Indus Valley Times

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣା: ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର, ଖଣ୍ଡନ କଲେ SCB କର୍ତ୍ତୃପକ୍ଷ

 Breaking News

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣା: ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର, ଖଣ୍ଡନ କଲେ SCB କର୍ତ୍ତୃପକ୍ଷ

September 09
09:41 2021

କଟକ,୯/୯: ବିଧାନସଭା ସମ୍ମୁଖରେ ବୁଧବାର ହାତ କାଟିବା ସହ ବିଷ ପିଇଦେଇଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ରାତାରାତି ମୃତଦେହ ବ୍ୟବଚ୍ଛେଦ ସହ ସତ୍କାର କରି ଦିଆଗଲା।
ପ୍ରଶାସନର ଏଭଳି ତରବରିଆ ପଦକ୍ଷେପ ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଦୁଷ୍ମନ୍ତଙ୍କ ଗାଁ ଲୋକ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ଜାହିର କରିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ଏହାପରେ SCBରେ ଚିକିତ୍ସା ଅଭାବରୁ ଯନ୍ତ୍ରଣା ଅସହ୍ୟ ହେବା ସେ ଅଭିଯୋଗ ହେଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ତାହା ବି ଗ୍ରହଣ ହେଉନଥିବା ଅଭିଯୋଗ କଲେ ।
ଚିକିତ୍ସା ଦିଅ ନ ହେଲେ ମୃତ୍ୟୁ ଦିଅ ବୋଲି ବି ନେହୁରା ହେଲେ। ମାତ୍ର କେହି ଶୁଣିଲେନି। ସବୁଆଡ଼ୁ ନିରାଶ ହେବା ପରେ ସେ ନେଲେ ଚରମ ପଦକ୍ଷେପ । ଗତକାଲି ବିଧାନସଭା ଆଗରେ ଦୁଷ୍ମନ୍ତ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ସନ୍ଧ୍ୟାରେ କଟକ ଏସସିବିରେ ଆଖି ବୁଜିଲେ ଦୁଷ୍ମନ୍ତ ।
ଏହାପରେ ରାତାରାତି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାର ବି କରି ଦିଆଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ସତ୍କାର କରାଯାଇଥିବା କୁହାଯାଉଛି। ଏଥିନିମନ୍ତେ ଜଗତସିଂହପୁରରେ ନିଜ ବାପ ଘରେ ରହୁଥିବା ଦୁଷ୍ମନ୍ତଙ୍କ ସ୍ତ୍ରୀ ଓ ତାଙ୍କ ଝିଅଙ୍କୁ ବି ରାତି ଅଧରେ ପ୍ରଶାସନ ତରଫରୁ କଟକ ଅଣାଯାଇଥିଲା।
ହେଲେ ମୃତ୍ୟୁ ପୂର୍ବରୁ ଦୁଷ୍ମନ୍ତ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବିର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ଏସସିବିର ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ଏସସିବି ଡାକ୍ତର ତାଙ୍କୁ ତଡ଼ି ଦେଉଥିବା ଗତକାଲି ଅଭିଯୋଗ କରିଥିଲେ ଦୁଷ୍ମନ୍ତା। ହେଲେ ଏସସିବିରେ ତାଙ୍କୁ ବେଷ୍ଟ ଚିକିତ୍ସା ସହ ସବୁ ସୁବିଧା ମାଗଣାରେ ଦିଆଯାଉଥିଲା ବୋଲି କହିଛନ୍ତି ଡା. ମହାରଣା।
ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ୨୦୨୦ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କର ବ୍ୟାଡ କ୍ରସ୍ ଇଞ୍ଜୁରୀ ହୋଇଥିଲା । ପ୍ଲାଷ୍ଟିକ ସର୍ଜରୀ ଓ ଅର୍ଥୋପେଡିକ ବିଭାଗର ୨ଟି ବିଶେଷଜ୍ଞ ଟିମ୍ ୧୦/୧୨ ଘଣ୍ଟା ଧରି ତାଙ୍କ ଅପରେସନ୍ କରିଥିଲେ । ଅସ୍ତ୍ରୋପଚାର ଠିକ୍ ଥିଲା ଓ ତାଙ୍କ ଗୋଡ଼ ରକ୍ଷା ହୋଇ ଯାଇଥିଲା । ଏସସିବି ପକ୍ଷରୁ ମାଗଣାରେ ତାଙ୍କୁ ଚିକିତ୍ସ ଓ ଅନ୍ୟ ସବୁ ସୁବିଧା ଯୋଗାଇ ଦିଆଯାଇଥିଲା।
ଏହାପରେ ତାଙ୍କୁ ଫିଜିଓଥେରାପି ପାଇଁ କୁହାଯାଇଥିଲା। ତେବେ ଯୁବକଙ୍କ ଇଚ୍ଛା ଥିଲା ଯେ ଆହତ ଗୋଡ଼ ବି ଅନ୍ୟ ଗୋଡ଼ ଭଳି ସମ୍ପୂର୍ଣ୍ଣ ଠିକ୍ ହୋଇଯାଉ । ଫିଜିଓଥେରାପିରେ ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ଠିକ୍ ହୋଇପାରିଥାନ୍ତା । ତେବେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଗତ ୬ ତାରିଖରେ ଭୁବନେଶ୍ୱର ଏମ୍ସ ରେଫର କରାଯାଇଥିଲା ।
ହେଲେ ଏହାପରେ ଗତକାଲି ବିଷ ପିଇଥିବା ଅବସ୍ଥାରେ ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏସସିବିକୁ ରେଫର କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା। ଆମ ତରଫରୁ ଆମେ ବେଷ୍ଟ ଦେଇଛୁ । ସେ ଚାହୁଁଥିଲେ ମୋ ଗୋଡ଼ ୧୦୦% ଭଲ ହେଉ। ଏହା ସମୟସାପେକ୍ଷ ଥିଲା। ଆଉ କିଛି ସମୟ ସେ ଅପେକ୍ଷା କରିଥିଲେ ଭଲ ହୋଇଥାନ୍ତା।
ତେବେ ଦୁଷ୍ମନ୍ତ ଆଣିଥିବା ଅଭିଯୋଗର ତଦନ୍ତ ହେବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।
ବଞ୍ଚିଥିବା ବେଳେ ଚିକିତ୍ସା ସୁବିଧା ପାଇଁ ନେହୁରା ହୋଇଥିବା ଦୁଷ୍ମନ୍ତଙ୍କ ଦୁଃଖ କେହି ଶୁଣି ନ ଥିବା ମୃତ୍ୟୁ ପୂର୍ବରୁ ସେ ବଖାଣିଥିଲେ । ହେଲେ ଆଖି ବୁଜୁ ବୁଜୁ ଶୋଇ ରହିଥିବା ପ୍ରଶାସନ ହଠାତ୍ ଚେଇଁ ଉଠିଲା। ଏପରି ତତ୍ପରତା କିଛି ଦିନ ପୂର୍ବରୁ ଦେଖାଇଥିଲେ ହୁଏତ ଆଜି ଅକାଳରେ ଗୋଟିଏ ଜୀବନ ଯାଇ ନ ଥାନ୍ତା କି ଗୋଟିଏ ପରିବାର ଛାରଖାର ହୋଇ ନ ଥାନ୍ତା ବୋଲି ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031