Indus Valley Times

ଅତିରିକ୍ତ ତହସିଲଦାର ନିଯୁକ୍ତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

 Breaking News

ଅତିରିକ୍ତ ତହସିଲଦାର ନିଯୁକ୍ତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

July 23
18:11 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୩/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ୧୧ନମ୍ବର ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତ ଜନପ୍ରତିନିଧି ମାନେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ମୁତାବକ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତର ଜନସାଧାରଣ ଅତି ଦୁର୍ଗମ ଅଞ୍ଚଳ ତଥା ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାର ସୀମାନ୍ତ ବର୍ଗ ଅଞ୍ଚଳ ଭାବେ ପରିଚିତ ବ୍ରାହ୍ମଣୀଗାଁ ସମେତ ସରାମୂଳି, ଗଦାପୁର, ତାଜୁଙ୍ଗିଆ, ହାତୀମୁଣ୍ଡା, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ, କାଟିଙ୍ଗିଆ ପଞ୍ଚାୟତ ଓ ଏହାର ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୪୦ ରୁ ୭୦ କିମି ଦୂରରେ ରହିଛି। ମିଞ୍ଜାପଙ୍କା, ସାଲବା, ରାମ୍ବୁଲି, ହରଗୁଡ଼ା ଆଦି ଗ୍ରାମରୁ ଅତ୍ୟାବଶ୍ୟକୀୟ କାର‌୍ୟ୍ୟ ପାଇଁ ବ୍ଲକ୍ କିମ୍ବା ତହସିଲ କାର୍ଯ୍ୟାଳୟକୁ ଯାଇ ଫେରିବା ପାଇଁ ୧ରୁ ୨ ଦିନ ଲାଗିଥାଏ। ଯାହାଦ୍ୱାରା ଲୋକଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ପୀଡ଼ା ଭୋଗିବାକୁ ପଡ଼ିଥାଏ।
ଲୋକସଂଖ୍ୟା ଦୃଷ୍ଟିରୁ ଏହି ୮ଟି ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଦିନ ମଜୁରିଆ ଭାବେ କାମ କରନ୍ତି। ବ୍ଲକ କାର୍ଯ୍ୟାଳୟ ଠାରୁ ଅନେକ ଗ୍ରାମ ଅପହଞ୍ଚ ଇଲାକାରେ ରହୁଥିବାରୁ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ପହଞ୍ଚିପାରୁ ନଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଜନସାଧାରଣ।
ବିଶେଷ କରି ପିଲାଙ୍କ ଭବିଷ୍ୟତ ପାଠପଢା ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣ ପତ୍ର, ଜମି ବନ୍ଦୋବସ୍ତ, ଜମି ଚିହ୍ନଟ ଆଦି କାର୍ଯ୍ୟ ପାଇଁ ବାରମ୍ବାର ଦାରିଙ୍ଗବାଡ଼ି ତହସିଲ ଅଫିସକୁ ଯାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୦୭ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ୨୦୧୦ ମସିହାରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ବର୍ମା ଜଣେ ଅତିରିକ୍ତ ତହସିଲଦାର ପ୍ରତାପ ପ୍ରଧାନଙ୍କୁ ବ୍ରାହ୍ମଣୀଗାଁ ରେ ନିଯୁକ୍ତ କରିଥିଲେ। କିନ୍ତୁ କିଛି ମାସ କାର୍ଯ୍ୟ କରିବା ପରେ ତାଙ୍କର ବଦଳି ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନଟି ଖାଲି ପଡିଛି।
ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା : ବରକୁ ଉଠାଇ ନେଲା ପୋଲିସ
