Indus Valley Times

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ

 Breaking News

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ

ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ
January 12
21:36 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୧ : ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ ବୌଦ୍ଧଜିଲା ଗସ୍ତରେ ଆସି ଜିଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ ଝାଡରାଜିଙ୍ଗସ୍ଥିତ ତଫସିଲଭୁକ୍ତ ଜାତି ଓ ଜନଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ ।
ଏଥିସହିତ ବଡବନ୍ଧ ସ୍ଥିତ ଆବାସିକ କନ୍ୟାଶ୍ରମ,ଲୁଣିବାହାଲ ବାବୁ ଜଗଜୀବନ ଛାତ୍ରାବାସ ଓ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ ପରେ ବୌଦ୍ଧ ମୁଖ୍ୟଚିକତ୍ସାଳୟ ସ୍ଥିତ କୋଭିଡ ଚିକିତ୍ସାଳୟକୁ ଯାଇ କୋଭିଡ ସ୍ଥିତି ନୀରିକ୍ଷଣ କରିବା ସହିତ ଅମ୍ଳଜାନ କାରଖାନା ପରିଦର୍ଶନ କରିଥିଲେ । ଏଥିସହିତ ଚିକିତ୍ସାଳୟ କର୍ମଚାରୀ, ସୂରକ୍ଷା କର୍ମଚାରୀ , ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ଦେଖିଥିଲେ । ପରେ ଶ୍ରୀ ସାସମଲ ସର୍କିଟ ହାଉସ ଠାରେ କୋଭିଡ ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକରେ ଜିଲାରେ କୋଭିଡ ଓ ଓମିକ୍ରନର ମୁକାବିଲା ପାଇଁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପଜିଲାପାଳ ସନତ କୁମାର ନାଏକ , ଜିଲାମୁଖ୍ୟ ଚିକିତ୍ସାଅଧିକାରୀ ଡା. ଅଭୟ କୁମାର ଦାସ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, କଣ୍ଟମାଳ ବିଡିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର ରୀନା ପ୍ରଧାନ,ଡେପୁଟି କଲେକଟର ବିଜୟ କୁମାର ପ୍ରଧାନ , ସହକାରୀ ଜିଲାପାଳ ବିରଞ୍ôଚ ଧରୁଆ, ଏଡିଏମଓ କିଶୋର ଚନ୍ଦ୍ର ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ରୂପକ କୁମାର ମହାପାତ୍ର ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଆଗକୁ ମକର ସଂକ୍ରାନ୍ତି ଏବଂ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗ୍ରାମମାନଙ୍କରେ ସଚେତନତାର ଆବଶ୍ୟକତା ଅଧିକ ରହିଛି ବୋଲି ପର୍ଯ୍ୟବେକ୍ଷକ ଶ୍ରୀସାସମଲ ମତବ୍ୟକ୍ତ କରିଥିଲେ ।
ଜିଲାରେ ଥିବା ଧର୍ମାନୁଷ୍ଠାନ ଗୁଡିକରେ ସଚେତନତା ବାର୍ତ୍ତା , ବେନର ଓ ପୋଷ୍ଟର ଲଗାଇବା , ଗାଁ ଗାଁରେ ପ୍ରଚାର ପ୍ରସାର କରିବା ପାଇଁ ରଥ ବୁଲିବା, ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା , ଗାଁ କଲ୍ୟାଣ ସମିତି ଜରିଆରେ ମାସ୍କ ପିନ୍ଧିବା ପାଇଁ ଶପଥ କରାଇବା , ଏନସିସି , ସ୍କାଉଟ, ଗାଇଡ ଓ ବିଭିନ୍ନ ସଂପ୍ରଦାୟ ସହିତ ଗାଁ ଲୋକଙ୍କୁ ଏହି ସଚେତନତା ପାଇଁ ଦାୟିତ୍ୱ ଦେବା ଆଦି ଉପରେ ଗୁରତ୍ୱ ଦେବା ସହ କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜିବିକାରେ ଯେପରି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସାସମଲ ବୈଠକରେ ଜିଲାପ୍ରଶାସନକୁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଶ୍ରୀସାସମଲ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ନିର୍ମାଣାଧିନ ଆଦର୍ଶ କୃଷି ବଜାର ବୁଲି ଦେଖିବା ସହିତ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଜିଲାପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ ।
ବାଜିଲା ପଂଚାୟତ ନିର୍ବାଚନ ବିଗୁଲ:ବୌଦ୍ଧଜିଲ୍ଲାରେ ହେବ ତିନି ପର୍ଯ୍ୟାୟରେ ନିର୍ବାଚନ;ଫେବୃଆରୀ ୧୬ରେ କଣ୍ଟାମାଳ, ୧୮ରେ ବୌଦ୍ଧ ଓ ୨୦ରେ ହରଭଙ୍ଗା ବ୍ଲକରେ ହେବ ନିର୍ବାଚନ
ବୌଦ୍ଧ,୧୨/୨:ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି । ଆସନ୍ତା ଫେବୃଆରୀ ୧୬ ତାରିଖ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଂଚଟି ପର୍ଯ୍ୟାୟରେ ନିର୍ବାଚନ ହେବ । ବୌଦ୍ଧଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ଫେବୃଆରୀ ୧୬, ୧୮ ଓ ୨୦ ତାରିଖରେ ୯ଟି ଜିଲ୍ଲା ପରିଷଦ ଜୋନ ପାଇଁ , ୬୯ ପଂଚାୟତର ସରପଂଚ ଓ ସମିତି ସଭ୍ୟ,୯୫୫ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
