Indus Valley Times

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ

 Breaking News

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ

September 04
18:28 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୪/୯ : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ପଞ୍ଚମ ପ୍ରତିଷ୍ଠା ଦିବସ ବିଶ୍ଵବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।ବିଶ୍ଵବିଦ୍ୟାଳୟ ର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ବିଶ୍ୱବିଦ୍ୟାଳୟ ର କୁଳସଚିବ ଶ୍ରୀ ହର ପ୍ରସାଦ ଭୋଇ ବିଶ୍ଵବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ପ୍ରଫେସର ଗୋପାଳ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷା କ୍ଷେତ୍ର ରେ ଭାରତୀୟ ଦର୍ଶନର ଅପରିହାର୍ଯ୍ୟ ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ସଞ୍ଚାଳକ ଡ଼କ୍ଟର ସୁଶାନ୍ତ କୁମାର ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ସଭା ମୁଖ୍ୟ ପ୍ରଫେସର ଦାଶ ବିଶ୍ଵବିଦ୍ୟାଳୟ ର ଶୈକ୍ଷିକ ବାତାବରଣ ସମ୍ପର୍କରେ ଆଲୋଚନା କରିବା ସହ ବିଶ୍ଵ ବିଦ୍ୟାଳୟ ର ଖ୍ୟାତି ବୃଦ୍ଧି ନିମନ୍ତେ ସମସ୍ତଙ୍କ ଅବଦାନ କିପରି ରହିବା ଆବଶ୍ୟକ ତାହା ଉଲ୍ଲେଖ କରିଥିଲେ।
ଏତଦ୍ ବ୍ୟତୀତ ମାନବ ସମ୍ବଳ ଆୟୋଗ ର ନିର୍ଦେଶକ ପ୍ରଫେସର ରାଜକିଶୋର ପାତ୍ର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ଠାରୁ ଏହା କିପରି ପ୍ରଗତି ପଥରେ ଆଗେଇ ଚାଲିବ ଏବଂ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କର ସାମୁହିକ ଉନ୍ନତି ସାଧିତ ହୋଇପାରିବ,ସେ ସମ୍ପର୍କରେ ନିଜସ୍ଵ ମତାମତ ଉପସ୍ଥାପନ କରିଥିଲେ।
ଅପରପକ୍ଷେ ପରୀକ୍ଷା ନିୟନ୍ତ୍ରକ ଡ.ନରେନ୍ଦ୍ର କୁମାର ରାଉତ ବିଶ୍ଵବିଦ୍ୟାଳୟ ରେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରଚଳନ ହେବା ଫଳରେ କିଭଳି ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବିକାଶ ଦିଗରେ ସହାୟକ ହୋଇପାରିବ। ଏହି ସମ୍ବନ୍ଧରେ ନିଜସ୍ଵ ମତ ପ୍ରଦାନ୍ କରିଥିଲେ।
ଶ୍ରୀମତୀ ଗାୟତ୍ରୀ ସରାଫ ଙ୍କ ଦ୍ଵାରା ରଚିତ କ୍ଷୁଦ୍ର ଗଳ୍ପ ସଂକଳନ “ପଣତ କାନିରେ ଘର”,ଇଂରାଜୀ ବିଭାଗର ଅଧ୍ୟାପକ ଡ.ପ୍ରତାପ କୁମାର ଦାସ ଙ୍କ ଦ୍ଵାରା “Home Beneath The Drape and other stories”ନାମରେ ଅନୁବାଦିତ ହୋଇଥିଲା ଏବଂ ଏହି ପୁସ୍ତକକୁ ମଞ୍ଚାଷିନ ଅତିଥି ବୃନ୍ଦ ଙ୍କ ଦ୍ଵାରା ଶୁଭ ଉନ୍ମୋଚିତ ହୋଇଥିଲା।
ଏହି ସମାରୋହରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଅଧିନସ୍ଥ ଅନେକ ମହାବିଦ୍ୟାଳୟ ର ନିମନ୍ତ୍ରିତ ଅଧ୍ୟକ୍ଷ,ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ। ବିଶ୍ଵବିଦ୍ୟାଳୟ ର ସିଣ୍ଡିକେଟ ସଦସ୍ୟଗଣ, ଆଲୁମିନି ସଦସ୍ୟ ମାନେ,ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ।
ପରିଶେଷରେ ଓଡ଼ିଆ ବିଭାଗ ମୁଖ୍ୟ ଡ଼କ୍ଟର ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଦେଇଥିଲେ।ପି ଏଚ ଡି ଗବେଷକ ସୋମ ମିଶ୍ର ଓ ସ୍ନାତକ ଛାତ୍ରୀ ସାତ୍ତ୍ୱିକା ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ବିଶ୍ୱବିଦ୍ୟାଳୟ ର ଅଧ୍ୟାପକ ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031