Indus Valley Times

ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ:ଟାଉନ ଆଥଲେଟିକ ଆସୋସିଏସନ, ବୁଟୁପାଲି ଦଳ ବିଜୟୀ

 Breaking News

ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ:ଟାଉନ ଆଥଲେଟିକ ଆସୋସିଏସନ, ବୁଟୁପାଲି ଦଳ ବିଜୟୀ

ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ:ଟାଉନ ଆଥଲେଟିକ ଆସୋସିଏସନ, ବୁଟୁପାଲି ଦଳ ବିଜୟୀ
August 26
10:13 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୮: ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ କଚେରୀ ପଡିଆ ଠାରେ ଏନଏସି ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନି ମ୍ୟାଚ ଯୋଗୀନ୍ଦ୍ର ଦେବ ହାଇସ୍କୁଲ ଓ ବୁଟୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ବୁଟୁପାଲି ଦଳ ୨-୦ ଗୋଲରେ ବିଜୟ ଲାଭ କରିଥିଲେ । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ସମ୍ମାନିତ ଅତିଥି ଭାବରେ ଏନଏସି ଉପାଧ୍ୟକ୍ଷା ସୁବାସିନୀ ସେଠୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ
ଦ୍ୱିତୀୟ ମ୍ୟାଚ ଟାଉନ ଆଥଲେଟିକ ଆସୋସିଏସନ ଓ ଜୟ ଭୈରବୀ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଟାଉନ ଆଥଲେଟିକ ଆସୋସିଏସନ ୪-୦ ଗୋଲରେ ବିଜୟ ଲାଭ କରିଥିଲେ । ଦ୍ୱିତୀୟ ମ୍ୟାଚର ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ବରିଷ୍ଠ କ୍ରିଡାବିତ ନରେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।
ମ୍ୟାଚକୁ ରେଫରୀ ପ୍ରମୋଦ ବେହେରା,ବିକ୍ରମ ନାୟକ,ସମୀର ପ୍ରଧାନ, ମନରଂଜନ ମାହାଣା ପରିଚାଳନା କରିଥିବା ବେଳେ ଚତୁର୍ଥ ରେଫରୀ ଭାବରେ ରାଜ ପ୍ରତାପ ବେହେରା ଦାୟୀତ୍ୱ ତୁଲାଇ ଥିଲେ ।
ଟୁର୍ଣ୍ଣାମେଣ୍ଟକୁ ରଂଜିତ କୁମାର ରାଉତ, ବଦ୍ରି ନାରାୟଣ ମିଶ୍ର,ପ୍ରଫୁଲ୍ଲ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଗେହ୍ଲାମାଁ କ୍ଲବ,ବୁଟୁପାଲି, ଯୋଗୀନ୍ଦ୍ର ଦେବ ହାଇସ୍କୁଲ,ଜବାହାର ନବୋଦୟ,ସରକାରୀ ଆଇଟିଆଇ, ଆଇଆରବି, ଜୟ ବୈରବୀ କ୍ଲବ, ବିପି କଲେଜ,ଗୋଲଡେନ କ୍ଲବ ବପୁଜୀନଗର,ଟାଉନ ଆଥଲେଟିକ ଆସୋସିଏସନ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତା ୬ ତାରିଖ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ ।
ଖୁଦ୍ର ଜଳସେଚନର ନିର୍ମାଣାଧିନ ଚେକଡ୍ୟାମକୁ ଗ୍ରାମବାସୀଙ୍କ ବିରୋଧ