ଏଥିରେ ୩୧୦୫୧୭ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଣ୍ଟାମାଳ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ୨୪ ପଂଚାୟତର ସରପଂଚ ଓ ସମିତି ସଭ୍ୟ ଏବଂ ୩୩୦ଟି ୱାର୍ଡ ମେମ୍ବର ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ କଣ୍ଟାମାଳ ବ୍ଲକର ୧୦୭୯୭୩ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧ ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ, ୨୩ଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ଏବଂ ୩୨୫ ୱାର୍ଡ ମେମ୍ବର ପଦବି ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବୌଦ୍ଧ ବ୍ଲକର ୧୦୮୧୮୬ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ ଫେବୃଆରୀ ୨୦ ତାରିଖରେ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ପାଇଁ, ୨୨ ପଂଚାୟତର ସରପଂଚ ଓ ସମିତ ସଭ୍ୟ ପାଇଁ , ୩୦୦ ୱାର୍ଡ ମେମ୍ବର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ହରଭଙ୍ଗା ବ୍ଲକର ୯୪୩୫୮ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ମାର୍ଚ୍ଚ ୧୧ ତାରିଖରେ ନାଏବ ପରପଂଚ ପଦବି ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷ, ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ବ୍ଲକ ଉପାଧ୍ୟକ୍ଷ ପାଇଁ ମାର୍ଚ୍ଚ ୨୩ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଇଁ ମାର୍ଚ୍ଚରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । କରୋନା ମହାମାରୀ ଯୋଗୁଁ ରାଜ୍ୟରେ ପଂଚାୟତ ନିର୍ବାଚନ ହେବ କି ନାହିଁ ଯେଉଁ ଦ୍ୱନ୍ଦ ରହିଥିଲା । ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ତାହା ଦୂର ହୋଇଛି ।
ସୂର୍ଯ୍ୟ ନମସ୍କାର ଦ୍ୱାରା ରୋଗମୁକ୍ତ ରହିବା ପାଇଁ ସଂକଳ୍ପର ଦିବସ ଶାମ୍ବ ଦଶମୀ ,୧୦୮ ଆବୃତି ସୂର୍ଯ୍ୟ ନମସ୍କାର ପ୍ରଦର୍ଶିତ
ବୌଦ୍ଧ,୧୨/୧: ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ପବିତ୍ର ଶାମ୍ବଦଶମୀ ଅବସରରେ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ସୂର୍ଯ୍ୟ ନମସ୍କାର ଯୋଗଭ୍ୟାସ କରାଯାଇଛି । ଭାରତ ସ୍ୱାଭିମାନ ଟ୍ରଷ୍ଟ ବୌଦ୍ଧଶାଖା ପକ୍ଷରୁ ଷ୍ଟାଡିୟମ ଯୋଗକେନ୍ଦ୍ର ଠାରେ ଦୈନିକ ଯୋଗାଭ୍ୟାସ ସହିତ ସୂର୍ଯ୍ୟ ନମସ୍କାର କରାଯାଇଥିଲା । ଏଥିରେ ସୂର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ ସହିତ ୧୦୮ ଆବୃତି ସୂର୍ଯ୍ୟ ନମସ୍କାର ଯୋଗସାଧକମାନେ କରିଥିଲେ । ଯୋଗଦ୍ୱାରା ନିଜକୁ କିପରି ସୁସ୍ଥ ରଖାଯାଇ ପାରିବ ଏବଂ ୭୫ ବର୍ଷ ଉପଲକ୍ଷେ ଭାରତ ସରକାରଙ୍କ ପକ୍ଷରୁ ୭୫ କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବ୍ୟକ୍ତି ପାଖରେ କିପରି ପହଂଚି ପାରିବ ଆଲୋଚନା କରାଯାଇଥିଲା । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଲିଙ୍କ୍‌ୁ ରେ ସମସ୍ତଙ୍କ ପଂଜିକରଣ କରି ୨୧ ଦିନ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରି ମାନପତ୍ର ହାସଲ କରିବା ପାଇଁ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନର ଛାତ୍ରଛାତ୍ରୀ ସମେତ ଦେବାଶିଷ ପୁରୋହିତ, ବିଜୟ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ମହେଶ ଚନ୍ଦ୍ର ପାଢୀ, ଚୌଧୁରୀ ସାହୁ ଯୋଗର ଉପକାରୀତା ସଂପର୍କରେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ସେହିପରି ସଂଘ ପରିବାର ପକ୍ଷରୁ ବୁଟୁପାଲି ହାଇସ୍କୁଲ ପଡିଆ, ସଂଘ କାର୍ଯ୍ୟାଳୟ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ମହିଳା ପତଂଜଳି ଯୋଗ ସମିତି ପକ୍ଷରୁ ପ୍ରତିଦିନ ୧୨ ଆବୃତି ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବା ପାଇଁ ସଂକଳ୍ପ କରାଯାଇଥିଲା ।

