Indus Valley Times

ବୌଦ୍ଧରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସମାରୋହ ଅନୁଷ୍ଠିତ

 Breaking News

ବୌଦ୍ଧରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସମାରୋହ ଅନୁଷ୍ଠିତ

November 03
16:54 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧୧: ବୌଦ୍ଧରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉଦ୍ଦେଶ୍ୟରେ ଏକ ସଚେତନତା ସଭା ଓ ଶପଥ ପାଠ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ସମସ୍ତଙ୍କୁ ଦୁର୍ନୀତି ନିବାରଣ ଉଦ୍ଦେଶ୍ୟରେ ଶପଥପାଠ କରାଇଥିଲେ ଏବଂ ମାଠିଆ ପରି ସବୁ ଆହରଣ କରି ଦୁଃଖ ପାଇବା ବଦଳରେ ପାଣି ଜଗ ଭଳି ପ୍ରଦାନ ବା ବାଣ୍ଟିବାରେ ଜୀବନର ଅସଲ ରହସ୍ୟ ଲୁଚି ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ, କମାଡେଣ୍ଟ, ୫-ମ ବାଟାଲିୟନ ମନୋରଞ୍ଜନ ବିଶ୍ଵାଳ ଏବଂ ଡେପୁଟି କମାଣ୍ଡେଣ୍ଟ ଏସ. କେ. ଧରୁଆ ଯୋଗ ଦେଇ ନିଜର ମାନସିକତାର ପରିବର୍ତ୍ତନ ଫଳରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ଏବଂ ଅନ୍ୟକୁ ସାହାଯ୍ୟ କାଲେ ଆତ୍ମତୃପ୍ତି ମିଳେ ଏବଂ ଅବହେଳା କଲେ ଗ୍ଳାନିବୋଧ ହୁଏ ବୋଲି ବକ୍ତବ୍ୟ ରଖିଥିଲେ ।
ସାହିତ୍ୟିକ ନୀଳଲୋହିତ ମହାପାତ୍ର ଉଦାହରଣ ମାଧ୍ୟମରେ ଦୁର୍ନୀତିର ମୂଳୋତ୍ପାଟନ କଷ୍ଟକର ହେଲେ ମଧ୍ୟ ତାକୁ ପ୍ରତିହତ କରାଯାଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ଉପ-ନିବନ୍ଧକ, ସମବାୟ ସମିତି ସମୂହ, ବୌଦ୍ଧ ଶ୍ରୀଯୁକ୍ତ ହାଡିବନ୍ଧୁ ମହାଖୁଡ ଲୋକ ଦେଖାଣିଆ ଭାବେ ସମ୍ପୃକ୍ତ ନରହି ଦାୟିତ୍ଵବାନ ଏବଂ ସତ୍ୟନିଷ୍ଠ ହେବା ପାଇଁ ଏକ କାହାଣୀ ମାଧ୍ୟମରେ ସଚେତନ କରିଥିଲେ ।
ଉପ ଆରକ୍ଷୀ ଅଧିକ୍ଷକ, ବୌଦ୍ଧ ସୁରେଶ କୁମାର କହଁର ଯୋଗଦେଇ ନିଜ ବିଭାଗ ତରଫରୁ ଦୁର୍ନୀତି ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ତାଙ୍କର ଅଭିଭାଷଣରେ ଶୃଙ୍ଖଳା, ସ୍ଥିତିପ୍ରଜ୍ଞ, ମାନସିକତାରେ ପରିବର୍ତ୍ତନ, ଆତ୍ମ ସମୀକ୍ଷା ଓ ସାଧୁତା ବଳରେ ଏକ ସତ୍ୟନିଷ୍ଠ ସମାଜ ଗଠନ ହୋଇପାରିବ ବୋଲି ମତ ରଖିଥିଲେ ।
ଇନସ୍ପେକ୍ଟର ଜଗବନ୍ଧୁ ଅଙ୍ଗାରିଆ ଦସ୍ୟୁ ରତ୍ନାକର ଉପାଖ୍ୟାନ ସ୍ମରଣ କରାଇବା ସହ ଦୁର୍ନୀତି ସମ୍ପର୍କିତ ରାଜ୍ୟ ସରକାରଙ୍କ ନିୟମାବଳୀକୁ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆତ୍ମ ସମୀକ୍ଷା ସମ୍ବଦ୍ଧୀୟ ଏକ କବିତା ପାଠ କରିଥିଲେ । ବ୍ଲକ କଳା ସଂସ୍କୃତି ସଂଘ, ବୌଦ୍ଧର ଉପସଭାପତି ସ୍ଵାଧୀନ କୁମାର ପରିଡା ଓ ସାଥି ଦୁର୍ନୀତି ବିରୁଦ୍ଧରେ ଏକ ସଚେତନତା ସଙ୍ଗୀତ ଗାନ କରିଥିଲେ ।
ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ଛାତ୍ରୀ ରୁତୁପର୍ଣ୍ଣା ସାମଲ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରୀ ବର୍ଷାରାଣୀ ମେହେର ଏବଂ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ତୃପ୍ତିମୟୀ ଭଞ୍ଜ ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧି ର ଭିତ୍ତି ଉପରେ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟା।ଳୟର କର୍ମଚାରୀ, ଛାତ୍ରଛାତ୍ରୀ, କଳାକାର, ଗଣମାଧ୍ୟମ ପ୍ରତିନିଧି, ପୋଲିସ କର୍ମଚାରୀ, ତପସ୍ଵିନୀ ପରିବାରର ସଦସ୍ୟା ଏବଂ ବୌଦ୍ଧର ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ । ଦୁର୍ନୀତି ନିବାରଣ ଶାଖା ଏବଂ DIPRO କାର୍ଯ୍ୟା।ଳୟ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31