Indus Valley Times

ସହିପାରିଲେନି ଶାଶୂଘର ନିର୍ଯାତନା! ଆତ୍ମହତ୍ୟା କରିଦେଲେ ନବବଧୂ

 Breaking News

ସହିପାରିଲେନି ଶାଶୂଘର ନିର୍ଯାତନା! ଆତ୍ମହତ୍ୟା କରିଦେଲେ ନବବଧୂ

ସହିପାରିଲେନି ଶାଶୂଘର ନିର୍ଯାତନା! ଆତ୍ମହତ୍ୟା କରିଦେଲେ ନବବଧୂ
August 07
16:55 2022

ଭୁବନେଶ୍ୱର, ୭/୮: ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା’ ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। କିନ୍ତୁ ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇ ନଥିଲା। କେବଳ ତାଙ୍କ ଦାନ୍ତରେ ସମସ୍ୟା ଥିଲା, ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା।
ଏହା ଜାଣିବା ସତ୍ତ୍ୱେ ଶାଶୁ ଘର ଲୋକେ ଆଉ ଧରାଛୁଆଁ ଦେଇ ନଥିଲେ। ଓଲଟି ମଧ୍ୟସ୍ଥିକୁ ଡାକି ବୋହୂକୁ ସେମାନେ ଆଉ ଘରକୁ ଆଣିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ଏ କଥା ନବବଧୂ ଜାଣିବା ପରେ ଭାଇର ଭଡ଼ା ଘରେ ବେକରେ ରଶି ଲଗାଇ ହାରିଦେଲେ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।
ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପାରମିତା ସ୍ୱାଇଁ। ତାଙ୍କ ଘର କଟକ ଜିଲ୍ଲା ନିଆଳି ଥାନା ଲୁଣିଗାଁରେ। ତାଙ୍କ ବଡ଼ ଭାଇ ପ୍ରିୟବତ ସ୍ୱାଇଁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ଗତ ଜୁନ୍ ୮ ତାରିଖରେ ପ୍ରଜ୍ଞାଙ୍କର ବାହାଘର ହୋଇଥିଲା।
ଭୁବନେଶ୍ୱରର ପଟିଆରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବିବାହ ବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ବିବାହର ମାତ୍ର ୧୨ ଦିନ ଭିତରେ ପ୍ରଜ୍ଞାଙ୍କୁ କ୍ୟାନସର ହୋଇଛି ବୋଲି କହି ତାଙ୍କ ଶାଶୁ ଓ ନଣଦ ନିର‌୍ୟାତନା ଦେଇଥିଲେ।
ଏହା ସହିତ ତାଙ୍କ ଶାଶୁ ଆମକୁ ଫୋନ୍ କରି ତୁମ ଝିଅକୁ ତୁମେ ନେଇ ଯାଅ ବୋଲି କହିଥିଲେ। ଆମ ଭଉଣୀଙ୍କୁ ସେମାନେ ରୋଗୀଣା ବୋଲି କହିଥିଲେ। ଆମେ ଅନ୍ୟ କୌଣସି ଉପାୟ ନପାଇ ଜୁନ୍ ୨୦ ତାରିଖ ଦିନ ପ୍ରଜ୍ଞାଙ୍କୁ ଶାଶୁ ଘରୁ ରସୁଲଗଡ଼ ସ୍ଥିତ ଆମ ଭଡ଼ାଘରକୁ ନେଇ ଆସିଥିଲୁ।
ଏହା ପରେ ଆମେ ପ୍ରଜ୍ଞାଙ୍କୁ ସମ୍ ହସ୍ପିଟାଲ୍ ନେଇ ଦନ୍ତ ବିଭାଗରେ ଦେଖାଇଥିଲୁ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି କ୍ୟାନସର ହୋଇନାହିଁ ବୋଲି କହିଲେ।
କେବଳ ଦାନ୍ତ କ୍ଷୟ ଘଟୁଛି ବୋଲି କହିବା ସହିତ ଏକ ଛୋଟ ସର୍ଜରୀ କରିଥିଲେ। ତା’ପରେ ପ୍ରଜ୍ଞା ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ୟା ମଧ୍ୟରେ ପ୍ରଜ୍ଞାଙ୍କ ଠାରୁ ତାଙ୍କ ଶାଶୁ ଘର ଲୋକେ ଦୂରତା ବଢ଼ାଇ ଦେଇଥିଲେ। ସେମାନେ ପ୍ରଜ୍ଞାଙ୍କ ଫୋନ୍ ଉଠାଉ ନଥିଲେ। ଏମିତିକି ତାଙ୍କ ନମ୍ବରକୁ ବ୍ଲକ୍ ଲିଷ୍ଟରେ ପକାଇ ଦେଇଥିଲେ। ଏଥିଯୋଗୁ ପ୍ରଜ୍ଞା ମାନସିକ ଚାପରେ ଥିଲେ।
