Indus Valley Times

ଗଜପତି: ଜଙ୍ଗଲ ସଂରକ୍ଷଣ ନିୟମର ସଂଶୋଧନ ବିରୋଧରେ ବିକ୍ଷୋଭ

 Breaking News

ଗଜପତି: ଜଙ୍ଗଲ ସଂରକ୍ଷଣ ନିୟମର ସଂଶୋଧନ ବିରୋଧରେ ବିକ୍ଷୋଭ

July 19
10:54 2022

ଗଜପତି,୧୯/୭ : ସୋମବାର ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର କାଶୀନଗର ବ୍ଳକ୍ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆଦିବାସୀ ବିରୋଧୀ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମରେ ସଂଶୋଧନକୁ ପ୍ରତ୍ୟାହାର କରିବା ତଥା ବ୍ଳକର ଭୂମିହୀନ ଓ ଗୃହହୀନ ମାନଙ୍କୁ ଜମି ଓ ଘରଡିହ ପଟ୍ଟା ଏବଂ ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଦାବିରେ କାଶୀନଗର ଠାରେ ଏକ ବିଶାଳ ଶୋଭାଯାତ୍ରା ଓ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ବାହ୍ନରେ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ।
ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବା ସହସ୍ରାଧିକ ଆଦିବାସୀ ଓ ପାରମ୍ପରିକ ବନଜୀବି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାରଙ୍କୁ ତିନି ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଏଆଇକେଏମଏସ୍ ଜିଲ୍ଲା ସମ୍ପାଦକ କେଦାର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସଂଗଠନର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାର କର୍ପୋରେଟ ମାନଙ୍କ ସ୍ଵାର୍ଥରେ ଜଙ୍ଗଲ ସଂରକ୍ଷଣ ଆଇନ- ୧୯୮୦ର ନିୟମାବଳୀରେ ଯେଉଁ ସଂଶୋଧନ କରିବା ପାଇଁ ଯାଉଛନ୍ତି , ତାର ଘୋର ନିନ୍ଦା କରିଥିଲେ ।
ଏହି ସଂଶୋଧନ କାର୍ଯ୍ୟକାରୀ ହେଲେ ଦେଶର କୋଡିଏ କୋଟିରୁ ଉର୍ଦ୍ଧ୍ବ ଆଦିବାସୀ ଓ ପାରମ୍ପରିକ ବନଜୀବି ଜଙ୍ଗଲ ଅଧିକାର ଆଇନ – ୨୦୦୬ ଜରିଆରେ ଯେଉଁ ଅଧିକାର ହାସଲ କରିଛନ୍ତି , ତାକୁ ହରାଇବେ ବୋଲି କହିଥିଲେ ।
ଗୋଟିଏ ପଟେ ବିଜେପି ଓ ବିଜେଡି , ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରି ନିଜକୁ ଆଦିବାସୀ ମାନଙ୍କ ହିତୈଷୀ ବୋଲି ପ୍ରଚାର କରୁଥିବା ବେଳେ ଅନ୍ୟପଟେ ଦେଶୀ ବିଦେଶୀ ବୃହତ କମ୍ପାନୀ ମାନଙ୍କ ସ୍ଵାର୍ଥରେ ଜଙ୍ଗଲ ଅଧିକାର ଆଇନକୁ ଦୁର୍ବଳ କରି ଆଦିବାସୀ ମାନଙ୍କୁ ଅଧିକାରହୀନ କରିବାକୁ ଚେଷ୍ଟା କରିବା ସେମାନଙ୍କ ଅସଲ ଚରିତ୍ରକୁ ଉଜାଗର କରୁଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ରୟତ ଏହି କାର୍ଯ୍ୟକ୍ରମରେ କୁଲି ସଂଘର ନେତା ରକମ୍ ଲୋକନାଥମ୍ ଏବଂ ଏଆଇକେଏମଏସ୍ ଜିଲ୍ଲା ସମ୍ପାଦକ କେଦାର ଶବର ନିଜ ନିଜର ବକ୍ତବ୍ୟ ରଖି କାଶୀନଗର ଅଞ୍ଚଳରେ ରହୁଥିବା ଭୂମିହୀନ ଓ ଗୃହହୀନ ଲୋକଙ୍କୁ ତୁରନ୍ତ ଜମି ଓ ଘରଡିହ ପଟ୍ଟା ଏବଂ ଜଙ୍ଗଲ ଜମିରେ ଚାଷ ଓ ବାସ କରୁଥିବା ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ନେତା ସମ୍ଵ୍ରା ଶବର, କାଡୁକା ଶବର , ଅର୍ଜୁନ ଗମାଙ୍ଗ ଓ ରାଜୁ ଜେନା ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ ବ୍ଳକ୍ କମିଟି ପକ୍ଷରୁ ତହସିଲଦାରଙ୍କୁ ତିନି ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930