Indus Valley Times

ବିଜେବି ହାଇସ୍କୁଲ ର ୧୨୫ ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ବିଜେବି ହାଇସ୍କୁଲ ର ୧୨୫ ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବିଜେବି ହାଇସ୍କୁଲ ର ୧୨୫ ତମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
August 11
21:44 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୮: ଐତିହ୍ୟ ଓ ପରମ୍ପରାର ସ୍ମୃତିକୁ ନେଇ ଦୀର୍ଘ ୧୨୫ ବର୍ଷର ଗୌରବମୟ ଯାତ୍ରା ପୂରଣ କରିବାକୁ ଯାଉଛି ଖୋରଧା ର ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ହାଇସ୍କୁଲ।
ବିଦ୍ୟାଳୟର ୧୨୫ତମ ବାର୍ଷିକୋତ୍ସବକୁ ଏକ ଐତିହାସିକ ଓ ସ୍ମରଣୀୟ ଉତ୍ସବରେ ପରିଣତ କରିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବିଦ୍ୟାଳୟ ପରିସରସ୍ଥ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।
ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଉତ୍ସାହର ସହ ଯୋଗଦେଇ ଉତ୍ସବର ରୂପରେଖ ଓ ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି।
ବରିଷ୍ଠ ପୁରାତନ ଛାତ୍ର ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳସଚିବ ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩୭ ଜଣ ପୁରାତନ ଛାତ୍ର ଯୋଗଦେଇଥିଲେ।
ଦୀର୍ଘ ବର୍ଷ ପରେ ପୁଣି ନିଜ ପୁରୁଣା ଶିକ୍ଷାନୁଷ୍ଠାନକୁ ନେଇ ଏକାଠି ହୋଇଥିବା ପୁରାତନ ଛାତ୍ରମାନେ ନିଜ ଛାତ୍ରଜୀବନର ସ୍ମୃତି ଓ ଅନୁଭୂତି ବାଣ୍ଟିବା ସହ ଆଗାମୀ ପିଢ଼ି ପାଇଁ ବିଦ୍ୟାଳୟର ଐତିହ୍ୟକୁ କିପରି ସୁରକ୍ଷିତ ଓ ସମୃଦ୍ଧ କରାଯାଇପାରିବ, ସେନେଇ ବହୁମୂଲ୍ୟ ପରାମର୍ଶ ଦେଇଥିଲେ।
ବୈଠକରେ ଉତ୍ସବ ସଂଯୋଜକ ବିକ୍ରମ କୁମାର ଦାଶ ବିଗତ ଦିନଗୁଡ଼ିକରେ ହୋଇଥିବା ପ୍ରସ୍ତୁତି ଓ କାର‌୍ୟ୍ୟାବଳୀର ବିବରଣୀ ଉପସ୍ଥାପନ କରିଥିଲେ। ଏଥିସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୟସୂଚୀ ଓ ଦାୟିତ୍ୱ ବଣ୍ଟନ ନେଇ ଆଲୋଚନା କରାଯାଇଥିଲା।
ଉତ୍ସବକୁ କେବଳ ଏକ ସାଧାରଣ ବାର୍ଷିକୋତ୍ସବ ନ କରି ବିଦ୍ୟାଳୟର ଦୀର୍ଘ ଐତିହ୍ୟ, ପରମ୍ପରା ଓ ପୁରାତନ ଛାତ୍ରଙ୍କ ଅବଦାନକୁ ଉପସ୍ଥାପନ କରୁଥିବା ଏକ ସ୍ମରଣୀୟ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ମଞ୍ଚ, ଆଲୋକ, ଶବ୍ଦ, ସଭାଗୃହ ଓ ତୋରଣ ନିର୍ମାଣ କାର‌୍ୟ୍ୟକୁ ସୁସଜ୍ଜିତ ଢଙ୍ଗରେ କରାଯିବ।
ବିଦ୍ୟାଳୟର ଐତିହ୍ୟକୁ ଗୌରବମୟ କରିବା ପାଇଁ ତିନୋଟି ଫାଇବର ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି।
ଏହି ପ୍ରତିମୂର୍ତ୍ତି ଗୁଡ଼ିକ ବିଦ୍ୟାଳୟର ଐତିହ୍ୟ ଓ ଗୌରବର ସ୍ମାରକ ଭାବେ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ପୁରାତନ ଛାତ୍ରମାନେ ଆଶା ପ୍ରକାଶ କରିଛନ୍ତି। ୧୨୫ତମ ବାର୍ଷିକୋତ୍ସବକୁ ପରିବେଶ ସୁରକ୍ଷା ସହ ଯୋଡ଼ିବା ପାଇଁ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯିବ।
ଏହାସହ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ମାନସିକ ଶାନ୍ତି, ଏକାଗ୍ରତା ଓ ଆତ୍ମଶୃଙ୍ଖଳା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସେପ୍ଟେମ୍ବର ମାସରେ ‘ବିପଶ୍ୟନା’ ଉପରେ ଏକ ପ୍ରେରଣାଦାୟୀ ଆଲୋଚନାଚକ୍ର ଆୟୋଜନ କରାଯିବ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ପୁରାତନ ଛାତ୍ରମାନେ ମଧ୍ୟ ଯୋଗଦେବେ।
ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଭିନ୍ନ ଭିନ୍ନ ବ୍ୟାଚ୍‌କୁ ଏହି ଉତ୍ସବ ସହ ଯୋଡ଼ିବା ଦିଗରେ ମଧ୍ୟ ପ୍ରୟାସ ଜାରି ରହିଛି।
ବିଦ୍ୟାଳୟର ଐତିହ୍ୟ ଓ ଗୌରବର ପ୍ରତୀକ ଭାବେ ମୁଖ୍ୟ ରାସ୍ତାରେ ଐତିହ୍ୟ ତୋରଣ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।
ପ୍ରଥମ ତୋରଣ ପାଇଁ ସ୍ଥାନ ନିରୂପଣ ହୋଇସାରିଛି। ଦ୍ୱିତୀୟ ତୋରଣ ନିର୍ମାଣ ସମ୍ପର୍କରେ ସାଂସଦ ଦିଲ୍ଲୀପ ରାୟଙ୍କ ସହ ଆଲୋଚନା ଚାଲିଛି। ତୋରଣଗୁଡ଼ିକରେ ବିଦ୍ୟାଳୟର ଐତିହ୍ୟ, ଗୌରବମୟ ଯାତ୍ରା ଓ ପରମ୍ପରାକୁ ପ୍ରତିଫଳିତ କରିବା ନେଇ ଯୋଜନା ରହିଛି।
ବାର୍ଷିକୋତ୍ସବ ଭଳି ବୃହତ୍ ଆୟୋଜନକୁ ସୁଚାରୁ ଭାବେ ପରିଚାଳନା ପାଇଁ ଆର୍ଥିକ ନିଷ୍ପତ୍ତି ଓ ବ୍ୟୟ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଦେବୁ ମଜୁମଦାର, ସତ୍ୟବ୍ରତ ଦାସ, ପି.କେ. ରାୟ (ବୁଲୁ) ଓ ଏଲ୍.ଏନ୍. ଭଞ୍ଜଙ୍କୁ ନେଇ ଏକ ଅର୍ଥ କମିଟି ଗଠନ କରାଯାଇଛି।
୧୨୫ ତମ ବାର୍ଷିକୋତ୍ସବର ପ୍ରଚାର ଓ ପ୍ରସାରକୁ ବ୍ୟାପକ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଚାର ଓ ପ୍ରସାର କମିଟିର ସଂଯୋଜକ ଉମାଶଙ୍କର ପ୍ରସାଦଙ୍କ ପକ୍ଷରୁ ପ୍ରସ୍ତୁତ ସାମାଜିକ ଗଣମାଧ୍ୟମ, ସମ୍ବାଦପତ୍ର, ବିଜ୍ଞାପନ ବୋର୍ଡ ଏବଂ ସିଧାପ୍ରସାରଣ (ଲାଇଭ୍‌) ସମ୍ପର୍କିତ ଯୋଜନାକୁ ବୈଠକରେ ଅନୁମୋଦନ କରାଯାଇଛି।
ଏହା ମାଧ୍ୟମରେ ଦେଶ ଓ ବିଦେଶରେ ଥିବା ବିଦ୍ୟାଳୟର ପୁରାତନ ଛାତ୍ରମାନେ ମଧ୍ୟ ଉତ୍ସବ ସହ ଯୋଡ଼ିହେବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂର୍ବ-ସମାରୋହ କାର‌୍ୟ୍ୟକ୍ରମକୁ ଆହୁରି ସୁସଂଗଠିତ କରିବା ପାଇଁ ସମ୍ପୃକ୍ତ କମିଟିକୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଚୂଡ଼ାନ୍ତ ପ୍ରସ୍ତାବ ଦେବାକୁ କୁହାଯାଇଛି।
ଏହାପରେ ସମସ୍ତ ପ୍ରସ୍ତୁତିର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସ୍ଥିତି ସମୀକ୍ଷା କରାଯିବ। ଏଥିପାଇଁ ଅଗଷ୍ଟ ୨୩ ତାରିଖରେ ପରବର୍ତ୍ତୀ ସମୀକ୍ଷା ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।
ବିଦ୍ୟାଳୟର ୧୨୫ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣୀୟ କରିବା ସହ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ଏକ ମଞ୍ଚରେ ଏକାଠି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବିଜେବି ହାଇସ୍କୁଲ ସହ ଜଡ଼ିତ ପୁରାତନ ସ୍ମୃତି, ଶିକ୍ଷାନୁଷ୍ଠାନର ଐତିହ୍ୟ ଏବଂ ବିଭିନ୍ନ କ୍ଷେତ୍ରରେ ଏହି ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଅବଦାନକୁ ଉତ୍ସବ ମାଧ୍ୟମରେ ଉଜାଗର କରିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରସ୍ତୁତି ବୈଠକ ମାଧ୍ୟମରେ ୧୨୫ତମ ବାର୍ଷିକୋତ୍ସବକୁ ନେଇ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଆହୁରି ବୃଦ୍ଧି ପାଇଥିବା ବେଳେ ଆଗାମୀ ଦିନରେ ପ୍ରସ୍ତୁତି କାର୍ଯ୍ୟ ଆହୁରି ଜୋରଦାର ହେବ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930