କନ୍ଧମାଳ, ୨୩/୭: ବାହାଘର ସରିଥିଲା। ବର ଘରକୁ କନିଆ ଆସି ସାରିଥିଲା। ବିଧି ମୁତାବକ ଘରେ ସବୁ କାର୍ଯ୍ୟ ଚାଲିବା ସହ ଭୋଜିର ଆୟୋଜନ ହୋଇଥିଲା। ଗ୍ରାମବାସୀ, ବନ୍ଧୁ ବାନ୍ଧବ ଏବଂ ଝିଅ ଘର ଲୋକେ ଭୋଜିରେ ମଧ୍ୟ ସାମିଲ ହୋଇଥିଲେ। ଖାଇପିଇ ସାରିବା ପରେ ଖୁସିର ମାହୋଲରେ ହଠାତ୍ ବରକୁ ଉଠାଇ ନେଇଗଲା ପୋଲିସ।
ଜଣେ ଝିଅକୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ସୋମବାର ବରକୁ କୋର୍ଟ ଚାଲାଣ କରାଯାଇଛି। ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ବାରିକୁମ୍ପା ଅଞ୍ଚଳରେ।
ପ୍ରକାଶ ଯେ, ବାରିକୁମ୍ପା ଗ୍ରାମର ସୌରଭ ପ୍ରଧାନଙ୍କ ସହ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ୨୦୧୧ରୁ ଦେଖା ସାକ୍ଷାତ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ବିବାହର ନିଷ୍ପତ୍ତି ନେଇ କଟକର ଏକ ମନ୍ଦିରରେ ଲୁଚି ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିଚ୍ଛେଦ ହୋଇଥିଲା।
ଗତ ୧୪ ତାରିଖରେ ସୌରଭ ଗଞ୍ଜାମ ଅଞ୍ଚଳର ଜଣେ ଝିଅକୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ନିଜ ବାସଭବନରେ ରବିବାର ରାତିରେ ଭୋଜନର ଆୟୋଜନ କରିଥିଲେ।
ଏହି ସମୟରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ପ୍ରେମ କରୁଥିବା ଯୁବତୀ ଜଣକ ଏ ନେଇ ଖଜୁରିପଡ଼ା ଥାନାରେ ଏତଲା ଦେଇଥିଲେ। ଏ ନେଇ ନଂ.୧୧୩/୨୪ରେ ମାମଲା ରୁଜୁ ହୋଇଛି। ସୌରଭଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି ।
ଅନାସ୍ଥା ଭୋଟରେ ପଦବୀ ହରାଇଲେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା
କନ୍ଧମାଳ, ୨୩/୭: ଦୀର୍ଘ ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟିଛି। ମଙ୍ଗଳବାର ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ ପରାଜିତ ହୋଇଛନ୍ତି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି। ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ମତଦାନରେ ଅଂଶଗ୍ରହଣ କରିଥିଲେ।
୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇ ଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଥିଲା। ବିଜେପିର ଦୁଇ କାଉନସିଲର ଆଜିର ବୈଠକରେ ଅନୁପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ସ୍ମିତାରାଣୀ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ପୌରାଧ୍ୟକ୍ଷା ହୋଇଥିଲେ।
ବର୍ତ୍ତମାନ ଫୁଲବାଣୀ ପୌର ପରିଷଦରେ ବିଜେଡିର ୭ ଜଣ କାଉନସିଲର ଥିବା ବେଳେ ବିଜେପିର ୪ ଜଣ ଅଛନ୍ତି। ଦୁଇ ସ୍ବାଧୀନ କାଉନସିଲର ବିଜେଡିକୁ ସମର୍ଥନ ଦେଉଛନ୍ତି। ଗତ ଏପ୍ରିଲ ୧୦ ତାରିଖରେ ବିଜେଡିର ୭, ବିଜେପିର ଦୁଇ ଓ ଦୁଇ ସ୍ବାଧୀନ କାଉନସିଲରଙ୍କୁ ମିଶାଇ ସମୁଦାୟ ୧୧ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ।
ଏ ନେଇ ବୈଠକ ପୂର୍ବରୁ ଦୁଇ ଥର ବିଭିନ୍ନ କାରଣରୁ ବାତିଲ ହୋଇ ଶେଷରେ ଆଜି ଅନାସ୍ଥା ଉପରେ ଆଲୋଚନା ସହ ମତଦାନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ ବୈଠକ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31