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଜାତୀୟ ଯୁବ ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ବୌଦ୍ଧ,୧୨/୧: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ, ନେହେରୁ ଯୁବ କେନ୍ଦ୍ର ଓ ବୌଦ୍ଧ ମାଟିର ଛୁଆ ସଂଗଠନର ମିଳିତ ଆନୁକୂଲ୍ୟରେ ରେଡକ୍ରସ ରକ୍ତଭଣ୍ଡାରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ୱାମୀ ବିବେକାନନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଶିବିରକୁ ଉଦ୍‌ଘାଟନ କରିବା ସହିତ ସ୍ୱେଛାକୃତ ରକ୍ତଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ତହସିଲଦାର ଅବିନାଶ୍ ପାଣ୍ଡିଆ ଏବଂ ଜିଲା ରେଡକ୍ରସ ସଂପାଦକ ଅବନିକାନ୍ତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୨୫ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଅଧିକାରୀ ପ୍ରବୀର କୁମାର ଦାସ, ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଉତମ ମହାକୁଡ, ବୌଦ୍ଧ ମାଟିର ଛୁଆ ଅନୁଷ୍ଠାନର ସଭାପତି ନରେଶ ବେହେରା, ରକ୍ତଦାତା ପ୍ରବର୍ତକ ସଂଘର ସଂପାଦକ ଦେବାଶିଷ ପୁରୋହିତ ପରିଚାଳନା କରିଥିଲେ । ଏହି ଶିବିରରେ ଅଧିକାଂଶ ନୂତନ ରକ୍ତଦାତା ଯୋଗଦାନ କରି ରକ୍ତଦାନ କରିଥିଲେ । ରକ୍ତଭଣ୍ଡାରର ଟେକ୍‌ନିସିଆନ୍ ଚତୁର୍ଭୁଜ ବାରିକ, ଦିଲ୍ଲୀପ ପ୍ରଧାନ, ଋତମ୍ଭରା ସାହୁ ଓ ବାଦଲ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031