1ବୌଦ୍ଧ; ୨୬/୮: ଜିଲ୍ଲାର ହରଭଙ୍ଗାବ୍ଲକ ସରସରା ପଞ୍ଚାୟତ ଅନ୍ତର୍ଗତ ସାନ ବାଗବର ନିକଟରେ ଥିବା ରାମଜାଙ୍ଗୀ ନାଳ ଉପରେ ନିର୍ମାଣାଧିନ ଚେକଡ୍ୟାମ କାହା ଉଦ୍ଦେଶ୍ୟରେ ବୋଲି ଗ୍ରାମବାସୀ ଏହି କାର୍ଯ୍ୟକୁ ବିରୋଧ କରିଛନ୍ତି । ପ୍ରକାଶ ଥାଉକି ସାନ ବାଗବର ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ଚେକଡ୍ୟାମ ପ୍ରାୟ ୮୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି । ଜୈନିକ ଠିକାଦାରଙ୍କ ମନମରକ୍ଷକ୍ଷକ୍ଟ କାର୍ଯ୍ୟଯୋଗୁଁ ଏହି ନିର୍ମାଣ ଚେକଡ୍ୟାମ ଅଳ୍ପଦିନ ଭିତରେ ଭାଙ୍ଗିଯିବ ଯାହା ବ୍ୟୟଅର୍ଥ ପାଣିରେ ଭାସିଯିବ । ଏହି ଡ୍ୟାମ ନିର୍ମାଣ ପାଇଁ ଗ୍ରାମର ଡ୍ରେନକୁ ପୋତି ଦିଆ ଯାଇଛି । ଏହି ଡ୍ୟାମ ନିକଟକୁ ଯିବାପାଇଁ ଚଲାପଥ ନାହିଁ । ଏହି ଡ୍ୟାମର ପାଣି ଗ୍ରାମର କୌଣସି ବିଲକୁ ପାଣି ଯୋଗାଣ ହୋଇ ପାରିବ ନାହିଁ ତେଣୁ ଏହି ଡ୍ୟାମ ନିର୍ମାଣ କେବଳ ଠିକାଦାର ପୋଷଣ ପାଇଁ ବୋଲି ଗ୍ରାମବାସୀ ଏହି ନିର୍ମାଣକୁ ବିରୋଧ କରୁଛନ୍ତି । ତେଣୁ ଗ୍ରାମବାସୀଙ୍କ ସହମତିରେ ଏହି ନିର୍ମାଣ କାର୍ଯ୍ୟ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।
ଭିଜିଲାନ୍ସ ଜାଲରେ ପଡିଥିବା ପୂର୍ବତନ ହରଭଙ୍ଗା ଥାନା ଅଧିକାରୀ ନିଳମ୍ବିତ
ବୌଦ୍ଧ,୨୬/୮: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପୂର୍ବତନ ଅଧିକାରୀ ପୁଷ୍ପଲତା ରାଉତରାୟ ଗତ ୨୦.୭.୨୦୨୩ ଦିନ ଜଣେ ବାଲି ଘାଟ ଠିକାଦାରଙ୍କୁ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ ହୋଇଥିଲେ । ଏହି ଘଟଣାରେ ତାଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ବ୍ରହ୍ମପୁର ଆଇଜି ପୁଲିସଙ୍କ କାର୍ଯ୍ୟାଳୟ ଅଧିନକୁ ତାଙ୍କୁ ପଠାଇଦିଆଯାଇଛି । ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ କଟକ ପକ୍ଷରୁ ଆଦେଶ ନମ୍ବର ୧୩୫୮ ରେ ଏହି ନିର୍ଦ୍ଦେଶନାମା ଦିଆଯାଇଥିବା ଜଣାଯାଇଛି ।
ବୌଦ୍ଧ ଜିଲ୍ଲା ଯୋଗାଣ ସହାୟକ ସଂଘର ପକ୍ଷରୁ ସାମୁହିକ ଛୁଟି: ଦାବି ହାସଲ ନହେଲେ୨୮ରୁ ଭୂବନେଶ୍ୱରରେ ଧାରଣା
ବୌଦ୍ଧ,୨୬/୮: ବୌଦ୍ଧ ଜିଲ୍ଲା ଯୋଗାଣ ସହାୟକ ସଂଘ ପକ୍ଷରୁ ସାମୁହିକ ଛୁଟି ଯିବାକୁ ନିଷ୍ପତି ନିଆଯାଇ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରା ଯିବା ସହିତ ସମସ୍ତ ବିଡିଓଙ୍କୁ ମଧ୍ୟ ପ୍ରଦାନ କରା ଯାଇଛି । ସେମାନଙ୍କର ଛଅ ଦଫା ଦାବିନେଇ ଯୋଗାଣ ସହାୟକ ସଂଘ ମୁଖ୍ୟମନ୍ତ୍ରୀ ଓ ଶାସନ ସଚିବଙ୍କୁ ଗତ ୨୧ ତାରିଖରେ ଜଣାଇ ଥିଲେ । ହେଲେ ସରକାର କିଛି କାର୍ଯ୍ୟକାରୀ କରୁ ନାହାନ୍ତି । ତେଣୁ ଆଗାମୀ ୩ ଦିନ ମଧ୍ୟରେ ଯଦି କିଛି ନ ହୁଏ ତାହାହେଲେ ସାମୁହିକ ଛୁଟିରେ ଯିବା ସହ ଆସନ୍ତା ୨୮ ତାରିଖରୁ ଭୂବନେଶ୍ୱର ଠାରେ ଧାରଣାରେ ସାମିଲ ହେବେ ବୋଲି ପତ୍ରରେ ଅଭିଯୋଗ କରିଛନ୍ତି ।
