Indus Valley Times

ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ

 Breaking News

ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ

ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ
February 03
18:12 2025

ଦିଲ୍ଲୀ,୩/୨ : କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୯୯କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୨୪ ବଜେଟରେ ଏହି ପରିମାଣ ୧୦୫୮୬କୋଟି ଟଙ୍କା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଦ୍ୱିତୀୟ ବର୍ଷର ବଜେଟରେ ପୁଣିଥରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦ହଜାର କୋଟି ଟଙ୍କାରୁ ଅଧିକ ବଜେଟ୍ ବ୍ୟୟବରାଦ ହୋଇଛି ।
ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୯୯କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଗତ ୩ଟି ଆର୍ଥିକ ବର୍ଷରେ ଓଡ଼ିଶାର ରେଳବାଇ କ୍ଷେତ୍ରକୁ ବଜେଟରେ ୧୦ହଜାର ଟଙ୍କାରୁ ଅଧିକ ବ୍ୟୟବରାଦ ହେଉଛି ।
୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦୫୮୬ କୋଟି ଟଙ୍କା, ୨୦୨୩-୨୪ରେ ୧୦୦୧୨କୋଟି ଟଙ୍କାର ଅନୁଦାନ ମିଳିଥିଲା । କେନ୍ଦ୍ରରେ ୟୁପିଏ ସରକାର ସମୟରେ ଓଡ଼ିଶାକୁ ମାତ୍ର ୮୩୮କୋଟି ଟଙ୍କା ରେଳବାଇ କ୍ଷେତ୍ର ପାଇଁ ମିଳୁଥିଲା। କିନ୍ତୁ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ଫୋକସ ରହିଛି।
ଯେଉଁଥିପାଇଁ ଓଡ଼ିଶାର ରେଳବାଇ କ୍ଷେତ୍ରରେ ଏବେ ୭୮ହଜାର କୋଟି ଟଙ୍କାର ନିବେଶ ହୋଇଛି । ସବୁଠୁ ବଡ଼କଥା ହେଲା ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ ୨୦ହଜାର କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦି ଅନୁମୋଦନ କରିଛନ୍ତି ।
ଅମୃତ ଭାରତ ଯୋଜନାରେ ଓଡ଼ିଶାର ୫୯ଟି ନୂଆ ରେଳଷ୍ଟେସନ କାର୍ଯ୍ୟ ଜାରି ରହିଛି । ଏବେ ରାଜ୍ୟରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲିଥିବାବେଳେ ଖୁବଶୀଘ୍ର ଆଉ ନୂଆ ଟ୍ରେନ ଚାଲିବ । ଓଡ଼ିଶାରେ ରେଳବାଇର ୧୦୦ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହୋଇଛି।
ବିଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାରେ ୨୦୪୬କିମିର ନୂଆ ରେଳବାଇଲାଇନ୍ ନିର୍ମାଣ ହୋଇଛି । ଯାହାକି ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳଲାଇନଠାରୁ ଅଧିକ । ଆଗାମୀ ୬ବର୍ଷ ମଧ୍ୟରେ ଯାତ୍ରୀ ସୁରକ୍ଷା ନିମନ୍ତେ ‘କବଚ’ ସୁରକ୍ଷା ଇନଷ୍ଟେଲେସନ୍ କାର୍ଯ୍ୟ ଶେଷ ହେବ । ୨୦୨୪ ଜୁଲାଇରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଓଡ଼ିଶାରେ ୧୮୮୮ କିମି ରେଳଲାଇନ୍‌ରେ କବଚ ଇନଷ୍ଟେଲେସନ୍ ଚାଲିଛି । ଚଳିତବର୍ଷ ବଜେଟରେ ୧ଲକ୍ଷ ୫୪ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁର୪ା ନିମନ୍ତେ ବ୍ୟୟବରାଦ ହୋଇଛି । ୨୩୪ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ୨୦୨୫-୨୬ କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ରର ବିକାଶ ପାଇଁ କେଉଁବାବଦରେ କେତେ ବ୍ୟୟବରାଦ ହୋଇଛି ତା’ର ବିସ୍ତୃତ ତଥ୍ୟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31