Indus Valley Times

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ ସମ୍ପନ୍ନ

 Breaking News

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ ସମ୍ପନ୍ନ

ବିଶିଷ୍ଟ କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ ସମ୍ପନ୍ନ
March 16
10:35 2025

ଭୁବନେଶ୍ବର, ୧୬/୩ : ‘ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ରମାକାନ୍ତ ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।
ଭାରତୀୟ ପ୍ରଶାସନିକ ସେବା ସହ ସାହିତ୍ୟ ଜଗତରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାଦାର ସହ ସମ୍ପନ୍ନ ହେବ। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ମୋର ସମବେଦନା ଜଣାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତର ଅଳ୍ପ କେତେଜଣ ଶ୍ରେଷ୍ଠ କବିଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ସପ୍ତମ ଋତୁ,ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତରେ ଚିର ଦିନ ପାଇଁ ଅମରକରି ରଖିବ । ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି ।
ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ। ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ।
ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଶୋକବାର୍ତ୍ତାରେ କହିଛନ୍ତି, ଓଡ଼ିଶାର ଖ୍ୟାତନାମା କବି ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରମାକାନ୍ତ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। କବିତା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ତାଙ୍କର ଯୋଗଦାନ ଅକଳ୍ପନୀୟ।
କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ତଥା ଅନେକ ସମ୍ମାନର ଅଧିକାରୀ ଶ୍ରୀ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଇଥାଏ । ତାଙ୍କର କାଳଜୟୀ କବିତା ଗୁଡିକ ପାଇଁ ସେ ଓଡ଼ିଆ ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930