Legatus

ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ, ଗାଁଠୁ ସହର ସବୁଠି ବେଶ୍ ଉତ୍ସାହ

 Breaking News

ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ, ଗାଁଠୁ ସହର ସବୁଠି ବେଶ୍ ଉତ୍ସାହ

June 16
11:32 2024

ଭୁବନେଶ୍ବର,୧୬/୬: ଆଜି ଶେଷ ରଜ। ଏହାକୁ ବେଶ ଧୂମଧାମରେ ପାଳନ କରୁଛନ୍ତି ଓଡ଼ିଶାବାସୀ। ଚାରିଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ପିଠାପଣାର ମହକରେ ବାସି ଉଠୁଛି ପ୍ରତିଟି ଓଡ଼ିଆ ଘର। ଆଜି ରବିବାର ହୋଇଥିବାରୁ ସକାଳୁ ସକାଳୁ ଆମିଷ ମାର୍କେଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଲାଣି।
ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ପର‌୍ୟ୍ୟାପ୍ତ ପରିମାଣର ମାଛ, ଚିକେନ, ମଟନ, ଚିଙ୍ଗୁଡ଼ି ଓ କଙ୍କଡା ମଧ୍ୟ ଅଣାଯାଇଛି । ତିନି ଦିନ ଧରି ପାଳନ ହେଉଥିବା ଏହି ଗଣପର୍ବର ଆଜି ଅନ୍ତିମ ଦିନ ହୋଇଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର‌୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। କୁଆଁରୀ ଝିଅଠାରୁ ଆରମ୍ଭ କରି ବିବାହିତା ନାରୀ ଏବଂ ପିଲାଠୁ ବୁଢା ସମସ୍ତେ ରଜପର୍ବରେ ନିଜକୁ ସାମିଲ କରି ଦୋଳି ଖେଳିବା ସହ ସୁସ୍ୱାଦୁ ପିଠାପଣାର ମଜା ଉଠାଉଛନ୍ତି।
ବିଦେଶରେ ରହି ବି ଓଡ଼ିଆ ଭୁଲି ନାହାଁନ୍ତି ନିଜ ସଂସ୍କୃତି ଓ ପରମ୍ପରାକୁ। ସୁଦୂର ବାହାରିନ ଓ ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆମାନେ ମଧ୍ୟ ଓଡ଼ିଶାର ଗଣପର୍ବ ରଜକୁ ବେଶ ଆଡ଼ମ୍ବରର ସହ ପାଳନ କରୁଥିବା ଦେଖିବାକୁ ମିଳିଛି। ବାହାରିନ ରାଜଧାନୀ ମାନାମାଠାରେ ଓଡ଼ିଆ ସମାଜ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଇଛି। ବହୁ ସଂଖ୍ୟାରେ କୁଆଁରୀ ଝିଅ ଓ ମହିଳାମାନେ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଭାଗନେବା ସହ ରଜ ପର୍ବକୁ ମନଭରି ଉପଭୋଗ କରିଛନ୍ତି। ସେପେଟେ ଅଷ୍ଟ୍ରେଲିଆର ସିଡ଼ନିରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ରଜ ଉତ୍ସବ ପାଳନ କରିଛନ୍ତି।
ସେହିପରି ସାଉଦିଆରବରେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରବାସୀ ଓଡ଼ିଆ ସଂଗଠନ ଉକ୍ରଳିକା ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ। କୁନିକୁନି ପିଲାଙ୍କୁ ନେଇ ରଜ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ମହିଳା ଓ କୁଆଁରୀ ଝିଅମାନେ ପାଦରେ ଅଳତା, ହାତରେ ମେହେନ୍ଦି, ମଥାରେ କୁଙ୍କୁମ ଲଗାଇ ସଜ ହେବା ସହିତ ଦୋଳି ଖେଳି ରଜର ମଜା ନେଇଥିଲେ। ଦୁବାଇରେ ମଧ୍ୟ ରଜ ମହୋତ୍ସବ ବେଶ ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930