Legatus

ଓଷ୍ଟା ବୌଦ୍ଧଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

 Breaking News

ଓଷ୍ଟା ବୌଦ୍ଧଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ଓଷ୍ଟା ବୌଦ୍ଧଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ
April 26
10:28 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୪ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ବୌଦ୍ଧଜିଲ୍ଲା ସାମ୍ବିଧାନିକ ସମ୍ମିଳନୀ ସୋମବାର ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି ।
ବୌଦ୍ଧଜିଲ୍ଲା ଓଷ୍ଟା ସଭାପତି ନିରୋଦ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଓ ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ,ସୁବର୍ଣ୍ଣପୁର ଓଷ୍ଟା ସଂପାଦକ ସୁଶୀଳ କୁମାର ବିଶି,ବଲାଙ୍ଗୀର ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାରାକାନ୍ତ ମିଶ୍ର,ବୌଦ୍ଧ ଜିଲ୍ଲା ପ୍ରଭାରୀ ରମାକାନ୍ତ ,ଓଷ୍ଟା ଜିଲ୍ଲା ସଂପାଦକ ପିତବାସ ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୃପ୍ତିରଂଜନ ଦାନୀ ପ୍ରମୁଖ ଯୋଗଦେଇ ସେମାନଙ୍କର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ ।
ମଞ୍ଚାସୀନ ଅତିଥିମାନେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ସଂପାଦକ ଶ୍ରୀ ପଣ୍ଡା ବୌଦ୍ଧ ଜିଲ୍ଳା ଓ୍ମୃାର ବିବରଣୀ ପାଠ କରିବାପରେ ସଭାରେ ଶିକ୍ଷକ ଓ ଶକ୍ଷା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ସଭାରେ ଶୈକ୍ଷିକ,ସହଶିକ୍ଷା ଅନୁଦାନ ଗତ ପାର୍ଥକ୍ୟ,ପୂରାତନ ପେନସନ,ସଂରକ୍ଷଣ ଓ ପ୍ରଚଳନ ଭଳି ପ୍ରମୁଖ ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ହରଭଙ୍ଗା ବ୍ଳକ ସଂପାଦକ ମୃତ୍ୟୁଂଜୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଦ୍ୱିତିୟ ଅଧିବେଶନରେ ଓଷ୍ଟା ବୌଦ୍ଧଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରକ୍ରିୟା ସଂପାଦିତ ହୋଇଥିଲା । ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ସର୍ବସମ୍ମତିକ୍ରମେ ପିତବାସ ପଣ୍ଡାଙ୍କୁ ସଭାପତି,ନବ କିଶୋର ଦୀପଙ୍କୁ କାର୍ଯ୍ୟକାରୀ ସଭାପତି,ମନୋରଂଜନ ପ୍ରଧାନ,ବାଂଛାନିଧି ସାହୁ ଓ ସେବତୀ ଭାରତୀଙ୍କୁ ଉପସଭାପତି,ତୃପ୍ତିରଂଜନ ଦାନୀ ସାଧାରଣ ସଂପାଦକ ,ଲାଲବାହାଦୁର ମିଶ୍ର,ତପନ ନାୟକ,ପଦ୍ମିନୀ ସାହୁଙ୍କୁ ଯୁଗ୍ମ ସଂପାଦକ,ବୃହଷ୍ପତି କାଲସେ,ନାରାୟଣ ମେହେର,ମୁରଲିଧର ରଣା ଓ ବିଭୁତିଭୂଷଣ ମହାକୁଳଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ମନୋନୀତ କରାଯାଇଥିଲା ।
ଓଷ୍ଟା ରାଜ୍ୟ ସଭାପତି ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ପଦ ଓ ଗୋପନୀୟତା ଶପଥପାଠ କରାଇଥିଲେ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀପାଣିଗ୍ରାହୀଙ୍କୁ ସମ୍ମାନସୂଚକ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଶେଷରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।