ଦାବି ଗୁଡିକ ହେଲା ଯୋଗାଣ ସହାୟକଙ୍କ ଚାକିରି ସ୍ଥାୟୀ କରାଯାଉ, ମାସିକ ଦରମା ୨୫ ହଜାର ପ୍ରଦାନ, ପିଡିଏସ ଲାଇସେନ୍ସ ଯୋଗାଣ ସହାୟକଙ୍କ ନାମରେ ଦିଆଯାଉ,କାର୍ଯ୍ୟରତ ଯୋଗାଣ ସହାୟକ ଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଉ ଓ ତାଙ୍କ ପରିବାର ବର୍ଗର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ, ଯୋଗଣ ସହାୟକଙ୍କୁ ପଂଚାୟତରାଜ ବିଭାଗରୁ ନିବୃତ କରାଯାଇ ଯୋଗାଣ ବିଭାଗରେ ଅନ୍ତଭୂକ୍ତ କରାଯାଉ ଓ ପଦବିକୁ ଆସିଷ୍ଟାଣ୍ଡ ସପ୍ଲାଇ ଇନିସପେକ୍ଟରରେ ନାମିତ କରାଯାଉ । ପରିଚାଳନା ପ୍ରୋତ୍ସାହନ ରାଶି ଯୋଗାଣ ସହାୟକଙ୍କୁ ପ୍ରଦାନ କରାଯାଉ, ମାସିକ ପିଡିଏସ ବଣ୍ଟନରେ ଦୁଇ ପ୍ରତିଶତ ନିଅଣ୍ଟକୁ ଭରଣ କରାଯାଉ ବୋଲି ଦାବୀ କରିଛିନ୍ତି ।
ସଂଘର ଜିଲ୍ଲା ସଭାପତି କୃପାସିନ୍ଧୁ ପ୍ରଧାନ, ଉପସଭାପତି ନୀଳମାଧବ ପ୍ରଧାନ, ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ,କୋଷାଧକ୍ଷ୍ୟ ସୌମ୍ୟରଂଜନ ଦାସ, କଣ୍ଟାମାଳବ୍ଲକ ସଂପାଦକ ସୁରଥ ଦ୍ୱାରୀ,ହରଭଙ୍ଗା ବ୍ଲକ ସଭାପତି ପ୍ରିୟରଂଜନ ବିଶି,ସଂପାଦକ ସୁଶାନ୍ତ ପ୍ରଧାନ, ବୌଦ୍ଧ ବ୍ଲକ ସଭାପତି ସୁବ୍ରତ ରଣା, ସଂପାଦକ ମନୋଜ ମେହେର ପ୍ରମୁଖ ସାମିଲ ଥିଲେ ।
ବୌଦ୍ଧଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ
ବୌଦ୍ଧ,୨୬/୮: ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପଂଚାୟତ ଓ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବା ସହିତ ଏକ ଦାବିପତ୍ର ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ।
ଏନେଇ ଦଳର ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ପଂଚାୟତର ଦାୟୀତ୍ୱ ବଣ୍ଟନ କରାଯାଇଛି । ପଂଚାୟତମାନଙ୍କରେ ହେଉଥିବା ଦୁର୍ନିତି,ଭ୍ରଷ୍ଟାଚାର , ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଓ ସ୍ୱଚ୍ଛ ଭାରତ ଅଭିଯାନରେ ଦୁର୍ନିତି, ମନରେଗା କାମରେ ଦୁର୍ନିତି, ଭତା ବଣ୍ଟନରେ ଅନିୟମିତତା ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିନୀରେ ଜିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ଜିଲ୍ଲା ସାଧାରଣ ସଂପାଦକ ତାପସ ପଟ୍ଟନାୟକ, ସୁଶାନ୍ତ ବାଘ, କଣ୍ଟାମାଳ ବିଧାନସଭା ପ୍ରଭାରୀ ପ୍ରେମାନନ୍ଦ ମିଶ୍ର, ନିରଂଜନ ଦାନୀ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାକୁ ମିଳିବ ସମ୍ମାନଜନକ ସ୍କଚ ଆୱାର୍ଡ, ନୂଆଦିଲ୍ଲୀରେ ସମ୍ମାନ ଗ୍ରହଣ କରିବେ ଜିଲ୍ଲାପାଳ
ବୌଦ୍ଧ,୨୬/୮: ବୌଦ୍ଧଜିଲ୍ଲା କୁ ମିଳିବ ସମ୍ମାନଜନକ ସ୍କଚ ଆୱାର୍ଡ । ନୂଆଦିଲ୍ଲୀରେ ଆସନ୍ତାକାଲି ଏହି ସମ୍ମାନ ଗ୍ରହଣ କରିବେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଏବଂ ଜିଲ୍ଲା ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକ ବିନାୟକ ପୃଷ୍ଟି ନୂଆଦିଲ୍ଲୀ ରେ ଏହି ସମ୍ମାନ ଗ୍ରହଣ କରିବା ପାଇଁ ଆଜି ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ଆସନ୍ତାକାଲି ୨୦୨୩ ମସିହା ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ ।
