Indus Valley Times

ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

 Breaking News

ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

December 05
21:06 2024

ଭୁବନେଶ୍ୱର,୫/୧୨: ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଲୋକାର୍ପିତ ହୋଇଛି ଭବ୍ୟ କୋଠା।
ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ଉପସ୍ଥିତିରେ ଏହି କଂପ୍ଳେକ୍ସର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ପରେ ଅଭିଭାଷଣ ରଖି ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ଓ ନ୍ୟାୟିକ ସାକ୍ଷରତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଷ୍ଟ୍ରପତି।
ରାଷ୍ଟ୍ରପତି କହିଛନ୍ତି, ଶୁଣାଣି ବେଳେ ବାରମ୍ବାର ତାରିଖ ଘୁଞ୍ଚାଇବା ପ୍ରକ୍ରିୟାରେ ଯେପରି ପୂର୍ଣ୍ଣଛେଦ ପଡ଼ିବ ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରୁଛି। ଭାଷା ଯୋଗୁ ନ୍ୟାୟପାଳିକାଠାରୁ ସାଧାରଣ ଲୋକଟିଏ ଦୂରେଇ ଯାଉଛି।
ଲୋକଙ୍କ ଭାଷାରେ ନ୍ୟାୟପାଳିକାର କାର‌୍ୟ୍ୟ ସଂପାଦିତ ହେବା ଆବଶ୍ୟକ। ବ୍ଲାକ କୋଟ୍ ସିଣ୍ଡ୍ରୋମ୍ ପ୍ରସଙ୍ଗ ଉଠାଇ ରାଷ୍ଟ୍ରପତି କହିଛନ୍ତି, କୋର୍ଟ କଚେରୀକୁ ଯାଇ ସାଧାରଣ ଲୋକଟି ଶଙ୍କି ଯାଇଥାଏ। ସ୍ୱାଧୀନ ଭାରତରେ ଭୟର କୌଣସି ସ୍ଥାନ ନାହିଁ। କୋର୍ଟ କଚେରୀ ଓ ଥାନାରେ ଆତ୍ମୀୟତା ବାତାବରଣ ରହିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି।
ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଆତ୍ମପ୍ରକାଶ କରିଛି ନ୍ୟାୟିକ ପରିସର। ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଜୁଡିସିଆଲ୍ କୋର୍ଟ କଂପ୍ଲେକ୍ସ ଭାବେ ଖୋର୍ଦ୍ଧା ଜିଲ୍ଲା ନ୍ୟାୟିକ ପରିସର ନିର୍ମିତ ହୋଇଛି ୪୬ ହଜାର ବର୍ଗ ମିଟର ପରିଧିରେ। ଖର୍ଚ୍ଚ ହୋଇଛି ପ୍ରାୟ ୨୫୦ କୋଟି ଟଙ୍କା। ଏଥିରେ ରହିଛି ୪ଟି କରିଡର, ୫୫ଟି କୋର୍ଟ ରୁମ୍‌। ତା’ସହ ରହିଛି ରେକର୍ଡ ରୁମ, ଲାଇବ୍ରେରୀ, କନ୍‌ଫରେନ୍ସ ହଲ୍ ସାଙ୍ଗକୁ ବ୍ୟାଙ୍କ, ପୋଷ୍ଟ ଅଫିସ, ନୋଟାରୀ ରୁମ୍‌। କେବଳ ଏତିକି ନୁହେଁ, ଡିସ୍ପେନସାରୀ ସହ ଶିଶୁଙ୍କ ପାଇଁ ସ୍ତନ୍ୟପାନ କକ୍ଷ ଓ ବେବି କ୍ରେଚ ଭଳି ସୁବିଧା ରହିଛି ଏଠାରେ। ପୁରୁଣା କୋର୍ଟରେ ବାର ଆସୋସିଏସନ ଚାଲିବ।
ପୁରୁଣାରୁ ନୂଆ କୋଠାକୁ ସଂଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କୋଠାରେ ଚାଲିପାରିବ ଏକାସଙ୍ଗେ ୫୬ଟି କୋର୍ଟ। ପୂର୍ବରୁ ବାହାରେ ଥିବା ଏଜୁକେସନ, ଇଣ୍ଡଷ୍ଟ୍ରିଆଲ, ଲେବର ଏବଂ କୋଅପରେଟିଭ୍ ଭଳି ଟ୍ରିବ୍ୟୁନାଲ ଏହି ବିଲଡିଂରେ ରହିବ। ବିଲ୍ଡିଂରେ ମୋଟ୍ ୯ଟି ଲିଫ୍ଟ ରହିଛି। ୫ଟି ସାଧାରଣ ଲୋକଙ୍କ ପାଇଁ, ୪ଟି ବିଚାରପତିଙ୍କ ପାଇଁ। ଏହାବ୍ୟତୀତ ସାଧାରଣ ଜନତାଙ୍କ ପାଇଁ ବିଶ୍ରାମାଗାର ସହ ସୂଚନା ନିମନ୍ତେ ବଡ଼ ବଡ଼ ଏଲ୍‌ଇଡି ବ୍ୟବସ୍ଥା କରାଯାଇଛି।
୬ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ନାଲି କୋଠା ଦ୍ୱାରା କେବଳ ଯେ ଓକିଲ ମହକିଲ ସୁବିଧା ପାଇବେ ତା’ନୁହେଁ। ଗ୍ରାଉଣ୍ଡ ଫ୍ଲୋର ସହ ଅଣ୍ଡରଗ୍ରାଉଣ୍ଡ ଡବଲ ଷ୍ଟୋରେଜ ପାର୍କିଂ ବ୍ୟବସ୍ଥା ଯୋଗୁ, ଦୂର ହେବ ପାର୍କିଂ ସମସ୍ୟା। ଏଠାରେ ୪୫୦ଟି କାର ଓ ୧ ହଜାର ଟୁ-ହ୍ୱିଲର ରହିପାରିବ। କୋର୍ଟ କଂପ୍ଲେକ୍ସଟି ସଂପୂର୍ଣ୍ଣ ସିସିଟିଭି ଘେରରେ ରହିଛି।
୧୯୮୦ରୁ ୨୦୨୪। ୪ ଦଶନ୍ଧିରୁ ଅଧିକ ସମୟ ଧରି ଏହି କୋଠାରେ ଚାଲିଆସୁଥିଲା ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ। ଏବେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଗଢ଼ି ଉଠିଥିବା ନ୍ୟାୟିକ ପରିସର, ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930