Indus Valley Times

ଖୋରଧା ଜିଲ୍ଲାରେ ବିଏଲ୍‌ଓଙ୍କ ଘରକୁ ଘର ଯାଞ୍ଚ; ଅକ୍ଟୋବର ୩୧ ସୁଦ୍ଧା ନାମ ସାମିଲ ପ୍ରକ୍ରିୟା

 Breaking News

ଖୋରଧା ଜିଲ୍ଲାରେ ବିଏଲ୍‌ଓଙ୍କ ଘରକୁ ଘର ଯାଞ୍ଚ; ଅକ୍ଟୋବର ୩୧ ସୁଦ୍ଧା ନାମ ସାମିଲ ପ୍ରକ୍ରିୟା

ଖୋରଧା ଜିଲ୍ଲାରେ ବିଏଲ୍‌ଓଙ୍କ ଘରକୁ ଘର ଯାଞ୍ଚ; ଅକ୍ଟୋବର ୩୧ ସୁଦ୍ଧା ନାମ ସାମିଲ ପ୍ରକ୍ରିୟା
October 05
10:09 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୫/୧୦: ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ସମାପ୍ତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ପ୍ରଥମଥର ପାଇଁ ଭୋଟର ହେବାକୁ ଯାଉଥିବା ଯୁବବର୍ଗଙ୍କୁ ତାଲିକାରେ ସାମିଲ କରିବା ଲାଗି ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ଓଡ଼ିଶାରେ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାର୍ଯ୍ୟାୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।
ଏହି ଅଭିଯାନ ଅନ୍ତର୍ଗତ ଯୋଗ୍ୟ ନାଗରିକ ମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ। ଏସ୍‌ଆଇଆର୍ ସମୟରେ କୌଣସି କାରଣରୁ ଜଣେ ଯୋଗ୍ୟ ନାଗରିକଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଥିଲେ, ପୁନର୍ବାର ନାମ ସାମିଲ ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ।
ସେହିପରି ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା-ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ ମଧ୍ୟ ଦାଖଲ କରିବାକୁ ପଡ଼ିବ ନାହିଁ।
ଏ ସମ୍ପର୍କିତ ଅତିରିକ୍ତ ଘୋଷଣାନାମାକୁ ଭାରତ ନିର୍ବାଚନ ଆୟୋଗ ଫର୍ମ-୬ରୁ ହଟାଇ ଦେଇଛନ୍ତି। ଫଳରେ ଏସ୍‌ଆଇଆର୍‌-୨୦୨୬ ପରେ ଭୋଟର ତାଲିକାରେ ନାମ ସାମିଲ କରିବାକୁ ଇଚ୍ଛୁକ ଯୋଗ୍ୟ ନାଗରିକମାନେ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ଅତିରିକ୍ତ ତଥ୍ୟ କିମ୍ବା ଘୋଷଣାନାମା ବିନା ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରିପାରିବେ।
ତେବେ କେବଳ ଫର୍ମ-୬ ଦାଖଲ କରିଦେଲେ ଆବେଦନକାରୀଙ୍କ ନାମ ସ୍ୱତଃସ୍ଫୂର୍ତ୍ତ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ। ନାମ ସାମିଲ ପୂର୍ବରୁ ଆବେଦନକାରୀଙ୍କ ଯୋଗ୍ୟତା ଏବଂ ଆବେଦନରେ ଦିଆଯାଇଥିବା ତଥ୍ୟର ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ।
ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷ ଆବେଦନରେ ଦିଆଯାଇଥିବା ତଥ୍ୟ ଓ ଆବଶ୍ୟକ ଦସ୍ତାବିଜ ଯାଞ୍ଚ କରିବା ପରେ ଆଇନ ଓ ନିର୍ଦ୍ଧାରିତ ନିୟମ ଅନୁଯାୟୀ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବେ। ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ନାହିଁ।
