ଖୋଲିଲା ହୀରାକୁଦ ଡ୍ୟାମ୍, ବାହାରିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର, ୯/୭ : ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଡ୍ୟାମରୁ ନିଷ୍କାସନ କରାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ପୂଜାପାଠ ପରେ ପାରମ୍ପରିକ ରୀତିନୀତି ମଧ୍ୟରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା।
ପରେ ପର୍ଯ୍ୟାୟକ୍ରମେ ମୋଟ ୪ଟି ଗେଟ୍ (ବାମ ପାର୍ଶ୍ୱରେ ୩ଟି ଓ ଡାହାଣ ପାର୍ଶ୍ୱରେ ୧ଟି) ଖୋଲି ବନ୍ୟାଜଳ ଛାଡ଼ାଯାଇଛି। ପ୍ରଥମ ଦିନ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରିବାକୁ ଜଳସମ୍ପଦ ବିଭାଗ ଯୋଜନା କରିଛି।
ଗତ ଦୁଇ ଦିନ ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ଅପ୍ରତ୍ୟାଶିତ ଭାବେ ପ୍ରାୟ ୯ ଫୁଟ୍ ବୃଦ୍ଧି ପାଇଛି। ଜୁଲାଇ ୬ ତାରିଖ ସକାଳେ ଡ୍ୟାମର ଜଳସ୍ତର ୬୦୩ ଫୁଟ୍ ଥିବାବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ୬୧୨.୯୭ ଫୁଟ୍ରେ ପହଞ୍ଚିଥିଲା। ସେହି ସମୟରେ ଡ୍ୟାମକୁ ସେକେଣ୍ଡ ପ୍ରତି ୨ ଲକ୍ଷ ୪୨ ହଜାର ୯୬୬ ଘନଫୁଟ୍ ଜଳ ପ୍ରବେଶ କରୁଥିଲା।
ଜଳସମ୍ପଦ ବିଭାଗର ସୂଚନା ଅନୁସାରେ, ଉପରମୁଣ୍ଡର କଲମା ବ୍ୟାରେଜର ୬୧ଟି ଫାଟକ ଖୋଲା ରହିଥିବାରୁ ଡ୍ୟାମକୁ ବିପୁଳ ପରିମାଣର ଜଳ ପ୍ରବେଶ କରିଥିଲା।
ତେବେ ଗତ କିଛି ଘଣ୍ଟା ଧରି ଜଳ ପ୍ରବାହ ଧୀରେ ଧୀରେ କମିବା ଆରମ୍ଭ କରିଛି। ବୁଧବାର ମଧ୍ୟାହ୍ନରେ ପ୍ରାୟ ୨ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ମାତ୍ର ୬ ଘଣ୍ଟା ମଧ୍ୟରେ ଏହା ପ୍ରାୟ ୨୦ ହଜାର କ୍ୟୁସେକ୍ ହ୍ରାସ ପାଇଥିବା ଜଣାପଡ଼ିଛି।
ବର୍ତ୍ତମାନ ଉପରମୁଣ୍ଡ ଅଞ୍ଚଳରେ ବର୍ଷାର ପରିମାଣ କମ୍ ଥିବାରୁ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିବା ଜଳସମ୍ପଦ ବିଭାଗ ସ୍ପଷ୍ଟ କରିଛି। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ମହାନଦୀ ତଟବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି।
ଏହାସହ ବୁର୍ଲା, ସମ୍ବଲପୁର ଓ ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ବିଶେଷକରି ମାଛଧରାଳି, ଗାଧୋଇବାକୁ ଯାଉଥିବା ଲୋକ ଓ ପର୍ଯ୍ୟଟକଙ୍କୁ ନଦୀ ମଧ୍ୟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି।
ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।






