ୍କୁ ଶୀତ ବସ୍ତ୍ର ବଣ୍ଟନ
ବାଲିଗୁଡ଼ା, ୨୭/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ଦ୍ଵାରା ପରିଚାଳିତ ରେଡ୍‌କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ବନବିହାର ନିମନ୍ତେ ଭଞ୍ଜନଗର ସ୍ଥିତ ଫରେଷ୍ଟ ପାର୍କ ବୁଲିବାକୁ ଯାଇଥିଲେ। ସେଠାରେ ଅତି ଆନନ୍ଦ ଉଲ୍ଲାସରେ ବଣ ଭୋଜି ରେ ସାମିଲ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବାଦ୍ୟ ଓ ସଙ୍ଗୀତ ପରିବେଷଣ କରି ସେଠାକାର ପରିବେଶକୁ ବେଶ୍ ଉତ୍ସବ ମୁଖର କରି ଦେଇଥିଲେ।
ଯାହାଦ୍ଵାରା କି, ସେଠାକୁ ଆସିଥିବା ବହୁ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମର ବେଶ୍ ମଜା ନେଉଥିଲେ। ସୁଦୂର ଭୁବନେଶ୍ୱର ଓ ବ୍ରହ୍ମପୁରରୁ ରାଜ୍ୟ ଦଲିଲ ଓ ଲେଖକ ଓ ମୋହରିର ସଂଘର ସଭାପତି ଓ କର୍ମକର୍ତ୍ତା ବୃନ୍ଦ ମଧ୍ୟ ସେଠାକୁ ବଣ ଭୋଜି ଉଦେଶ୍ୟରେ ଆସି ଏହି ଭିନ୍ନକ୍ଷମ ଶିଶୁ ମାନଙ୍କର ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ହୋଇ ଭୂୟସୀ ପ୍ରଶଂସା କରିବା ସହ, ଅନୁଷ୍ଠାନର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଭ୍ୟ ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟଜିତ ମହାପାତ୍ରଙ୍କ ସହ ବିଦ୍ୟାଳୟ ତଥା ଅନୁଷ୍ଠାନର ମାର୍ଗଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ।
ରାଜ୍ୟ ମୋହରିର ସଂଘର ସଭାପତି ବଂଶୀଧର ବେହେରା ଓ କର୍ମକର୍ତ୍ତା ଙ୍କ ଦ୍ଵାରା ପିଲାମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ ପାଇଁ ୧୫ ହଜାର ୧୦୦ ଶହ ଟଙ୍କା ସମିତି ର ସହ ସମ୍ପାଦକ ଶ୍ରୀ ପଣ୍ଡା ଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଅର୍ଥରାଶିରେ ପିଲା ମାନଙ୍କ ପାଇଁ ସ୍ଵେଟର କିଣା ଯାଇ ଭିନ୍ନକ୍ଷମ ଶିଶୁଙ୍କୁ ବଣ୍ଟନ କରାଯାଇଥିଲା।
ଏଥିପାଇଁ ରାଜ୍ୟ ଦଲିଲ ଲେଖକ ଓ ମୋହରିର ସଂଘ, ଭୁବନେଶ୍ୱର ଓ ବ୍ରହ୍ମପୁର ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଇବା ସହ ସେମାନଙ୍କର ସ୍ନେହ ଶ୍ରଦ୍ଧା ସର୍ବଦା ଉଜ୍ଜୀବିତ ରହିଥାଉ ବୋଲି ଆଶା ବ୍ୟକ୍ତ କରିଥିଲେ ।
ମଣ୍ଡଳ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ: ସନାତନ ଧର୍ମୀୟ, ସଂସ୍କୃତିର ସୁରକ୍ଷା ଲାଗି ଆହ୍ୱାନ
ବାଲିଗୁଡା, ୨୭/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ରାମେଶ୍ୱର ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆର୍‌ଏସ୍ଏସ୍) ପକ୍ଷରୁ ମଣ୍ଡଳ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସାମୁହିକ ହନୁମାନ ଚାଳିଶା ପାଠ ସହ ଗାୟତ୍ରୀ ଯଜ୍ଞ ପରେ ପରେ ଟିକେଶ୍ୱର ବେହେରା ଙ୍କ ସଂଯୋଜନାରେ ଏକ ଧର୍ମସଭା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଆର୍‌ଏସ୍ଏସ୍ ପୂର୍ବ ପ୍ରାନ୍ତ ସଂଘ ର ବିଭାଗ ପ୍ରମୁଖ ମନୋରଞ୍ଜନ ପ୍ରଧାନ ଯୋଗ ଦେଇ ହିନ୍ଦୁମାନେ ଏକାଠି ହୋଇ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବା ସହ ହିନ୍ଦୁ ସମାଜର ଏକତା, ସନାତନ ଧର୍ମୀୟ ଓ ସଂସ୍କୃତି ମୂଲ୍ୟବୋଧର ସୁରକ୍ଷା ହିଁ ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ମାନେ କହିଥିଲେ। ଏଥିରେ ବାଲିଗୁଡା ମଣ୍ଡଳ ର ଶତାଧିକ ହିନ୍ଦୁ ପ୍ରେମୀ ଯୋଗ ଦେଇଥିଲେ । ଖଣ୍ଡ କାର୍ଯ୍ୟବାହ ଅନନ୍ତ କୁମାର ଦାସ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ କାଳିନ୍ଦୀ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ
ମିଡିଆକିଆ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା
ବାଲିଗୁଡା, ୨୭/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ର ନୁଆସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ମିଡିଆକିଆ କ୍ଲଷ୍ଟର ସିଆରସିସି ଫିଲିପ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ଉଦ୍ଦେଶ୍ୟ ଓ ମହତ୍ୱ ସମ୍ପର୍କରେ ଅଭିଭାଷଣ ରଖିଥିଲେ ।
ଏଥିରେ ସାଧନ କର୍ମୀ ଶ୍ରୀମତୀ ଗାୟତ୍ରୀ ପାଳ, ଜୟ ପ୍ରକାଶ ପ୍ରଧାନ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଏବଂ କ୍ଲଷ୍ଟରର ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ଅନେକ ଗୁଡିଏ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା ।
ଏହି ଶିକ୍ଷଣ ସାମଗ୍ରୀ ବ୍ୟବହାର ଦ୍ୱାରା ଛାତ୍ରଛାତ୍ରୀ ମାନେ ସହଜରେ ଗାଣିତିକ, ଭାଷାଗତ ଦକ୍ଷତା ହାସଲ କରିପାରିବେ ବୋଲି ମତ ପ୍ରକାଶ ପାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031