Indus Valley Times

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

 Breaking News

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର
July 21
10:09 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୭: ବୌଦ୍ଧଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଟାଉନହଲଠାରେ ଅନୁଷ୍ଠିତ ଏହି ସହାୟତା ବଣ୍ଟନ ଶିବିରରେ ମୁଖ୍ୟଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ପାଇଁ ଅନେକ ଯୋଜନା କାର୍ଯ୍ୟକାରି କରିଛନ୍ତି ବୋଲି ପ୍ରକାଶ କରିଥିଲେ । ୨୦୦୮ ମସିହାରୁ ନିର୍ମାଣ ଶ୍ରମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ନିର୍ମାଣ ଶ୍ରମିକମାନଙ୍କ ପରିବାରକୁ ଆର୍ଥିକ ଓ ସାମଜିକସ୍ତରରେ ଅଗ୍ରସର କରାଇବାକୁ ସରକାର ନିର୍ମାଣ ଶ୍ରମିକମାନଙ୍କୁ ଜବକାର୍ଡ ବଣ୍ଟନ କରି କାମଧନ୍ଦା ଯୋଗାଇଦେବା ସହିତ ଶିକ୍ଷା ସହାୟତା,ବିବାହ ସହାୟତା ଓ ମୃତ୍ୟୁକାଳୀନ ସହାୟତା ଆଦି ପ୍ରଦାନର ବ୍ୟବସ୍ଥା କରିଛନ୍ତି ।
ତେଣୁ ଜିଲ୍ଲାରେ ଜଣେ ମଧ୍ୟ ଯୋଗ୍ୟ ଶ୍ରମିକ ଯେଭଳି ଭାବରେ ସରକାରୀ ଯୋଜନାରୁ ବଞ୍ଚିତ ନହେବେ ସେମାନଙ୍କର ନାମ ପଂଜିକରଣ କରି ସମସ୍ତ ସହାୟତା ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀଅମାତ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗଦେଇ ବୌଦ୍ଧଜିଲ୍ଲାରେ ଶ୍ରମିକମାନଙ୍କ ପାଇଁ ପ୍ରଶାସନ ସବୁବେଳେ ସଚେତନ ରହିଛି, ଯେକୌଣସି ସମସ୍ୟା ଥିଲେ ତୁରନ୍ତ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।
ବୌଦ୍ଧ ଜିଲ୍ଲାରେ ୬୧୩୭୪ ଜଣ ନିର୍ମାଣ ଶ୍ରମିକ ପଂଜିକୃତ ହୋଇଥିବାବେଳେ ଏହି ଅବସରରେ ୮୬୦ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ବାବଦକୁ ୩୫ଲକ୍ଷ ୯୪ ହଜାର ୨୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାବେଳେ ଜଣକୁ ମୃତ୍ୟୁକାଳୀନ ସହାୟତା ୨ ଲକ୍ଷ ଟଙ୍କା,ଜଣକୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
ଏହି ଶିବିରରେ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ ମଞ୍ଚାସୀନ ଥିବାବେଳେ ସହଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ସଭା ସଂଯୋଜନା କରିଥିଲେ । ସହଶ୍ରମଅଧିକାରୀ ସବିତା କୁମାରୀ ନାଏକ,ମଙ୍ଗଳ ସଂଯୋଜକ ସୁଜିତ କୁମାର ଦାସ,ଡିଇଓ କାହ୍ନୁ ଚରଣ ମହାରଣା,ଆର. ବିଜୟ କୁମାର,ବିଚିତ୍ରା ଦିଗାଲ ଓ ସୌମ୍ୟରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ : କାନ୍ଥ ପଡି ମହିଳା ଗୁରୁତର
