Indus Valley Times

ଜମ୍ମୁରୁ ଫେରୁଛନ୍ତି ଓଡ଼ିଆ ଛାତ୍ର; ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଖୋଲିଲେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ

 Breaking News

ଜମ୍ମୁରୁ ଫେରୁଛନ୍ତି ଓଡ଼ିଆ ଛାତ୍ର; ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଖୋଲିଲେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ

May 09
18:53 2025

ଶ୍ରୀନଗର,୯/୫: ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି।
ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ସ୍ବତନ୍ତ୍ର ଟିମ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୫ଟି ଟିମ୍ କରି ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।
ବୁଧବାର ବିଳମ୍ବିତ ରାତି ଓ ଗୁରୁବାର ଭୋର ସମୟ ମଧ୍ୟରେ ପାକିସ୍ତାନ ପଟୁ ଜମ୍ମୁ-କଶ୍ମୀର, ପଞ୍ଜାବ ଓ ଗୁଜରାଟର ୧୫ଟି ସହରକୁ ଟାର୍ଗେଟ କରି ମିଶାଇଲ ଛାଡ଼ିଥିଲା। ତେବେ ଭାରତୀୟ ବାୟୁସେନା ଏହାକୁ ନିଷ୍ପ୍ରଭ କରିଦେଇଥିଲା। ରୁଷିଆ ନିର୍ମିତ ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ୍ ‘ସୁଦର୍ଶନ ଚକ୍ର’ ବ୍ୟବହାର କରି ଭାରତ ପାକିସ୍ତାନୀ କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇ ଦେଇଛି। ଭାରତ ପକ୍ଷରୁ ଇସ୍ରାଏଲ ନିର୍ମିତ ହାର୍ପି ଡ୍ରୋନ୍ ଜରିଆରେ ପାକିସ୍ତାନର ଏକାଧିକ ସ୍ଥାନକୁ ଟାର୍ଗେଟ୍ କରାଯାଇଛି।
ଏହାଦ୍ୱାରା ଲାହୋରର ଏୟାର ଡିଫେନ୍ସ ସିଷ୍ଟମ୍ ଏଚ୍‌କ୍ୟୁ-୯ ଧ୍ୱସ୍ତ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ସୂଚନା ଦିଆଯାଇଛି। ଭାରତର ଡ୍ରୋନ୍ ଆକ୍ରମଣରେ ରାଓ୍ବଲପିଣ୍ଡିସ୍ଥିତ କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଚୁପ୍ ନ ରହି ଭାରତୀୟ ସହରଗୁଡ଼ିକୁ ପୁଣି ଆକ୍ରମଣ ଉଦ୍ୟମ କରିବାରୁ ଏହାକୁ ମୁହଁତୋଡ଼ ଜବାବ ଦିଆଯାଇଛି।
ଭାରତୀୟ ସଶସ୍ତ୍ର ବଳର ମିଳିତ ଅପରେଶନ୍‌ରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦ ସମେତ ଲାହୋର, କରାଚୀ, ସିଆଲକୋଟ୍‌, ବାହଓ୍ବଲପୁରରେ ମିଶାଇଲ୍ ଆକ୍ରମଣ କରାଯାଇଛି। ଆରବ ସାଗରରୁ ଭାରତୀୟ ନୌସେନାର ବିଧ୍ୱଂସକ ଯୋଦ୍ଧା ବିକ୍ରାନ୍ତ ମଧ୍ୟ ବନ୍ଦର ସହର କରାଚୀକୁ ମିଶାଇଲ ମାଡ଼ କରିଛି।
କଶ୍ମୀର ପହଲଗ୍ରାମ୍ ଆକ୍ରମଣରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କ ପ୍ରାଣହାନିର ପ୍ରତିଶୋଧ ସ୍ବରୂପ ଭାରତୀୟ ସଶସ୍ତ୍ରବଳ ମିଳିତ ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭାରତ ଶାନ୍ତି ଚାହେଁ। କିନ୍ତୁ ଭାରତ ଉପରେ ଶତ୍ରୁରାଷ୍ଟ୍ର କୌଣସି ପ୍ରକାର ଦୁଃସାହସିକ ପଦକ୍ଷେପ ନେବାକୁ ଉଦ୍ୟମ କଲେ ତାହାର କଡ଼ା ଜବାବ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚେତାବନୀ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930