Indus Valley Times

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

 Breaking News

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

December 10
19:11 2024

ଭୁବନେଶ୍ୱର,୧୦/୧୨: ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର କାର‌୍ୟ୍ୟାଳୟର କନିଷ୍ଠ କିରାଣି (ଜୁନିୟର୍ କ୍ଲର୍କ) ଦେବଯାନୀ କରଙ୍କୁ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଜଣେ ଆଇନଜୀବୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର କନିଷ୍ଠ କିରାଣି (ଜୁନିୟର୍ କ୍ଲର୍କ) ଦେବଯାନୀ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ।
ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏପରିକି ଭିଜିଲାନ୍ସ ପକ୍ଷରୁ ଦେବଯାନୀଙ୍କ ଭୁବନେଶ୍ୱର ଓଲ୍‌ଡ ଟାଉନସ୍ଥିତ ବାସଭବନ ଓ ସବ୍ ରେଜିଷ୍ଟ୍ରାର ଅଫିସରେ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ବେଳେ ଅଫିସରୁ ୧୫ ଲକ୍ଷ ୮ହଜାର ୫୫୦ ନଗଦ ଟଙ୍କା ଠାବ ହୋଇଥିଲା। ସବ୍ ରେଜିଷ୍ଟ୍ରାର୍ ଅଫିସରୁ ଏତେ ପରିମାଣର ଟଙ୍କା ଠାବ ହେବାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏନେଇ କର୍ମଚାରୀମାନଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଟଙ୍କାର ଉତ୍ସ ଖୋଜିବାରେ ସହଯୋଗ କରିବାକୁ କଟକସ୍ଥିତ ନିବନ୍ଧକ ମହାନିରୀକ୍ଷକ (ଆଇଜିଆର୍‌)ଙ୍କ କାର‌୍ୟ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଡକାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଇଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ପୈତୃକ ଜମିର ଅଂଶ (ସବ୍ ପ୍ଲଟ୍‌) ବିକ୍ରି ସମ୍ପର୍କିତ କାଗଜପତ୍ର (ଆର୍‌ଏସ୍‌ଡି) କରିବାକୁ ସବ୍ ରେଜିଷ୍ଟ୍ରାର୍ ଅଫିସରେ ଆବେଦନ କରିଥିଲେ। ଏହି କାମ ପାଇଁ ଜମି ମାଲିକଙ୍କ ବ୍ୟକ୍ତିଗତ ଓକିଲଙ୍କୁ ଦେବଯାନୀ ଲାଞ୍ଚ ମାଗି ଥିଲେ। ଲାଞ୍ଚ ଟଙ୍କା ନ ଦେଲେ କାମ ଆଗେଇବ ନାହିଁ ବୋଲି ଦେବଯାନୀ ରୋକଠୋକ୍ ଶୁଣାଇ ଦେଇଥିଲେ।
ଏନେଇ ଆଇନଜୀବୀ ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ଏନେଇ ଏକ ମାମଲା(ନଂ.୨୬/୨୦୨୪) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏଥିସହ ଦେବଯାନୀଙ୍କୁ ଧରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ସୋମବାର ଅପରାହ୍ନରେ ଅଭିଯୋଗକାରୀଙ୍କଠୁ ଦେବଜାନୀ ଅଫିସରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଅତର୍କିତ ଚଢ଼ାଉ କରି ତାଙ୍କୁ କାବୁ କରିଥିଲେ। ତେବେ ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ପଞ୍ଜୀକୃତ ସମ୍ପର୍କିତ ଷ୍ଟାମ୍ପ୍ ଡ୍ୟୁଟି ଆଦିର ଟଙ୍କା ୩ ଦିନ ଭିତରେ ଜମା କରିବାର ପ୍ରାବଧାନ ରହିଛି। ଠାବ ହୋଇଥିବା ଟଙ୍କା ବେଆଇନ ନା ଏଥିରେ କିଛି ସରକାରୀ ଟଙ୍କା ରହିଛି ସେନେଇ ଅଧିକ ତଦନ୍ତ ଚାଲିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930