ଏଥିସହ ଫର୍ମ-୬ ମାଧ୍ୟମରେ ନାମ ସାମିଲ କରିବାର ସାଧାରଣ ବ୍ୟବସ୍ଥା ମଧ୍ୟ ଅବ୍ୟାହତ ରହିଛି। ତେଣୁ ବର୍ତ୍ତମାନର ଭୋଟର ତାଲିକାରେ ନାମ ନଥିବା ସମସ୍ତ ଯୋଗ୍ୟ ନାଗରିକ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ଫର୍ମ-୬ ଦାଖଲ କରି ଭୋଟର ଭାବେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ।
ଖୋରଧା ଜିଲ୍ଲାରେ ବୁଥ୍ ଲେଭେଲ୍ ଅଫିସର (ବିଏଲ୍‌ଓ) ମାନେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟର ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ପଞ୍ଜୀକୃତ ହେବାକୁ ଥିବା ଯୁବବର୍ଗଙ୍କ ନିକଟରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ।
ଏସ୍‌ଆଇଆର୍ ପ୍ରକ୍ରିୟା ସମୟରେ ଅନୁପସ୍ଥିତି, ସ୍ଥାନାନ୍ତରଣ, ମୃତ୍ୟୁ ଓ ନକଲି ଭୋଟର ପରିଚୟପତ୍ର ଭଳି କାରଣରୁ ଯେଉଁମାନଙ୍କ ନାମ ଚୂଡ଼ାନ୍ତ ତାଲିକାରୁ ବାଦ ପଡ଼ିଛି, ସେମାନଙ୍କ ନିକଟରେ ବିଏଲ୍‌ଓ ମାନେ ପୁନର୍ବାର ପହଞ୍ଚିବେ। ଆବଶ୍ୟକସ୍ଥଳେ ସେମାନଙ୍କ କାଗଜପତ୍ର ଯାଞ୍ଚ କରି ଭୋଟର ତାଲିକାରେ ନାମ ସାମିଲ କରିବାରେ ସହଯୋଗ କରିବେ।
ଅନ୍ୟପକ୍ଷରେ, ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ବୟସରେ ପଦାର୍ପଣ କରିଥିବା ସମସ୍ତ ଯୋଗ୍ୟ ଯୁବକ-ଯୁବତୀଙ୍କୁ ଫର୍ମ-୬ ମାଧ୍ୟମରେ ଭୋଟର ତାଲିକାରେ ସାମିଲ କରାଯିବ।
ପ୍ରାକ୍‌-ଏସ୍‌ଆଇଆର୍ ଭୋଟର ତାଲିକା ଓ ଚୂଡ଼ାନ୍ତ ଭୋଟର ତାଲିକାର ତୁଳନା କରାଯାଇ ନୂତନ ଏବଂ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ୩୧ ଅକ୍ଟୋବର ୨୦୨୬ ସୁଦ୍ଧା ତାଲିକାରେ ସାମିଲ କରାଯିବ।
ବିଏଲ୍‌ଓ ମାନେ ଏହି ତାଲିକାର ସବିଶେଷ ତଥ୍ୟ ସମ୍ପର୍କରେ ୨ ନଭେମ୍ବର ୨୦୨୬ରେ ବୁଥ୍ ଲେଭେଲ୍ ଏଜେଣ୍ଟ (ବିଏଲ୍‌ଏ) ମାନଙ୍କୁ ଅବଗତ କରାଇବେ। ସେହିପରି ଭୋଟର ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ) ମାନେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ଜଣାଇବେ।
ସଠିକ୍‌, ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା ସହ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ଭାବେ ପଞ୍ଜୀକରଣର ସୁଯୋଗ ଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏଥିପାଇଁ ପ୍ରାପ୍ତ ସମସ୍ତ ଆବେଦନ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଯାଞ୍ଚ କରାଯିବ। ଖୋରଧା ଜିଲ୍ଲାର ସମସ୍ତ ନାଗରିକ, ବୁଥ୍ ଲେଭେଲ୍ ଏଜେଣ୍ଟ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଏହି ସ୍ୱତନ୍ତ୍ର ଅଭିଯାନରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031