Indus Valley Times

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ

 Breaking News

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ

August 23
10:46 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୩/୮: ଜଟଣୀ ,ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ ସୁବିଧାରେ, ସୁରକ୍ଷିତ ଓ ସମ୍ମାନପୂର୍ଣ୍ଣ ଯାତ୍ରା ପାଇଁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଆୟୋଜନ କରାଯାଇଛି।
ଯାତ୍ରୀମାନଙ୍କୁ ସହଜ, ସୁବିଧାଜନକ ଓ ସୁରକ୍ଷିତ ଯାତ୍ରା ପ୍ରଦାନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଶ୍ରୀ ଅନିଲ କୁମାର ଏସ୍ , ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ, ଖୋର୍ଦ୍ଧାରୋଡଙ୍କ ନେତୃତ୍ୱରେ ଏହି ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ କରାଯାଉଛି, ଯେଉଁଥିରେ ବାଣିଜ୍ୟ ଅଧିକାରୀ, ଟିକେଟ୍ ଯାଞ୍ଚକାରୀ (TTEs) ଓ ରେଳ ସୁରକ୍ଷା ବଳ (RPF) କର୍ମଚାରୀ ମାନେ ସକ୍ରିୟ ଭାବେ ଯୋଗ ଦେଇଛନ୍ତି।
ଟିକେଟ୍ ବିହୀନ ଯାତ୍ରୀ ହ୍ରାସ, ଯାତ୍ରୀମାନେ ବର୍ତ୍ତମାନ ସମ୍ମାନ ସହିତ ଯାତ୍ରା କରୁଛନ୍ତି। ଗତ ୫ ଦିନ ଧରି ଖୋର୍ଦ୍ଧାରୋଡ଼-ବ୍ରହ୍ମପୁର ରେଳ ସେକ୍ସନ୍‌ରେ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ କରାଯାଉଛି। ଖଲିକୋଟ, ଗଞ୍ଜାମ, କୁହୁଡି, ଭୂଷଣ୍ଢପୁର, ରମ୍ଭା, ନିରାକରପୁର ଓ ତାପଙ୍ଗ ଷ୍ଟେସନ୍ ଗୁଡ଼ିକରେ ଆୟୋଜିତ କରାଯାଇଥିବା ଟିକେଟ ଯାଞ୍ଚ ଅଭିଯାନରେ ୫୦୦ ଟି ବିନା ଟିକେଟ୍ ଯାତ୍ରାର କେସ୍ ଧରାପଡ଼ିଛି ।
ଯେଉଁଥିରେ ୨ ଲକ୍ଷ ଟଙ୍କା ଜରିମାନା ଟିକେଟ ଚେକିଂ କର୍ମଚାରୀ, ରେଳ ଅଧିକାରୀ ଓ ସୁପରଭାଇଜର ମାନଙ୍କର ତତ୍ତ୍ୱାବଧାନରେ ଆଦାୟ କରାଯାଇଛି। ଏହି ଅଭିଯାନରେ ଦିନ ମଜୁରୀ କରୁଥିବା ଯାତ୍ରୀମାନେ ବର୍ତ୍ତମାନ ବୈଧ ଟିକେଟ୍ କିଣି ଯାତ୍ରା କରୁଛନ୍ତି। ଫଳରେ, ଟିକେଟ୍ ବିହୀନ ଯାତ୍ରାରେ ଲକ୍ଷଣୀୟ ହ୍ରାସ ଘଟିଛି ଓ ସଚେତନତା ବୃଦ୍ଧି ପାଇଛି।
ସମସ୍ତଙ୍କୁ ବୈଧ ଟିକେଟ୍ କିମ୍ବା ଯାତ୍ରା ଅନୁମତି ପତ୍ର ସହିତ ଯାତ୍ରା କରିବା ପାଇଁ ରେଳ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଅଛି,ଯାହାଦ୍ୱାରା ସେମାନେ ସମ୍ମାନର ସହ ଯାତ୍ରା କରିପାରିବେ। କଲେଜ/ସ୍କୁଲର ପ୍ରଧାନ ବିଭାଗୀୟ ମୁଖ୍ୟ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଆହ୍ୱାନ ଯେ ସେମାନେ ଛାତ୍ରଛାତ୍ରୀଙ୍କୁ MST (Monthly Season Ticket) ବା ମାସିକ ସିଜିନ ଟିକେଟ ଓ QST (Quarterly Season Ticket) ବା ତ୍ରୈମାସିକ ସିଜିନ ଟିକେଟ ସୁବିଧା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାନ୍ତୁ।
ଏହି ସୁବିଧା ସ୍ନାତକ ପର‌୍ୟ୍ୟନ୍ତ ଛାତ୍ରୀମାନଙ୍କ ପାଇଁ ଓ ୧୨ ଶ୍ରେଣୀ ପର‌୍ୟ୍ୟନ୍ତ ପୁରୁଷ ଛାତ୍ରମାନଙ୍କ ପାଇଁ ଉପଲବ୍ଧ ଅଟେ କ୍ଷ ଏହି ସୁବିଧା ଠିକ୍ ପ୍ରକ୍ରିୟାରେ ନେଇ, ବିନା ଟିକେଟ୍ ଯାତ୍ରା କରି ଜରିମାନା ଭୋଗିବାରୁ ରକ୍ଷା କରନ୍ତୁ।
ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ନିୟମିତ ଭାବେ ବିଭିନ୍ନ ଷ୍ଟେସନ୍‌ରେ ଏପରି ବିଶେଷ ଯାଞ୍ଚ ଅଭିଯାନ ଚାଲୁ ରଖିବ। ଶ୍ରୀ ଅନିଲ କୁମାର ଏସ୍, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ କହିଛନ୍ତି ଯେ ଏହି ବିଶେଷ ଯାଞ୍ଚ ବୈଧ ଯାତ୍ରୀମାନଙ୍କୁ ସୁବିଧାଜନକ ଓ ସୁରକ୍ଷିତ ଯାତ୍ରା ଦେବାରେ ଉଦେଶ୍ୟ। ଯଥାଯଥ ଟିକେଟ୍/ଅନୁମତି ପତ୍ର ସହିତ ଯାତ୍ରା କରିବାକୁ ସେ ଅନୁରୋଧ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930