Legatus

ନୟାଗଡ଼ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ସୁନାବେଢ଼ାକୁ ହରାଇ ସେମିଫାଇନାଲରେ ମଙ୍ଗଳା କ୍ଲବ୍

 Breaking News

ନୟାଗଡ଼ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ସୁନାବେଢ଼ାକୁ ହରାଇ ସେମିଫାଇନାଲରେ ମଙ୍ଗଳା କ୍ଲବ୍

ନୟାଗଡ଼ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ସୁନାବେଢ଼ାକୁ ହରାଇ ସେମିଫାଇନାଲରେ ମଙ୍ଗଳା କ୍ଲବ୍
January 15
20:42 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୧ : ନୟାଗଡ଼ ଖେଳ ପଡ଼ିଆରେ ସର୍ବଭାରତୀୟ ଫୁଟବଲ କପ୍ ଟୁର୍ଣ୍ଣ‌ାମେଣ୍ଟ ଉଦଘାଟିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଡ. ଅରୁଣ କୁମାର ସାହୁ ଏହାକୁ ଉଦଘାଟନ କରିବା ସହ ଓ ଫୁଟବଲ ପତାକା ଉତ୍ତୋଳନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶୀଷ ପଟ୍ଟନାୟକ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଇଂ ଏସକେ ଇସୁବ, ପ୍ରଫେସର ଅଶୋକ କୁମାର ନାୟକ, ଆଲୋକ କୁମାର ଦାସ, ଅନୱାର ଅଲ୍ଲୀ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଆଲୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ପରଲୋକ ହୋଇଯାଇଥିବା ସ୍ଥାନୀୟ ଫୁଟବଲ ଖେଳାଳି ରୋଟାରିଆନ ଆରିଫ ଖାଁ ଓ ଶିବୁନ ମହାନ୍ତିଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
୭୮୬ ୟୁଥ୍ କ୍ଲବ୍ ସିନ୍ଦୁରିଆ, ମଣିଙ୍ଗ କ୍ଲବ୍ ନୟାଗଡ଼ ଆଥଲେଟିକ୍ ଆସୋସିଏସନ ଓ ନୟାଗଡ଼ କ୍ଲବ୍ ମିଳିତ ଉଦ୍ୟମରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।
ଆଜିର ମ୍ୟାଚ୍ ସାଇ ହାଲ ସୁନାବେଢ଼ା ଓ କଟକ ମଙ୍ଗଳା କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଟକ ମଙ୍ଗଳା କ୍ଲବ୍ ବେଶ୍ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲା। କ୍ଲବର ପ୍ରତ୍ୟେକ ଖେଳାଳି ମ୍ୟାଚ ଜିତିବା ପାଇଁ ଜୋରଦାର ଆକ୍ରମଣ କରିଥ‌ିଲେ। ମଙ୍ଗଳା କ୍ଲବ୍ ଗୋଟିଏ ପରେ ଗୋଟିଏ ଏମିତି ଛଅଟି ଗୋଲ୍ କରିଥିବା ବେଳେ ସୁନାବେଢ଼ା ଟିମ୍ ମାତ୍ର ୨ଟି ଗୋଲ୍ କରିବାକୁ ସକ୍ଷମ ହୋଇଥିଲା।
ମଙ୍ଗଳା କ୍ଲବ କଟକର ୧୦ ନମ୍ବର ଜର୍ସି ପରିଧାନ କରିଥିବା ଦୀନବନ୍ଧୁ ଦାସ ବେଶ୍ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯିବା ସହ ଟ୍ରଫି ପ୍ରଦାନ କରାଯାଇଥିଲା।
ଆଜିର ଖେଳର ଉଦଘୋଷକ ଭାବେ ସାମ୍ବାଦିକ ରାମକୃଷ୍ଣ ରଥ, ଶେଖ ଅବଦୁଲ ଖାଲ୍ଲିକ, ପ୍ରଫେସର ଆଶୁତୋଷ ମିଶ୍ର ଓ ଭାଗିରଥୀ ପାସା ଯୋଗ ଦେଇଥିଲେ।
ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ଖେଳକୁ ପରିଚାଳନା କରିଥିଲେ। ଉଦଘାଟନୀ ମ୍ୟାଚକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳର ମଜା ଉଠାଇଥିଲେ। ଆସନ୍ତାକାଲି ୟୁନାଇଟେଡ୍ କ୍ଲବ୍ ଗଣ୍ଡରପୁର ଓ ସମ୍ବଲପୁର ଫୁଟବଲ ଏକାଡେମୀ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୯ ତାରିଖରେ ଶେଷ ହେବ।
ବେଆଇନ ବାଲି ଚାଲାଣ ହାଇଓ୍ବାକୁ ଧରିଲେ ଖଣି ମନ୍ତ୍ରୀ
ନୟାଗଡ଼, ୧୫/୧ : ବେଆଇନ ବାଲି ଚୋରାଚାଲାଣ ବେଳେ ରେଡ ହ୍ୟାଣ୍ଡରେ ଧରିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଖଣ୍ଡପଡା ଥାନା ବରକୁଳି ନିକଟରେ ବାଲି ବୋଝେଇ ହାଇୱାକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରି ପୋଲିସର ଜିମା ଦେଲେ ମନ୍ତ୍ରୀ ।
