Indus Valley Times

ଓଡ଼ିଶା ପୁଲିସଙ୍କୁ ଘାରୁଛି କରୋନା ଡର, ସର୍ବାଧିକ ୬୮୨୯ ଜଣ ପୁଲିସ୍ ସଂକ୍ରମିତ, ୩୩ ମୃତ

 Breaking News

ଓଡ଼ିଶା ପୁଲିସଙ୍କୁ ଘାରୁଛି କରୋନା ଡର, ସର୍ବାଧିକ ୬୮୨୯ ଜଣ ପୁଲିସ୍ ସଂକ୍ରମିତ, ୩୩ ମୃତ

October 08
20:35 2020

ଭୁବନେଶ୍ୱର,୮ ।୧୦: କୋଭିଡ ଯୋଦ୍ଧାଙ୍କ ପାଇଁ ଚିନ୍ତା ବଢ଼ାଉଛି କରୋନା ମହାମାରୀ । ରାଜ୍ୟରେ କୋଭିଡ ନିୟନ୍ତ୍ରଣ କାର‌୍ୟ୍ୟରେ ନିଯୋଜିତ ଥିବା ପୁଲିସ୍ କର୍ମଚାରୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଓଡ଼ିଶାରେ ମୋଟ ୬୬ଜଣ ସରକାରୀ କର୍ମଚାରୀ କରୋନାରେ ପ୍ରାଣ ହରାଇଥିବାବେଳେ ସେଥିରୁ ସର୍ବାଧିକ ଅଛନ୍ତି ଓଡ଼ିଶା ପୁଲିସ୍‌ର ୩୩ଜଣ ସଦସ୍ୟ ।
ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୬୮୨୯ଜଣ ପୁଲିସ୍ କର୍ମଚାରୀ(ସବୁ ବର୍ଗର) କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ଦ୍ୱିତୀୟ ଶ୍ରେଣୀ, ୨୬ଜଣ ତୃତୀୟ ଓ ଜଣେ ଚତୁର୍ଥ ଶ୍ରେଣୀ ପୁଲିସ୍ କର୍ମଚାରୀ ଅଛନ୍ତି । ଓଡ଼ିଶା ପୁଲିସ୍ ଜୁଲାଇ ୧୧ ତାରିଖରେ ଗଞ୍ଜାମରେ ନିୟୋଜିତ ଗୋଲକ ନାୟକ(କନେଷ୍ଟବଳ)ଙ୍କୁ ପ୍ରଥମ ସଦସ୍ୟ ଭାବେ କରୋନାରେ ହରାଇଥିଲା ।
ସବୁଠାରୁ ଦୁର୍ଭାଗ୍ୟ ଜନକ କଥା ହେଲା କରୋନାରେ ପ୍ରାଣ ହରାଇଥିବା ଏହି କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁରୂପ ୫୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏପଯ୍ୟନ୍ତ ମିଳିନାହିଁ ।
ଏପ୍ରିଲ ୨୦ତାରିଖରେ ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ରାଜ୍ୟର ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଶହୀଦର ମାନ୍ୟତା ସହ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ।
ପୁଲିସ୍ ଡିଜି ଅଭୟ ମଧ୍ୟ ପରବର୍ତ୍ତୀ ସମୟରେ ଏକ ବୈଠକ କରି କରୋନାରେ ପ୍ରାଣ ହରାଉଥିବା କୋଭିଡ୍ ଯୋଦ୍ଧା(ପୁଲିସ କର୍ମଚାରୀ)ଙ୍କ ଉତ୍ତରାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁରୂପ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ତା’ଛଡ଼ା ଅର୍ଥ ବିଭାଗ ମଧ୍ୟ ଏକ ସଂକଳ୍ପ ମାଧ୍ୟମରେ ମୃତ କର୍ମଚାରୀ ପାଉଥିବା ଦରମାକୁ ତାଙ୍କ ଚାକିରି ଅବଧିର ଶେଷ ପର‌୍ୟ୍ୟପ୍ତ ତଥା ସ୍ୱତନ୍ତ୍ର ପରିବାର ପେନସନ୍ ଦେବା ନିମନ୍ତେ ନିଷ୍ପତ୍ତି ନେଇଥିଲେ।
କିନ୍ତୁ ରାଜ୍ୟ ସରକାର କୋଭିଡରେ ମୃତ ପୁଲିସ୍ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ୫୦ଲକ୍ଷ ଟଙ୍କାର ସହାୟତା ଏପ୍ରିଲ ୨୨ତାରିଖରେ ରାଜସ୍ୱ ଓ ବିପର‌୍ୟ୍ୟୟ ପ୍ରଶମନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ପ୍ରଦାନ ନକରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ବୀମା ଯୋଜନାରୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତାକୁ ଅପେକ୍ଷା କରି ରହିଛନ୍ତି।
ସେପଟେ କରୋନାରେ ପ୍ରାଣ ହରାଇଥିବା ସରକାରୀ କର୍ମଚାରୀମାନଙ୍କ ପରିବାରକୁ ତୁରନ୍ତ ସହାୟତା ଜରୁରୀ ହୋଇ ପଡ଼ିଥିବାବେଳେ କେନ୍ଦ୍ର ସରକାରଙ୍କଠୁ ବୀମା କ୍ଷତିପୂରଣ ମିଳିବାକୁ ନେଇ ଅପେକ୍ଷା କରିବା ଏବେ ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାର ପାଇଁ କଷ୍ଟ ଦାୟକ ହୋଇପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031