ବୌଦ୍ଧ,୨୧/୭: ବୌଦ୍ଧଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁଁ ବୌଦ୍ଧ ସହର ନଅ ନମ୍ବର ୱାର୍ଡରେ ଆଜି ସକାଳେ କାନ୍ଥ ପଡି ଜଣେ ମହିଳା ଗୁରୁତର ହୋଇଛି । ସୂଚନା ମତେ, ସହର ନଅ ନମ୍ବର ୱାର୍ଡର ନୂଆଁସାହି ବାସିନ୍ଦା ସୌରେନ୍ଦ୍ରୀ ବେହେରା(୪୫) ଆଜି ସକାଳେ ଘରେ ରୋଷେଇ କରୁଥିବା ସମୟରେ ହଠାତ ଘରର ଏକ କାନ୍ଥା ତାଙ୍କ ଉପରେ ପଡିଯାଇଥିଲା । ଫଳରେ ସେ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ଓ ଚିତ୍କାର କରିବାରୁ ସାହି ପୋଡିଶା ଲୋକ ଆସି କାନ୍ଥ ହଟାଇ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ ବୌଦ୍ଧଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ସୌରେନ୍ଦ୍ରୀଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଚିକିତ୍ସା ସହାୟତ ଯୋଗାଇ ଦେବାକୁ ଦାବି ହେଉଛି ।
ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ବୌଦ୍ଧ,୨୧/୭ : ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସରସରା ଗ୍ରାମ ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନାବାଳକ ମାନଙ୍କ ପାଇଁ ନ୍ୟାୟ, ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ସରକାରଙ୍କ ଦ୍ୱାରା ୬ ରୁ ୧୪ ବର୍ଷ ବୟସ ଶିଶୁମାନଙ୍କ ପାଇଁ ଉନ୍ନତ ହୋଇଥିବା ବାଧ୍ୟତାମୂଳକ ଶିକ୍ଷା ଦେବାର ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶିଶୁ କଲ୍ୟାଣ କମିଟିର ସଦସ୍ୟ ରାଜିବ ନାୟକ,ଓକିଲ ବିକାଶ ଚନ୍ଦ୍ର ବେହେରା ଏବଂ ବାବା ବୈଦ୍ୟନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ଅନୁଯାଇ ଦୋଷୀକୁ ଦଣ୍ଡ,ସରକାରଙ୍କ ପକ୍ଷରୁ ପୀଡିତାଙ୍କ ପାଇଁ କ୍ଷତି ପୂରଣ ବ୍ୟବସ୍ଥା , ଯୌନ ନିର୍ଯ୍ୟାତନାରୁ କେମିତି ରକ୍ଷା କରିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଥବା ନିଜେ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବା ଇତ୍ୟାଦି ଉପରେ ଆଲୋକପାତ କରାଯାଇଥିଲେ । ଏହା ଛଡା ସରକାରଙ୍କ ଦ୍ୱାରା ଯେଉଁ ୬ ରୁ ୧୪ ବର୍ଷ ବୟସ ଶିଶୁମାନଙ୍କ ପାଇଁ ବାଧ୍ୟତା ମୂଳକ ଶିକ୍ଷା ଦେବାର ବ୍ୟବସ୍ଥା ଅଛି ତା ଉପରେ ମଧ୍ୟ ବିସ୍ତୁତ ଭାବରେ ବୁଝାଇ ଥିଲେ ।
ବୌଦ୍ଧଜିଲ୍ଲାରେ କ୍ୟାଡର ରୁଲର ଖୋଲାଖୋଲି ଉଲ୍ଲଙ୍ଘନ
ବୌଦ୍ଧ,୨୧/୭: ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପଦୋନ୍ନତି ଦେବା ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ଏଲ-୫ ଓ ଏଲ-୪ ଶିକ୍ଷକ ଶିକ୍ଷୟତ୍ରୀମାନେ ନିର୍ଦ୍ଧାରିତ ସମୟ ଓ ସ୍ଥାନ ମାନଙ୍କରେ ଗତ ୧୮ ତାରିଖରେ ଯାଇ ଉପସ୍ଥିତ ଥିଲେ । କତ୍ତୃପକ୍ଷଙ୍କ ସୂଚନା ମୁତାବକ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା ।
ଦୁର୍ଭଗ୍ୟ ବଶତଃ ଏଲ-୫(ବି) ରୁ ଏଲ-୪ କୁ ପଦୋନ୍ନତି ପାଇବାକୁ ଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ଗତ ଗତ ଜୁନ ୧୩ ତାରିଖରେ କୌଣସି କାରଣ ନ ଥାଇ ଫେରାଇ ଦିଆଗଲା । ପ୍ରକାଶ ଥାଉକି, ଜିଲ୍ଲା ବିଭାଗୀୟ ଅଧିକାରୀଙ୍କ ପତ୍ର ସଂଖ୍ୟା ୩୩/୨ ତାରିଖ ୨୫.୫.୨୩ ଅନୁସାରେ ଯେଉଁ ପ୍ରାର୍ଥୀ ମାନଙ୍କୁ ୨୦୧୧ ମସିହା ପରେ ବିଏ ପାସ କରିବା ଓ ଓଟିଇଟି ପ୍ରମାଣ ପତ୍ର ନ ଥିବା କାରଣ ଦର୍ଶାଇ ଅଯୋଗ୍ୟ ଘୋଷିତ କରାଯାଇ ଥିଲା । ସେମାନେ କିପରି ପରବର୍ତ୍ତି ପଦୋନ୍ନତି ସମୟରେ ଗତ ୧୮ ତାରିଖରେ ଯୋଗ୍ୟ ବିବେଚିତ ହେଲେ ।