ନକଲି କାଗଜ ପତ୍ର ଦ୍ବାରା ହାଓ୍ବା ଗାଡିରେ ବାଲି ଚୋରା ଚାଲାଣ ହେଉଥିଲା । ୧୫ରୁ ଉର୍ଦ୍ଧ୍ବ ହାଇୱା ଜବତ୍ ହୋଇଥିବା ବେଳେ ୧୦ ଟି ହାଇୱା ବେଆଇନ ଭାବେ ବାଲି ଚୋରା ଚାଲାଣ କରାଯାଉଥିବା ଜଣାପଡିଛି ।
ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗତକାଲି ରାତିରେ ନୟାଗଡ଼ ଜିଲ୍ଲା କଣ୍ଟିଲୋରୁ ପ୍ରଭୁ ନୀଳମାଧବଙ୍କ ଦର୍ଶନ ସାରି ବ୍ରହ୍ମପୁରକୁ ଫେରୁଥିଲେ । ଫେରିବା ବାଟରେ ଖଣ୍ଡପଡା ଥାନା ବରକୁଳି ନିକଟରେ ପ୍ରଥମେ ପ୍ରଥମେ ୭ ବାଲି ବୋଝେଇ ହାଇୱାକୁ ଅଟକାଇଥିଲେ ମନ୍ତ୍ରୀ ।
ଏହା ପରେ ମାଇନ୍ସ ଅଧିକାରୀ, ସ୍ଥାନୀୟ ତହସିଲଦାର , ପୋଲିସ ଏବଂ ଆରଟିଓଙ୍କୁ ଘଟଣାସ୍ଥଳକୁ ଡାକାଇ ଗାଡିର କାଗଜପତ୍ର ୟାଞ୍ଚ କରିଥିଲେ । ଖଣ୍ଡପଡା ବ୍ଲକ ଛକ ନିକଟରେ ଆଉ ୩ଟି ହାଇୱାକୁ ଅଟକାଯାଇଥିଲା । ୟାଞ୍ଚ ପରେ ନକଲି କାଗଜ ପତ୍ର ଦ୍ବାରା ବାଲି ଚୋରା ଚାଲାଣ ହେଉଥିବା ମନ୍ତ୍ରୀ ଜାଣିବାକୁ ପାଇଥିଲେ । ରେଡ୍ ବେଳେ ମନ୍ତ୍ରୀଙ୍କ ସହ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ଉପସ୍ଥିତ ଥିଲେ । ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ୩ ଟି ବାଲି ବୋଝେଇ ହାଇୱା ଉପରେ RTO ପକ୍ଷରୁ ୧,୯୪, ୬୯୮ ଟଙ୍କା ଫାଇନ କଟାଯାଇଛି ।
ମହାନଦୀରୁ ହେଉଥିଲା ବାଲି ଚାଲାଣ:
ହାଇୱା ଗୁଡ଼ିକର କାଗଜ ପତ୍ର ଯାଞ୍ଚ ସହ ଅଧିକ ତଦନ୍ତ ପାଇଁ ଖଣ୍ଡପଡା ଥାନାରେ ରଖାଯାଇଛି । ଏଥିରେ ଜଣେ ଠିକାଦାରଙ୍କ ହାଇୱା ଗାଡି ରହିଛି ।
ପ୍ରତିଦିନ ରାତିରେ ମହାନଦୀ ବିଭିନ୍ନ ଘାଟରୁ ବେଆଇନ ଭାବେ ଶହ ଶହ ହାଇୱା ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ମନ୍ତ୍ରୀ ନିଜେ ଆଖିରେ ଦେଖିଥିଲେ । ରେଡ୍ ବେଳେ ୧୫ରୁ ଉର୍ଦ୍ଧ୍ବ ହାଇୱା ଜବତ୍ ହୋଇଥିବା ବେଳେ ୧୦ ଟି ହାଇୱା ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ପଡିଛି ।
କଣ୍ଟିଲୋ ପଥର ଚକଡା, ମାଧପୁର, ବଡ ବାଣପୁର, ସିଧାମୂଳା, ଲଙ୍ଗଳକଣ୍ଟା ଆଦି ବାଲି ଘାଟରୁ ନକଲି କାଗଜ ପତ୍ର କରି ବାଲି ମାଫିଆ ମାନେ ପ୍ରତିଦିନ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ମନ୍ତ୍ରୀ ପାଖରେ ଅଭିଯୋଗ ହୋଇଥିଲା ।
ଏଥିରେ ଭାପୁର ବ୍ଲକ ଅଞ୍ଚଳର ଜଣେ ରାଜନେତାଙ୍କ ସଂପୃକ୍ତି ରହିଥିବା ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏହାର ସତ ଜାଣିବା ପାଇଁ ମନ୍ତ୍ରୀ ନିଜେ ରାସ୍ତାରେ ଛକି ବାଲି ବୋଝେଇ ଟ୍ରକ ଧରିଥିଲେ । ବେଆଇନ ଭାବେ ବାଲି ଏବଂ ପଥର ଚୋରା ଚାଲାଣ କାର‌୍ୟ୍ୟ କରୁଥିବା ମାଫିଆଙ୍କ ଉପରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମାଇନ୍ସ ଅଧିକାରୀ , ତହସିଲଦାର , ପୋଲିସ ଏବଂ ଜଞଙଙ୍କୁ ତୁରନ୍ତ ତଦନ୍ତ କରି ବାଲି ଏବଂ ପଥର ମାଫିଆ ମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆମ ସରକାରରେ ମାଫିଆ ରାଜ ଚଳିବ ନାହିଁ’:
ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ‘ ମହାଦନୀରୁ ବାଲିକୁ ଲୁଟିବା ଖବର ଶୁଣୁଥିଲି । ଜନସାଧାରଣଙ୍କ ସହଯୋଗରେ ବରକୁଳି ଗାଁ ନିକଟରେ ବାଲି ବୋଝେଇ ଗାଡିକୁ ଅଟକାଇଲି । ୧୪ଟି ଗାଡିରେ ବାଲି ଲୋଡ ହୋଇଥିଲା । ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ ମଧ୍ୟ ଉପସ୍ଥିତ ଥିଲେ । ବେଆଇନ ଖଣି ଖାଦନ ଲୁଟ ଚଳିବ ନାହିଁ । ଆଗକୁ ମଧ୍ୟ ଏପରି ରେଡ ଜାରି ରହିବ । ଆମ ସରକାରରେ ମାଫିଆ ରାଜ ଚଳିବ ନାହିଁ ।

