Indus Valley Times

କୃଷି ଆଇନ ପ୍ରତ୍ୟାହାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କେନ୍ଦ୍ରର ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ କହିଲେ ନବୀନ

 Breaking News

କୃଷି ଆଇନ ପ୍ରତ୍ୟାହାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କେନ୍ଦ୍ରର ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ କହିଲେ ନବୀନ

କୃଷି ଆଇନ ପ୍ରତ୍ୟାହାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କେନ୍ଦ୍ରର ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ କହିଲେ ନବୀନ
November 19
13:06 2021

ଭୁବନେଶ୍ୱର, ୧୯/୧୧: ତିନି ନୂଆ କୃଷି ଆଇନକୁ ଉଚ୍ଛେଦ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ନିଜର ଟୁଇଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଦେଶର ଏବଂ ଏହାର କୃଷକଙ୍କ ହିତ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆପଣମାନଙ୍କର ଚାଷଜମି ଏବଂ ପରିବାର ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ଏବଂ ସେମାନେ ଆପଣଙ୍କୁ ସ୍ୱାଗତ କରି ଖୁସି ହେବେ। ବିଜେଡି ସର୍ବଦା କୃଷକମାନଙ୍କ ସହିତ ଠିଆ ହେବା ଜାରି ରଖିଛି।
ତିନି ବିବାଦୀୟ କୃଷି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ବୋଲି ଆଜି ସକାଳ ୯ଟା ବେଳେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।
କ୍ଷମା ମାଗିବା ସହ ପ୍ରଧାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
କୃଷକମାନଙ୍କୁ ନିବେଦନ କରି ସେ କହିଛନ୍ତି, ଆଜି ଗୁରୁ ପୂରବ। କୃଷକମାନଙ୍କୁ ଅନୁରୋଧ କରୁଛୁ ଦୟାକରି ନିଜନିଜର ଘରପରିବାରକୁ ଫେରି ଯାଆନ୍ତୁ।
ପ୍ରଧାନମନ୍ତ୍ରୀ କହିଲେ, ସତ୍ୟ ଓ ଅନାବିଳ ହୃଦୟରେ ମୁଁ ଭାରତବାସୀଙ୍କୁ କ୍ଷମା ମାଗୁଛି କୃଷକମାନଙ୍କୁ ବୁଝାଇବାରେ ଆମେ ଅସମର୍ଥ ହୋଇଛୁ। ତିନି କୃଷି ଆଇନ ଉଚ୍ଛେଦ କରିବା ଲାଗି ମୁଁ ଘୋଷଣା କରୁଛି। ଏ ସଂକ୍ରାନ୍ତ ସମସ୍ତ ଔପଚାରିକତା ଚଳିତ ମାସ ଅଧିବେଶନରେ ଆମେ ଶେଷ କରିବୁ। ଦେଶବାସୀ ମୋତେ ପ୍ରଧାନମନ୍ତ୍ରୀ କରିବା ସମୟରୁ ମୁଁ ‘କୃଷି ବିକାଶ’ ଉପରେ ସବୁଠୁ ଅଧିକ ଗୁରୁତ୍ବ ଦେଇଥିଲି।
ମୁଁ ଯାହା କରିଥିଲି, କୃଷକମାନଙ୍କ ପାଇଁ ହିଁ କରିଥିଲି। ଯାହା ମୁଁ କରୁଛି ଦେଶ ପାଇଁ କରୁଛି। ଆପଣମାନଙ୍କ ଆଶୀର୍ବାଦରୁ ମୋର କଠିନ ପରିଶ୍ରମରୁ କୌଣସି ପ୍ରସଙ୍ଗ ବାଦ ଦେଇନାହିଁ। ଆଜି ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି ଯେ, ମୁଁ ଆହୁରି କଠୋର ପରିଶ୍ରମ କରୁଛି, ଫଳତଃ ଆପଣମାନଙ୍କର ସ୍ବପ୍ନ ଏବଂ ଦେଶର ସ୍ୱପ୍ନ ସାକାର ହୋଇ ପାରିବ।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ସଂସଦରେ ତିନି କୃଷି ଆଇନ ଅନୁମୋଦିତ ହୋଇଥିଲା। ଏହାର ଉଚ୍ଛେଦ ଦାବି କରି ପ୍ରାୟ ଏକ ବର୍ଷ ହେବ ହଜାର ହଜାର କୃଷକ ଦିଲ୍ଲୀ ସୀମାନ୍ତରେ ଡେରା ପକାଇ ପ୍ରତିବାଦ ଚଳାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031