ଗୋବିନ୍ଦପୁର ଗ୍ରାମ ରାସ୍ତାରୁ ଡଷ୍ଟର ଗାଡି ସହ ୧୭୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୬ : ରବିବାର ଅପରାନ୍ହ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ ର ବୌଦ୍ଧ ଥାନା ଗୋବିନ୍ଦପୁର ଗ୍ରାମ ରାସ୍ତାରୁ ଗୋଟିଏ ଡଷ୍ଟର ଗାଡି ସହ ୧୭୫ କେଜି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ ।
ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆରକ୍ଷୀ ଅଧୀକ୍ଷକ କୁଲଦୀପ୍ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇ ଆଇ ସି ନଳିନୀ କାନ୍ତ ଦାସଙ୍କ ନେତୃତ୍ବରେ ଏକ ଟିମ ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରେ ନାକାବନ୍ଦୀ କରିଥିଲା । ବାଉଁଶୁଣୀ ପଟୁ ବୌଦ୍ଧ ଆଡକୁ ଆସୁଥିବା ଏକ ଡଷ୍ଟର ଗାଡି ପୋଲିସକୁ ଦେଖି ଫେରି ଯାଉଥିବା ବେଳେ ବୌଦ୍ଧ ପୋଲିସ ଗାଡିକୁ ପିଛା କରିଥିଲା ।
ଦୀର୍ଘ ୮ କିଲୋମିଟର୍ ରାସ୍ତା ଯିବା ପରେ ଜାତୀୟ ରାଜପଥ ନଂ ୫୭ ର ଗୋବିନ୍ଦପୁର ଛକରୁ ଗାଁକୁ ଯାଇଥିବା ରାସ୍ତାରେ ଚାଲାଣକାରୀ ଗାଡି ଛାଡି ଦଉଡି ଚାଲି ଯିବାକୁ ଉଦ୍ୟମ କରିଥିଲା ।
ପୋଲିସ୍ ତାକୁ ଗୋଡ଼ାଇ ଧରିଥିଲା ଓ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବାରୁ ତାହା ୧୭୫ କେଜି ଗଞ୍ଜେଇ ହୋଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଉଁଶୁଣୀ ଥାନା ହିଲୁଙ୍ଗ ଗ୍ରାମର ଶରତ ସେଠୀ ବୋଲି ସୂଚନା ମିଳିଛି ।
ଏ ସମ୍ପର୍କରେ ବୌଦ୍ଧ ଥାନାରେ ଘଊଚଝ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇ ଆଇ ସି ଶ୍ରୀ ଦାସ୍ ସୂଚନା ଦେଇଛନ୍ତି ।