ଏହା ଶିକ୍ଷକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ବିନା ଅନୁମୋଦନରେ ପ୍ରମଶନ ଦିଆଯାଇଛି । ସଂପ୍ରତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୧୫୫୭୨ ତାରିଖ ୧୧.୭.୨୩ ଓ ପତ୍ର ସଂଖ୍ୟା ୧୫୯୪୧ ତାରିଖ ୧୫.୭.୨୩ ଅନୁସାରେ ୨୦୧୯ କ୍ୟାଡର ରୁଲକୁ ଆଧାର କରି ପଦୋନ୍ନତି ଦେବାକୁ ବାରମ୍ବାର ନିର୍ଦ୍ଦେଶ ଥିଲେ ମଧ୍ୟ ବୌଦ୍ଧଜିଲ୍ଲାରେ ପଦୋନ୍ନତି ପାଇବାକୁ ଥିବା ଯୋଗ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ପଦୋନ୍ନତି ରୁ ବଂଚିତ ହେବାର ଆଶା କରାଯାଇଛି ବୋଲି ପ୍ରାଥମିକ ବିଇଡି ଶିକ୍ଷକ ସଂଘ ସଭାପତି ସୌମିତ୍ରୀ ପଲିଆ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ଅସ୍ଥାୟୀ ଡ୍ରାଇଭରଙ୍କୁ ନିୟମିତ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୧/୭: ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଭାବରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିବା ଡ୍ରାଇଭରମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ମୋଟର କର୍ମଚାରୀ ସଂଘ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ମୋଟର କର୍ମଚାରୀ ସଂଘର ସଭାପତି ଦିଲ୍ଲିପ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ତାଙ୍କର କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏହି ଅସ୍ଥାୟୀ ଡ୍ରାଇଭରମାନେ ଜିଲ୍ଲାର ବିଭିନ୍ନ ବିଭାଗରେ ନିଷ୍ଠାର ସହିତ ନିଜର ଦାୟିତ୍ୱ ସଂପାଦନ କରୁଥିଲେ ମଧ୍ୟ ସେମାନଙ୍କୁ ସରକାରୀ କର୍ମଚାରୀମାନଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ମିଳିପାରୁନାହିଁ । କରୋନା ମହାମାରୀ ସମୟରେ ସମସ୍ତେ ନିଜର ଜୀବନ ବଞ୍ଚାଇବାକୁ ଘର ଭିତରେ ଆଶ୍ରୟ ନେଇଥିବାବେଳେ ଏହି ଡ୍ରାଇଭରମାନେ ନିଜର ଜୀବନକୁ ବାଜି ଲଗାଇ ଦିନ ରାତି ସେବା କାର୍ଯ୍ୟ କରିଥିଲେ ।
ଆଜି ଅସ୍ଥାୟୀ ଡ୍ରାଇଭରମାନେ ଆର୍ଥିକ ଓ ସାମଜିକ ସୁରକ୍ଷା ପାଇଁ ସଂଘର୍ଷ କରୁଥିବାବେଳେ ସେମାନଙ୍କ ସମସ୍ୟାକୁ ବିଚାର କରି ଦାବିପତ୍ର ପ୍ରଦାନର ଏକମାସ ମଧ୍ୟରେ ସମସ୍ତ ଅସ୍ଥାୟୀ ଡ୍ରାଇଭରଙ୍କୁ ନିୟମିତ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବାକୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ସମସ୍ତ ଅସ୍ଥାୟୀ ଡ୍ରାଇଭର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ମୋଟର କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ ସମୟରେ ରଂଜନ କୁମାର ସାହୁ,ନରେଶ ପ୍ରସାଦ ସିଂହ,କୃପାସିନ୍ଧୁ ପାତ୍ର,ଶିବନାରାୟଣ ମିଶ୍ର,ପ୍ରଦିପ କୁମାର ପରିଡା,ସୁରେନ୍ଦ୍ର ସାହୁ,ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ସନ୍ତୋଷ କୁମାର କହଁର,ରଂଜନ କୁମାର ସାହୁ,ସଂଜିବ କୁମାର ପଟ୍ଟନାୟକ ଓ ଉମେଶ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930