ପ୍ରତ୍ୟେକ ଦିନ ବାଲି ଓ ଚିପ୍ସ ଗାଡି ଯାଞ୍ଚ କରାଯିବ:ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ କହିଛନ୍ତି, ବରକୋଳି ଠାରେ ୧୦ରୁ ୧୫ଟି ଗାଡିରେ ବାଲି ଚୋରାଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ଆରଟିଓ ଅଧିକାରୀ, ତହସିଲଦାର, ଖଣ୍ଡପଡା ଥାନା ଆଇଆଇସିଙ୍କୁ ଡକାଯାଇଥିଲା । ମନ୍ତ୍ରୀ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ଅଫିସରଙ୍କୁ ନେଇ ପ୍ରତ୍ୟେକ ଦିନ ପ୍ରତି ରୋଡରେ ବାଲି ଓ ଚିପ୍ସ ଗାଡି ଅଟକାଇ ଯାଞ୍ଚ କରିବ ଓ ଫାଇନ କରାଯିବ ।

ନୟାଗଡ଼ ଆରଟିଓ ପ୍ରଶାନ୍ତ ପରିଡ଼ା କହିଛନ୍ତି, ‘ଏନେଇ ୧୦ଟି ଗାଡି ଯାଉଥିଲା ୭ଟି ଗାଡି ଖାଲି ଥିଲା , ୩ଟି ଗାଡରେ ବାଲିଥିଲା । ସମସ୍ତ ଗାଡିର କାଗଜ ଯାଞ୍ଚ କରାଯାଇଛି । ଓଭର ଲୋଡ ଯୋଗୁଁ ୩ଟି ଗାଡିକୁ ୧,୯୪, ୬୯୮ ଟଙ୍କା ଫାଇନ କରାଯାଇଛି । ମିଳିତ ରେଡ ଥିଲା ଏହା ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930