ବାଲିଗୁଡ଼ାରେ ମା’ ଶ୍ୟାମା କାଳୀଙ୍କ ପୂଜା ମହୋତ୍ସବ : ଦୀପଦାନ ସହ ପିତୃ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୯/୧୧: ପବିତ୍ର ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ଶ୍ୟାମା କାଳୀଙ୍କ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପାରମ୍ପରିକ ବିଧିବିଧାନ ଓ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ଦକ୍ଷ ପୂଜକ ଓ ପୁରୋହିତଙ୍କ ଦ୍ୱାରା ମା’ଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଭକ୍ତି ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ପୂଜାର ସୁପରିଚାଳନା ନିମନ୍ତେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଅନ୍ୟପକ୍ଷରେ ଦୀପାବଳି ଅବସରରେ ସହରର ଘରେ ଘରେ ଦୀପ ଜଳାଇ ଆଲୋକର ପର୍ବ ପାଳନ କରାଯାଇଥିଲା।
ପରମ୍ପରା ଅନୁଯାୟୀ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିବା ସହ କାଉଁରିଆ କାଠି ଜାଳି ଆକାଶ ମାର୍ଗକୁ ଦେଖାଇ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।
ଧାର୍ମିକ ଆସ୍ଥା, ପାରମ୍ପରିକ ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବଧାରା ମଧ୍ୟରେ ବାଲିଗୁଡ଼ାରେ ଦୀପାବଳି ପର୍ବ ଶାନ୍ତିପୂର୍ଣ୍ଣ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଥିଲା।
ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର
ବାଲିଗୁଡ଼ା, ୯/୧୧ : ପବିତ୍ର ଶ୍ୟାମା କାଳୀ ପୂଜା ଓ ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସର ଦୀପର ଆଲୋକରେ ଝଲସି ଉଠିଥିଲା। ମା’ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ମନ୍ଦିରର ଚତୁଃପାର୍ଶ୍ୱରେ ଦୀପଦାନ ସହ ଆକର୍ଷଣୀୟ ଆଲୋକୀକରଣ ଉତ୍ସବ ଆୟୋଜନ କରାଯାଇଥିଲା।
ରବିବାର ସନ୍ଧ୍ୟା ସମୟରେ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଓ ଆରାଧନା କରାଯିବା ପରେ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା।
ଏହାପରେ ମନ୍ଦିର ପରିସର ଓ ଚତୁଃପାର୍ଶ୍ୱରେ ଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଦୀପର ଆଲୋକ ଓ ଭକ୍ତିମୟ ପରିବେଶ ମନ୍ଦିର ପରିସରକୁ ଏକ ଆଧ୍ୟାତ୍ମିକ ମାହୋଲରେ ପରିଣତ କରିଥିଲା। ଏହି ଆୟୋଜନରେ ମାର୍କେଟର ବ୍ୟବସାୟୀ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉତ୍ସବର ପରିଚାଳନାରେ ସହଯୋଗ କରିଥିଲେ।
ଦୀପଦାନ ଓ ଆଲୋକୀକରଣ ମାଧ୍ୟମରେ ମା’ଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ସାମୂହିକ ଏକତାର ସୁନ୍ଦର ପରିଚୟ ମିଳିଥିଲା। ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି, ୧୧ରେ ହେବ ବିଭିନ୍ନ କାର୍ଯ୍ୟକ୍ରମ
ବାଲିଗୁଡ଼ା, ୯/୧୧ : ବିଶିଷ୍ଟ ସମାଜସେବୀ, ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ତମ ଜୟନ୍ତୀ ଆସନ୍ତା ୧୧ ନଭେମ୍ବର ବୁଧବାର ଦିନ ପାଳନ କରାଯିବ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦିନବ୍ୟାପୀ ବିଭିନ୍ନ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ୱର୍ଗତ ପଟ୍ଟନାୟକ ଙ୍କ ଜନ୍ମଜୟନ୍ତୀ ଅବସରରେ ସକାଳ ରୁ ବୈତାଳିକ ପ୍ରାର୍ଥନା ସହ କାଯକ୍ରମ ଆରମ୍ଭ ହେବ। ପରେ ତାଙ୍କ ସ୍ମୃତିଚାରଣ ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବ। ପୂର୍ବାହ୍ନ ୧୦ଟା ୩୦ରେ ସାଧାରଣ ସଭା ଓ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ଏଥିସହ ମଧ୍ୟାହ୍ନରେ ସାମୂହିକ ଭୋଜନ, ଅପରାହ୍ନରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ, ସର୍ବଧର୍ମ ପ୍ରାର୍ଥନା ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ର ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଉଦଘାଟିକା ଭାବେ କଟକ ରୁ ସର୍ବୋଦୟ ନେତ୍ରୀ ତଥା ସଭାନେତ୍ରୀ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ର ଶ୍ରୀମତୀ କ୍ରୀଷ୍ଣା ମହାନ୍ତି, ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରାଧାପକ ଡଃ. ଲଳିତ ଲେଙ୍କା, ସମ୍ମାନନୀୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ବେହେରା, କନ୍ଧମାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ପି. ପଦ୍ମା, କନ୍ଧମାଳ ଶିଶୁମଙ୍ଗଳ ସମିତି ର ଅଧକ୍ଷ ରତ୍ନେଶ୍ୱର ସାହୁ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ୍ ପ୍ରମୁଖ ଆତିଥ୍ୟ ଗ୍ରହଣ କରିବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯିବ। ରାଜ୍ୟ ସ୍ତରୀୟ ସମ୍ମାନିତ ପ୍ରତିଭା ମଧ୍ୟରେ ୧୪ ତମ ଆଜ୍ଞା ସେବା ସମ୍ମାନ ରାୟଗଡା ଜିଲ୍ଲାର ଜଳନ୍ଧର ପୁଷିକା ଙ୍କୁ , ୨୧ ତମ ଆଚାର୍ଯ୍ୟ ହରିହର-ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ ଅନୁଗୁଳ ଜିଲ୍ଲାର ଶିବରାମ ମିଶ୍ର ଙ୍କୁ ଏବଂ ୨୧ତମ ମା ‘ରମାଦେବୀ-ମାଳତୀ ଚୌଧୁରୀ ସ୍ମାରକ ସମ୍ମାନ ଭୁବନେଶ୍ୱର ର ଶ୍ରୀମତୀ ଶୁଭଶ୍ରୀ ଦାସ ଙ୍କୁ ସମ୍ମାନିତ କରାଯିବ ।
ସ୍ୱର୍ଗତ ପଟ୍ଟନାୟକଙ୍କ ତ୍ୟାଗ, ସେବା, ନିଷ୍ଠା ଓ ମାନବିକତାର ଆଦର୍ଶକୁ ସ୍ମରଣ କରିବା ସହ ତାଙ୍କ ଦେଖାଇଥିବା ସେବା ଓ ସମାଜ କଲ୍ୟାଣର ମାର୍ଗକୁ ଆଗକୁ ନେବା ଏହି ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଜୟନ୍ତୀ ସମାରୋହରେ ଯୋଗଦେଇ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସମସ୍ତ ଶୁଭେଚ୍ଛୁ, ବୁଦ୍ଧିଜୀବୀ, ସମାଜସେବୀ ଓ ଅଞ୍ଚଳବାସୀଙ୍କୁ ନିମନ୍ତ୍ରଣ କରାଯାଇଛି ।