କିଛି ଦିନ ତଳେ ପ୍ରଜ୍ଞାଙ୍କ ଶାଶୁ ଘର ଲୋକେ ବାହାଘର ପାଇଁ ମଧ୍ୟସ୍ଥି ସାଜିଥିବା ସୁକାନ୍ତ ସେଠୀଙ୍କୁ ସେମାନଙ୍କ ପଟିଆ ସ୍ଥିତ ଘରକୁ ଡକାଇଥିଲେ। ସେମାନେ ଆଉ ପ୍ରଜ୍ଞାକୁ ଗ୍ରହଣ କରିବେ ନାହିଁ ବୋଲି ତାଙ୍କୁ କହିଥିଲେ।
ଏହି ଖବର ପାଇବା ପରେ ପ୍ରଜ୍ଞା ବିଷାଦଗ୍ରସ୍ତ ହୋଇଥିଲେ। ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେଥିପାଇଁ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଶାଶୁ ଘର ଲୋକମାନେ ହିଁ ଦାୟୀ ବୋଲି ପ୍ରିୟବତ ସ୍ୱାଇଁ ତାଙ୍କ ଏତଲାରେ ଦର୍ଶାଇଛନ୍ତି।
ପ୍ରିୟବତ କହିଛନ୍ତି, ବାହାଘର ପରେ ଭଉଣୀର ଦାନ୍ତ ବିନ୍ଧିବାରୁ ତାଙ୍କ ସ୍ୱାମୀ ତାଙ୍କୁ କେଉଁ ଡାକ୍ତର ବା ଫାର୍ମାସିଷ୍ଟ ପାଖକୁ ନେଇ ଯାଇଥିଲେ। ସେ କହି ଦେଇଥିଲେ ଯେ ମୋ ଭଉଣୀର କ୍ୟାନସର ହୋଇଛି।
ଏହା ପରେ ତାଙ୍କୁ ଶାଶୁ ଘର ଲୋକେ ଆମ ଘରକୁ ପଠାଇ ଦେଇଥିଲେ। ପ୍ରଜ୍ଞା ତାଙ୍କ ସ୍ୱାମୀଙ୍କୁ ଫୋନ୍ରେ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ମେସେଜ୍ ପଠାଇଥିଲେ। କିନ୍ତୁ ଜ୍ୱାଇଁ କିଛି ଉତ୍ତର ଦେଉ ନଥିଲେ। ଗତ କିଛି ଦିନ ତଳେ ତାଙ୍କ ଶାଶୁ ଘର ଲୋକେ ମଧ୍ୟସ୍ଥ ମାଧ୍ୟମରେ ଆମକୁ ଖବର ଦେଇଥିଲେ ଯେ ପ୍ରଜ୍ଞାକୁ ସେମାନେ ଆଉ ଗ୍ରହଣ କରିବେ ନାହିଁ।
ଗତକାଲି ସକାଳ ୧୦ଟାରେ ଭାଇ ପ୍ରିୟବତ ସ୍ୱାଇଁ ଅଫିସ୍ ପଳାଇବା ପରେ ଭାଉଜଙ୍କ ଠାରୁ ଚାବି ନେଇ ଉପର ଘରକୁ ଯାଇ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ ପ୍ରଜ୍ଞା। ତାଙ୍କ ମୃତ୍ୟୁ ଖବର ପାଇବା ସତ୍ତ୍ୱେ ତାଙ୍କୁ ଦେଖିବାକୁ ତାଙ୍କ ଶାଶୁ ଘର ଲୋକେ ଆସି ନଥିଲେ। ଏମିତିକି ତାଙ୍କ ସ୍ୱାମୀ ମଧ୍ୟ ଆସି ନଥିଲେ।
ଆଜି ଖବର ଲେଖାଯିବା ପର‌୍ୟ୍ୟନ୍ତ ପ୍ରଜ୍ଞାଙ୍କ ଶବ ସତ୍କାର ହୋଇନାହିଁ। ପ୍ରଜ୍ଞାଙ୍କ ବାପ ଘର ଲୋକେ ଚାହୁଁଛନ୍ତି ତାଙ୍କ ଶାଶୁ ଘର ଲୋକେ ଶବ ନେଇ ବିଧି ମୁତାବକ ସତ୍କାର କରନ୍ତୁ। ସେମାନେ ଏବେବି ଆଶା ରଖିଛନ୍ତି ତାଙ୍କ ଶାଶୁ ଘରୁ କେହି ନା କେହି ଆସି ଶବକୁ ନେଇ ସତ୍କାର କରିବେ।
ପ୍ରଜ୍ଞାଙ୍କ ସାନ ଭାଇ କହିଛନ୍ତି, ଜଣେ ବିବାହିତା ନାରୀର ଶବ ସତ୍କାର ଯେମିତି ହେବା କଥା ଆମ ଭଉଣୀର ବି ସେମିତି ହେଉ ବୋଲି ଆମେ ଚାହୁଁଛୁ। ବଞ୍ଚିଥିଲା ବେଳେ ଶାଶୁ ଘର ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ। ଆମେ ଆଶା କରୁଛୁ ତା’ ମୃତଦେହକୁ ସେମାନେ ଗ୍ରହଣ କରିବେ ଓ ବିଧି ମୁତାବକ ତା’ର କ୍ରିୟାକର୍ମ କରିବେ।
ସେ ଆହୁରି କହିଛନ୍ତି, ପ୍ରଜ୍ଞାଙ୍କ ଶାଶୁ ଘର ଲୋକଙ୍କ ମନରେ କ’ଣ ଚାଲିଥିଲା ଆମେ ଜାଣିନୁ। ସେମାନେ ଆହୁରି ଯୌତୁକ ଚାହୁଁଥିଲେ ବୋଧେ। ଆମେ ସେମାନଙ୍କ ଆଶା ମୁତାବକ ଯୌତୁକ ଦେଇ ପାରିଲୁନି ବୋଲି ସେମାନେ ହୁଏତ ଏମିତି କରିଥିବେ। ଆମେ ଚାହୁଁଛୁ ଆମ ଭଉଣୀଙ୍କୁ ନ୍ୟାୟ ମିଳୁ ଓ ଦୋଷୀ ଦଣ୍ଡ ପାଉ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031