ବୌଦ୍ଧ ଜିଲ୍ଲା ରେ ହସ୍ତତନ୍ତ ଉନ୍ନୟନ କାଯ୍ୟକ୍ରମରେ ଉତ୍କର୍ଷ କାମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ରେ ସରକାରୀ ଭାବେ ୩୧୭୨ ବୁଣାକାର ପରିବାର ଓ ୮୬୭୧ ଜଣ ବୁଣାକାର ରହୁଛନ୍ତି । ବୌଦ୍ଧ ଜିଲ୍ଲାର ପାଟଲୁଗା, ମଠା ଲୁଗା, ମନମୁଣ୍ଡିଆ ଗାମୁଛା, ମର୍ଜାକୁଦିଆ ଗାମୁଛା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି ।
ବୌଦ୍ଧ ଜିଲ୍ଲା ବୁଣାକାର ମାନଙ୍କ କାରୁକାରୁ କାର୍ଯ୍ୟ ପୂର୍ଣ୍ଣ ପାଟ ଓ ମଠା ଲୁଗା , ହାତବୁଣା ଲୁଗାର ଭରପୁର ଚାହିଦା ରହିଛି । ବୌଦ୍ଧ ବୁଣାକାରମାନଙ୍କ ଉନ୍ନତି ଓ ଉତ୍ପାଦିତ ବସ୍ତ୍ରର ବିକ୍ରୟ ସୁବିଧା ପାଇଁ ବୃହତ ବୁଣାକାର ବଜ଼ାର ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇ ପରିଚାଳନା କରାଯାଉଛି । ଏହି ଖବର ଜଣାପଡିବା ପରେ ପ୍ରଶାସନିକ ମହଲ ଓ ସାଧାରଣ ରେ ଆନନ୍ଦ ପ୍ରକାଶ ପାଇଛି ।
ରାଜ୍ୟମୁକ୍ତ ବିଦ୍ୟାଳୟରେ ନାମ ଲେଖା ପାଇଁ ଜିଲ୍ଲା ସ୍ତରୀୟ ମେଗା କ୍ୟାମ୍ପ
ବୌଦ୍ଧ;୨୫/୮: ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଂଗ୍ରାମପୁର ଠାରେ ଆଜି ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖା ପାଇଁ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ମେଗା କ୍ୟାମ୍ପ ରେ ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା, କଣ୍ଟାମାଳ, ତିନୋଟି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସି. ଆର୍. ସିସି ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁର୍ ଯୋଗ ଦେଇ ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ବିଷୟରେ ବୁଝାଇ ଥିଲେ । ଯେଉଁମାନଙ୍କର ବୟସ ୧୬ ବର୍ଷ ରୁ ୧୮ ବର୍ଷ ବୟସ ହେଉଛି ସେହି ଛାତ୍ର ଛାତ୍ରୀ ମାନେ ଦଶମ ପାସ କରି ପାରିନାହାଁନ୍ତି ।
ସେହି ଛାତ୍ର ଛାତ୍ରୀ ମାନେ ରାଜ୍ୟ ସରକାର ଙ୍କ ଦ୍ଵାରା ମାଗଣାରେ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡ଼ମିଶନ କରି ପାଠ ପଢି ପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଥିଲେ । କଣ୍ଟାମାଳ ବ୍ଲକ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀ, ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଉପସ୍ଥିତ ଥିଲେ ।
ଏହିଭଳି ବିଦ୍ୟାଳୟର କର୍ମଚାରୀ ଉଗ୍ରସେନ ବେହେରା, ପ୍ରକାଶ ସାହୁ, ବସନ୍ତ ପ୍ରଧାନ, ସରୋଜ ପ୍ରଧାନ, ସଦାନନ୍ଦ ପ୍ରଧାନ, କ୍ରୀଡା ଶିକ୍ଷକ ନୟନ କୁମାର ମହାନ୍ତି, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ଦେହୁରୀ, ପ୍ରସନ୍ନ ପ୍ରଧାନ, ନାରାୟଣ ଡ଼ାଙ୍ଗ ପ୍ରତାପ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭରତ ମେହେର ଧନ୍ୟବାଦ ଦେଇଥିଲେ ।

  1. ↩︎

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031