ପୁଲିସ ପକ୍ଷରୁ ଚଢାଉ ୨୮୦ କିଲୋ ଗଂଜେଇ ଜବତ ଅଭିଯୁକ୍ତ ଫେରାର
ବୌଦ୍ଧ,୨୬/୪ : ବୌଦ୍ଧଥାନା ଗୋଚ୍ଛାପଡା ଗ୍ରାମ ଛକ ନିକଟରୁ ପୁଲିସ ଚଢାଉ କରି ୨୮୦ କିଲୋ ଗଂଜେଇ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛି ।
ଫେରାର ଅଭିଯୁକ୍ତ ଜଣକ ହେଲା ଗୋଚ୍ଛାପଡା ଗ୍ରାମର ଅରବିନ୍ଦ ବାଘ(୩୫) ବୋଲି ଜଣାପଡିଛି । ସୂଚନା ମତେ, ଗୋଚ୍ଛାପଡା ଗ୍ରାମ ନିକଟରେ ଜଣେ ବ୍ୟକ୍ତି ଗଂଜେଇ ଚାଲାଣ ପାଇଁ ଗାଡିକୁ ଅପେକ୍ଷା କରିଥିବା ବେଳେ ବୌଦ୍ଧ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ପୁଲିସର ଏକ ଟିମ ଚଢାଉ କରିଥିଲା । ପୁଲିସକୁ ଦେଖି ବ୍ୟକ୍ତି ଜଣକ ଗଂଜେଇ ଛାଡି ସେଠାରୁ ଫେରାର ହୋଇଯାଇଥିଲା । ପୁଲିସ ଘଟଣାସ୍ଥଳରୁ ୭ଟି ଜରିବସ୍ତା ରେ ଥିବା ଗଂଜେଇ ସବୁକୁ ଜବତ କରିଥିଲା । ଜବତ ଗଂଜେଇକୁ ଓଜନ କରିବାରୁ ତାହା ୨୮୦ କିଲୋ ଓଜନ ହୋଇଥିଲା ।
ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୨୬/୪ : ତାଲୁକା ଆଇନ ସେବା କମିଟି ହରଭଙ୍ଗା ପକ୍ଷରୁ ଚାରିଛକ ସ୍ଥିତ କୋର୍ଟ ପରିସରରେ ସୋମବାର ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଛି । ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନ ସେବା କମିଟି ଅଧ୍ୟକ୍ଷ ଶୁଭଙ୍କର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଇନର ବିଭିନ୍ନ ଦିଗ ଉପରେ ସଚେତନତା କରାଯାଇଥିଲା ।
ସିଆରପିସି ଧାରାରେ ଥିବା ଏଫଆଇଆର, ସମନ, ୱାରେଣ୍ଟ , ଅପିଲ, ଓ ବେଲ ଆଦି ଉପରେ ସଚେତନତା କରାଯାଇଥିଲା । ଶିବିରରେ ଓକିଲ ସଂଘର ସଭାପତି ଅକ୍ଷୟ କୁମାର ସାହୁ, ସମ୍ପାଦକ ରଂଜିତ କୁମାର ପ୍ରଧାନ, ସମସ୍ତ ଆଇନଜୀବୀ, କୋର୍ଟ କର୍ମଚାରୀ ସଂଜିବ କୁମାର ବାଗ, ସୁମନ୍ତ ପ୍ରଧାନ , ପ୍ରବିଣ ସାହୁ, ରମାକାନ୍ତ ମିର୍ଦ୍ଧା , ତୁମ୍ବନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଫାଇନାନ୍ସ କମ୍ପାନୀର ଅର୍ଥ ନେଇ ଅଧିକାରୀ ଚମ୍ପଟ
ବୌଦ୍ଧ,୨୬/୪ : ବୌଦ୍ଧ ସହରର ବୁଟୁପାଲିଠାରେ ଖୋଲିଥିବା ଭିକ୍ଟର ଫାଇନାନ୍ସ କମ୍ପାନୀର ଜଣେ ଅଧିକାରୀ ଗ୍ରାହାକମାନଙ୍କଠାରୁ ଆଦାୟ ହୋଇଥିବା କମ୍ପାନୀର ଅର୍ଥ ନେଇ ଚମ୍ପଟ ମାରିଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି ।
ଖବରରୁ ଜଣାଯାଏଯେ କମ୍ପାନୀର ବୁଟୁପାଲିର ଅଚ୍ୟୁତାନନ୍ଦ ପଲିଆଙ୍କ ଘରେ ଭଡା ନେଇ କାର୍ଯ୍ୟ କରୁଥିବା ଭିକ୍ଟର ଫାଇନାନ୍ସ କମ୍ପାନୀରେ ଗ୍ରାହାକ ସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବାଉୁଁଶୁଣୀ ଥାନା ଅନ୍ତର୍ଗତ ଛେଲିବାହାଲ ଗ୍ରାମର ରାଜେଶ କୁମାର ଲୁହା ବିଭିନ୍ନ ଗ୍ରାହାକମାନଙ୍କ ଠାରୁ ଆଦାୟ ହୋଇଥିବା ୨୧୭୩୭୫ ଟଙ୍କା ନେଇ ଫେରାର ହୋଇଯାଇଥିବା ନେଇ କମ୍ପାନୀର ପୋର୍ଟଫୋଲିଓ ମେନେଜର (ବୌଦ୍ଧଶାଖା) ଶମ୍ଭୁ ପ୍ରସାଦ ସେଠୀ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ବୌଦ୍ଧଥାନା କେସ ନମ୍ବର ୧୮୫/୨୩ ରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31