Indus Valley Times

ନୁଦୁରାମଙ୍କୁ ବୀରଚକ୍ର, ସହିଦ ଓଡିଆ ଯବାନଙ୍କୁ ମରଣୋତ୍ତର ସମ୍ମାନ ଦେଲେ ରାଷ୍ଟ୍ରପତି

 Breaking News

ନୁଦୁରାମଙ୍କୁ ବୀରଚକ୍ର, ସହିଦ ଓଡିଆ ଯବାନଙ୍କୁ ମରଣୋତ୍ତର ସମ୍ମାନ ଦେଲେ ରାଷ୍ଟ୍ରପତି

November 23
15:28 2021

ନୂଆଦିଲ୍ଲୀ,୨୩/୧୧: ଲଦାଖର ଗଲୱାନ୍ ଘାଟିରେ ଅପରେସନ୍ ସ୍ନୋ ଲିଓପାର୍ଡ ବେଳେ ଚାଇନାର ସେନା ସହ ଲହୁଲୁହାଣ ହୋଇ ସହିଦ ହୋଇଥିବା ଓଡ଼ିଆ ସେନା ଅଧିକାରୀ ନୁଦୁରାମ ସୋରେନ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି।
ନାଏବ ସୁବେଦାର ନୁଦୁରାମଙ୍କ ପତ୍ନୀ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମରଣୋତ୍ତର ବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି। ଗତବର୍ଷ ଗଲୱାନ ଚାଇନାର ସେନା ସହ ବୀରତ୍ୱର ସହ ଲଢ଼ି ନୁଦୁରାମ ସହିଦ ହୋଇଥିଲେ।
ସେହିପରି ଲଦାଖରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସନ୍ତୋଷ ବାବୁଙ୍କ ମା’ ଓ ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାବ୍ୟତୀତ ହାବିଲଦାର କେ. ପିଲାନୀ, ନାଏକ ଦୀପକ ସିଂହ, ସିପାହୀ ଗୁରତେଜ୍ ସିଂହ ଓ ହାବିଲଦାର ତେଜିନ୍ଦର ସିଂହଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି।
ଗତବର୍ଷ ଜୁନ୍ ମାସରେ ଗଲୱାନ୍ ଘାଟିରେ ଅପରେସନ୍ ସ୍ନୋ ଲିଓପାର୍ଡରେ ସହିଦ ହୋଇଥିବା ହାବିଲଦାର ପଲାନୀଙ୍କୁ ତାଙ୍କର ବୀରତ୍ୱ ପାଇଁ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ କରାଯାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ଗଲୱାନରେ ସହିଦ୍ ହୋଇଥିବା ନାଏକ ଦୀପକ ସିଂହଙ୍କୁ ମଧ୍ୟ ମରଣୋତ୍ତର ବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।
ସିପାହୀ ଗୁରତେଜ ସିଂହ ଗଲୱାନ ଘାଟିରେ ଚାଇନା ସେନାକୁ ବୀରତ୍ୱର ସହ ସାମ୍ନା କରିଥିଲେ ଏବଂ ଏଥିପାଇଁ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି। ଗୁରୁତର ଭାବେ ଆହତ ହେବା ସତ୍ତ୍ୱେ ଗୁରଜେତ ସିଂହ ଦୃଢ଼ତାର ସହ ଶତ୍ରୁର ମୁକାବିଲା କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରିଛନ୍ତି। ସେହିପରି ତେଜେନ୍ଦ୍ର ସିଂହଙ୍କୁ ମଧ୍ୟ ବୀର ଚକ୍ରରେ ସମ୍ମାନିତ କରାଯାଇଛି।
ଗତବର୍ଷ ଜୁନ୍ ୧୫ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ବିହାର ରେଜିମେଣ୍ଟର ୧୯ ଯବାନ ଓ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହୋଇଥିଲେ। ସେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ।
ଏଥିପାଇଁ ତାଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରିବା ପାଇଁ ସେନା ପକ୍ଷରୁ ସୁପାରିସ କରାଯାଇଥିଲା। ଦେଶର ସର୍ବୋଚ୍ଚ ୱାରଟାଇମ ବୀରତ୍ୱ ପଦକ ହେଉଛି ପରମବୀର ଚକ୍ର, ଏହାପରେ ମହାବାରୀ ଚକ୍ର ଓ ତୃତୀୟରେ ବୀର ଚକ୍ର ପଦକ।
ଘଟଣା ଦିନ ଚାଇନାର ଯବାନମାନେ ଗଲୱାନ ଉପତ୍ୟକାରେ ଥିବା ପ୍ୟାଟ୍ରୋଲିଂ ପଏଣ୍ଟ ୧୪ରେ ଚାଇନା ସେନା ନିର୍ମାଣ କାମ କରୁଥିଲେ। ଏହାକୁ ରୋକିବା ପାଇଁ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହ ଭାରତୀୟ ଯବାନ ପହଞ୍ଚିଥିଲେ। ଏହାପରେ ସେଠାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା।
ଏଥିରେ ଭାରତ ୨୦ ଯବାନ ସହିଦ ହୋଇଥିବା ବେଳେ ଚାଇନାର ମଧ୍ୟ ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ। କିନ୍ତୁ ଚାଇନା ଏଯାଏ ମୃତାହତଙ୍କ ସଂଖ୍ୟା କହିନାହିଁ। ସେହିପରି ଶାନ୍ତି ସମୟର ସର୍ବୋଚ୍ଚ ବୀରତ୍ୱ ପଦକ ହେଉଛି ଅଶୋକ ଚକ୍ର, ଏହାପରେ କୀର୍ତ୍ତି ଚକ୍ର ଓ ଶେଷରେ ସୌର‌୍ୟ୍ୟ ଚକ୍ର ପଦକ ମିଳିଥାଏ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031