Indus Valley Times

ଗଜପତି: ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଓ ରୋଗୀ ସେବା ନେଇ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

 Breaking News

ଗଜପତି: ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଓ ରୋଗୀ ସେବା ନେଇ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

September 09
16:50 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୯/୯ : ଗଜପତି ଜିଲ୍ଲାର କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ପରିସରରେ ଆଜି ରୋଗୀ କଲ୍ୟାଣ ସମିତି (ଆରୋଗ୍ୟ କଲ୍ୟାଣ ସମିତି)ର ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହିତ ଚିକିତ୍ସାଳୟର ବିଭିନ୍ନ ସମସ୍ୟା, ଭିତ୍ତିଭୂମିର ବିକାଶ ଓ ରୋଗୀ ମାନଙ୍କ ସୁବିଧା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବାକୁ ଅଧିକ ସୁଦୃଢ଼ ଓ ଗୁଣାତ୍ମକ କରିବା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆ ଯାଇଥିଲା।
ଚିକିତ୍ସାଳୟରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା, ଆବଶ୍ୟକ ଭିତ୍ତିଭୂମି, ଚିକିତ୍ସା ଉପକରଣ, ପରିମଳ ବ୍ୟବସ୍ଥା ଓ ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ରୋଗୀମାନେ ଯେପରି ଚିକିତ୍ସାଳୟକୁ ଆସି ହଇରାଣ ନ ହୋଇ ସୁବିଧାଜନକ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଚିକିତ୍ସାଳୟରେ ରହିଥିବା ଏକ୍ସ-ରେ ସମ୍ବନ୍ଧୀୟ ଉପକରଣର ମରାମତି କରିବା କିମ୍ବା ଆବଶ୍ୟକ ହେଲେ ନୂତନ ଉପକରଣ ସ୍ଥାପନ କରିବା ପାଇଁ ମେଡିକାଲ ଅଫିସରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା।
ଏହା ହେଲେ ରୋଗୀମାନେ ଚିକିତ୍ସା ପାଇଁ ଅନ୍ୟତ୍ର ଯାଇ ଅଯଥା ଖର୍ଚ୍ଚ ଓ ହଇରାଣରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇବା ସହିତ ଚିକିତ୍ସାଳୟରେ ହିଁ ଆବଶ୍ୟକ ପରୀକ୍ଷା ସୁବିଧା ପାଇପାରିବେ ବୋଲି ଆଲୋଚନା ହୋଇଥିଲା।
ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହେବା ପରେ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ।
ଏଥିସହିତ ବୈଠକ ସମୟରେ ଫୋନ୍ ଯୋଗେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଚିକିତ୍ସାଳୟର ଆବଶ୍ୟକ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ଓ କାର୍ଯ୍ୟକାରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଧାୟକ କହିଥିଲେ ଯେ, ସ୍ଥାନୀୟ ଲୋକଙ୍କ ପାଇଁ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାକେନ୍ଦ୍ର।
ତେଣୁ ଏଠାରେ ରୋଗୀମାନେ ଉତ୍ତମ ଚିକିତ୍ସା, ଆବଶ୍ୟକ ପରୀକ୍ଷା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ପାଇବା ନିଶ୍ଚିତ କରିବା ଆବଶ୍ୟକ। ଚିକିତ୍ସାଳୟରେ ଯେଉଁ ସମସ୍ୟା ରହିଛି, ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି ସେ ଆଶ୍ୱାସନ ଦେଇଥିଲେ।
ବୈଠକରେ ରୋଗୀ କଲ୍ୟାଣ ସମିତିର ବିଭିନ୍ନ କାର୍ଯ୍ୟକଳାପ, ଚିକିତ୍ସାଳୟର ଉପଲବ୍ଧ ସୁବିଧା ଓ ଭବିଷ୍ୟତରେ ରୋଗୀ ସେବାକୁ ଆହୁରି ଉନ୍ନତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ରୋଗୀମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ନେବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ସାମଗ୍ରିକ ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମତ ପ୍ରକାଶ ପାଇଥିଲା।
ଏହି ବୈଠକରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ସମେତ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି: ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, କାଶୀନଗର ବ୍ଲକ ଉପାଧ୍ୟକ୍ଷ ରଘୁରାମ ସାହୁ, ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସଂଗ୍ରାମ ଶେଖର ନାୟକ (ଏମ୍‌ଓ-ଆଇଆଇସି)ଙ୍କ ସମେତ , ଡା. ସଚ୍ଚିକାନ୍ତ ମହାପାତ୍ର (ଏମ୍‌ଓ, ଆୟୁଷ), ସବିତା କୁମାରୀ ନାୟକ (ବିପିଏମ୍‌), ଶିବ ପ୍ରସାଦ ପାଣିଗ୍ରାହୀ (ଏସ୍‌ଟିଏସ୍‌) ସମ୍ପୃକ୍ତ ଅଧିକାରୀ ଓ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।
ବୈଠକ ଶେଷରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଆହୁରି ଉନ୍ନତ ଓ ସୁବିଧାଜନକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ଜାରି ରହିବ ବୋଲି ମତ ପ୍ରକାଶ ପାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031