Indus Valley Times

ନୂଆ ରୂପ ପାଇଲା ଉତ୍କଳମଣିଙ୍କ ଗାଁ, ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

 Breaking News

ନୂଆ ରୂପ ପାଇଲା ଉତ୍କଳମଣିଙ୍କ ଗାଁ, ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆ ରୂପ ପାଇଲା ଉତ୍କଳମଣିଙ୍କ ଗାଁ, ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
February 23
18:25 2023

ସାକ୍ଷୀଗୋପାଳ,୨୩/୨: ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ଐତିହ୍ୟ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକାର୍ପଣ କରିଛନ୍ତି।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନର ଅମ୍ଳାନ୍ ସ୍ମୃତି ସମଗ୍ର ବିଶ୍ବ ଦେଖିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବାହ୍ନ ୧୧ଟାରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସୁଆଣ୍ଡୋରେ ପହଞ୍ଚି ନୂଆ ରୂପରେ ସଜେଇ ହୋଇଥିବା ଉତ୍କଳମଣିଙ୍କ ଷଠିଘର ସମ୍ମୁଖରେ ରହିଥିବା ଫଳକ ଉନ୍ମୋଚନ କରି ଷଠିଘର ବୁଲି ଦେଖିଥିଲେ।
ପ୍ରମୋଦ ଉଦ୍ୟାନରେ ସ୍ଥାନିତ ଉତ୍କଳମଣି ଗୋପବନ୍ଧୁଙ୍କ ସର୍ବବୃହତ୍ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ରିମୋଟ୍ ଦବାଇ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ସଂଗ୍ରହାଳୟର ଉନ୍ମୋଚନ କରିଥିଲେ।
ରାଜ୍ୟ ଖଣି ନିଗମ ଅନୁଦାନକ୍ରମେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ରୂପାନ୍ତରିତ ସୁଆଣ୍ଡୋ ଐତିହ୍ୟ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ନବନିର୍ମିତ ସଂଗ୍ରହାଳୟ, ଗୋପବନ୍ଧୁଙ୍କ ସ୍ବାଧୀନତା ଆନ୍ଦୋଳନ, ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା, ଆଦର୍ଶ ଶିକ୍ଷାପଦ୍ଧତି ପ୍ରଚଳନ, ଉତ୍ସର୍ଗୀକୃତ ସେବା ଏବଂ ମାନବିକ ମୂଲ୍ୟବୋଧର ବାର୍ତ୍ତା ପ୍ରଚାର କରୁଛି ବୋଲି ମୁଖ୍ୟମନ୍ତ୍ରୀ ଏକ ବିଶାଳ ଜନସଭାରେ ଉଦ୍ବୋଧନ ଦେଇଥିଲେ।
ସଭାରେ ରାଜ୍ୟ ଭାଷା, ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୁରୀ ଏମ୍ପି ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଲୋକସେବକ ମଣ୍ଡଳ ଉପାଧ୍ୟକ୍ଷ ନିରଞ୍ଜନ ରଥ, ଗୋପବନ୍ଧୁଙ୍କ ଆତ୍ମୀୟ ଧୀରେନ୍ଦ୍ର ନାଥ ଦାସ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ।
ଜଗତ୍ସିଂହପୁର ଏମ୍ପି ଡ. ରାଜଶ୍ରୀ ମଲ୍ଲିକ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ପୁରୀ ଜିଲାପାଳ ସମର୍ଥ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରକଳ୍ପ କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ ହୋଇଛି। ଗୋପବନ୍ଧୁଙ୍କ ଷଠିଘର ସମେତ ପୈତୃକ ବାସଭବନର ପୁନରୁଦ୍ଧାର, ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇଛି। ପ୍ରାୟ ୭ ଏକର ଜମିରେ ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ ଏବଂ ଶିଶୁ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଛି । ଏପରି କି ସେଠାରେ ଥିବା ପ୍ରାଚୀନ ପୁଷ୍କରିଣୀର ପୁନରୁଦ୍ଧାର କରାଯାଇଛି।
ଲୋକେଶ୍ୱର ମହାଦେବଙ୍କ ମନ୍ଦିର ପୁନଃ ନିର୍ମାଣ ହୋଇଛି। ପ୍ରାୟ ୧୦ ଫୁଟ ଉଚ୍ଚର ପିଣ୍ଡି ଉପରେ ୧୫ ଫୁଟ ଉଚ୍ଚତାର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଅବସରରେ ଗୋପବନ୍ଧୁଙ୍କ ଆତ୍ମୀୟମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

 

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031