Indus Valley Times

ଅପରାଧ ନିୟନ୍ତ୍ରଣ କରିବାରେ ଫେଲ୍ : ୯ ମାସରେ ୧୭ ହତ୍ୟା, ୫୦ ଦୁଷ୍କର୍ମ

 Breaking News

ଅପରାଧ ନିୟନ୍ତ୍ରଣ କରିବାରେ ଫେଲ୍ : ୯ ମାସରେ ୧୭ ହତ୍ୟା, ୫୦ ଦୁଷ୍କର୍ମ

ଅପରାଧ ନିୟନ୍ତ୍ରଣ କରିବାରେ ଫେଲ୍ : ୯ ମାସରେ ୧୭ ହତ୍ୟା, ୫୦ ଦୁଷ୍କର୍ମ
April 02
18:07 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୪ : ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୁଲିସ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି। ତଥାପି ଏହାକୁ ତାଳ ଦେଇ ଜିଲ୍ଲାରେ ଅପରାଧ ମଧ୍ୟ ବଢ଼ି ଚାଲିଛି। ବିଶେଷ କରି ନାରୀ ନିର୍ଯ୍ୟାତନା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବୃଦ୍ଧି ପାଇବା‌ରେ ଲାଗିଲାଣି।
ଏହିପରି ଅପରାଧକୁ ନିୟନ୍ତ୍ରଣକୁ ଆଣିବାରେ ଜିଲ୍ଲା ପୁଲିସ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଗତ ୯ ମାସର ଅପରାଧିକ ଗ୍ରାଫ୍ ଏହା ବୟାନ କରୁଛି। ଏହି ସମୟ ଭିତରେ ନୟାଗଡ଼ ଜିଲ୍ଲାରେ ୧୭ଟି ହତ୍ୟାକାଣ୍ଡ ଘଟିଛି।
ଅର୍ଥାତ ପ୍ରତି ମାସରେ ହାରାହାରି ୨ ଜଣ ହତ୍ୟାର ଶିକାର ହେଉଥିଲା ବେଳେ ୫୦ଟି ଦୁଷ୍କର୍ମ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି।
ସରକାରୀ ତଥ୍ୟ ମୁତାବକ, ଗତ ଜୁନ୍ ପହିଲାରୁ ଚଳିତ ଫେବ୍ରୁଆରି ୨୮ ତାରିଖ ଭିତରେ ନୟାଗଡ଼ ଜିଲ୍ଲାରେ ୧୭ଟି ହତ୍ୟାକାଣ୍ଡ ଘଟିଛି। ଏଥିରେ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଥିଲା ବେଳେ ସାମାନ୍ୟ କାରଣ ପାଇଁ କିଛି ହତ୍ୟାର ଶିକାର ହୋଇଛନ୍ତି।
ଏହି ସମୟ ମଧ୍ୟରେ ବାଣୀଗୋଛାରେ ସମ୍ପତ୍ତି ପାଇଁ ମହିଳାଙ୍କ ଗଳାକାଟି ହତ୍ୟା ମାମଲା ହେଉ ଅବା ଫ‌ତେଗଡ଼ ଥାନା ଅଧୀନ ଧାନଚାଙ୍ଗଡ଼ା ଗାଁରେ ଦୁଇ ନାବାଳକଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଜେଜେ ମା’ ଓ ବାପା ଜେଲ୍ ଯିବା ଘଟଣା ବେଶ୍ ଚର୍ଚ୍ଚାରେ ରହିଥିଲା। ସେହିପରି ଏହି ୯ ମାସ ଭିତରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୫୦ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।
ଏହାସହ ୩ଟି ଗଣ ଦୁଷ୍କର୍ମ ମାମଲା ଜିଲ୍ଲାକୁ ବଦନାମ କରିଛି। ସେଥିମଧ୍ୟରୁ ଫତେଗଡ଼ ଥାନା ଅଧୀନ ନିକଟସ୍ଥ ଏକ ଜଙ୍ଗଲରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ତାଙ୍କ ସାମ୍ନାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା।
ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ଉଦ୍‌ବେଗର ବିଷୟ, ଏହି ୯ ମାସରେ ୨୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି।
ଏହି ହିସାବ ଅନୁସାରେ ନୟାଗଡ଼ ଜିଲ୍ଲ‌ାରେ ପ୍ରତି ମାସରେ ହାରାହାରି ୬ ଜଣଙ୍କ ସହ ଦୁଷ୍କର୍ମ ହେଉଛି। କେବଳ ସେତିକି ନୁହେଁ, ଏ ଭିତରେ ନାରୀ ନିର୍ଯ୍ୟାତନା ବି ବୃଦ୍ଧି ପାଇଛି। ଗତ ୯ ମାସ ଭିତରେ ୩ ଜଣ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି।
ଯୌତୁକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ୧୦୨ ଜଣ ମହିଳାଙ୍କୁ ଯୌତୁକ ନିର‌୍ୟାତନା ଓ ଅନ୍ୟ କାରଣ ପାଇଁ ୪୫ ଜଣ ମହିଳା ନିର୍ଯ୍ୟାତନାର ଶୀକାର ହୋଇଥିବା ଜଣାପଡ଼ିଛି। ଫଳରେ ନୟାଗଡ଼ ଜିଲ୍ଲାରେ ମହିଳା ଅସୁରକ୍ଷିତ ଥିବା ଏହି ତଥ୍ୟ ପ୍ରମାଣିତ କରୁଛି।
ଏଣୁ ଏ ଦିଗରେ ଜିଲ୍ଲା ପୁଲିସ ଆହୁରି ସୁଦୃଢ଼ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31