Indus Valley Times

୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

 Breaking News

୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

June 10
17:15 2025

ବରଗଡ଼ , ୧୦/୬ : ପ୍ରାୟ ପ୍ରତ୍ୟେକ ଦିନ ଲାଞ୍ଚ ନେଇ ଅବା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ କର୍ମଚାରୀ। ସେମାନଙ୍କ ମଧ୍ୟରେ ବଡ଼ ବଡ଼ ଅଧିକାରୀ ବି ଅଛନ୍ତି। ତଥାପି ଭୟ ନାହିଁ। ଲାଞ୍ଚୁଆ କର୍ମଚାରୀ ଓ ଅଧିକାରୀ ଲାଞ୍ଚ ନେବାରୁ ବିରତ ହେଉ ନାହାନ୍ତି। ଲାଞ୍ଚ ନେଇ ଆଜି ଜଣେ ମହିଳା ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି। ସେ ଜଣେ କନିଷ୍ଠ ଯନ୍ତ୍ରୀ। ଆଶ୍ଚର‌୍ୟ୍ୟର କଥା, ମାତ୍ର ଦେଢ଼ ବର୍ଷ ତଳେ ସରକାରୀ ଚାକିରିରେ ସେ ଯୋଗ ଦେଇଛନ୍ତି। ତଥାପି ତାଙ୍କର ଭିଜିଲାନ୍ସ ହାତରେ ଧରାପଡ଼ି ହନ୍ତସନ୍ତ ହେବାର ବା ସମ୍ମାନ ହରାଇବାର ଭୟ ନଥିଲା।
ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ମହିଳା କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ନାଁ ସୁସ୍ମିତା ଓରାମ। ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକରେ ସେ ନିଯୁକ୍ତ ହୋଇଛନ୍ତି। ଜଣେ ଠିକାଦାର ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏକ ରାସ୍ତାର ଉନ୍ନତିକରଣ କାର‌୍ୟ୍ୟ କରିଥିଲେ। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୯ ଲକ୍ଷ ୫୦ ହଜାର ଟଙ୍କା ଥିଲା। ସେଥିରୁ ଠିକାଦାର ଆଉ ୩.୧୫ ଲକ୍ଷ ଟଙ୍କା ପାଇ ନଥିଲେ। ସେତିକି ବିଲ୍ ପାସ୍ କରି ଦେବା ପାଇଁ ୧୦% ପିସି ମାଗିଥିଲେ ଜେଇ ସୁସ୍ମିତା ଓରାମ। ବକେୟ ବିଲ୍ ପାସ୍ କରି ଦେବା ପାଇଁ ସେ ଠିକାଦାରଙ୍କୁ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କିଛି ଦିନ ତଳେ ଠିକାଦାର ତାଙ୍କୁ ୨୪ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଆଉ ୮ ହଜାର ଟଙ୍କା ନଦେଲେ ବିଲ୍ ପାସ୍ ହୋଇପାରିବ ନାହିଁ ବୋଲି ଜେଇ ସୁସ୍ମିତା ଓରାମ ତାଙ୍କୁ କହିଥିଲେ। ଏହା ପରେ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଠିକାଦାର। ଜେଇ ତାଙ୍କୁ ଲାଞ୍ଚ ମାଗିବା ସହିତ ହଇରାଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ଜେଇଙ୍କ ବିରୋଧରେ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତାଙ୍କୁ ‘ରଙ୍ଗେ ହାତ୍‌’ ଧରିବା ପାଇଁ ଜାଲ ବିଛାଇଥିଲା। ଯୋଜନା ପ୍ରକାରେ ଠିକାଦାର ଜଣଙ୍କ ଆଜି ଜେଇଙ୍କୁ ଭେଟି ବାକି ୮ହଜାର ଟଙ୍କା ଦେଇଥିଲେ। ଜେଇ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଜେଇ ସୁସ୍ମିତା ଓରାମ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହି ଘଟଣା ନେଇ ସମ୍ବଲପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
ସୁସ୍ମିତା ଓରାମଙ୍କ ସରକାରୀ ଚାକିରି ଜୀବନ ଆରମ୍ଭ ହୋଇଥିଲା ୨୦୨୪ ଜାନୁଆରୀ ୧୦ ତାରିଖରୁ। ସେହିଦିନ ସେ ବରଗଡ଼ ଡିଆରଡିଏରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ତା’ପରେ ୨୦୨୪ ଜାନୁଆରୀ ୨୯ ତାରିଖରେ ସେ ଗାଇସିଲଟ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31