Indus Valley Times

ପିଆଜ ଚାଷ ପ୍ରତି ମୁହଁ ଫେରାଉଛନ୍ତି ବୌଦ୍ଧ ଚାଷୀ

 Breaking News

ପିଆଜ ଚାଷ ପ୍ରତି ମୁହଁ ଫେରାଉଛନ୍ତି ବୌଦ୍ଧ ଚାଷୀ

ପିଆଜ ଚାଷ ପ୍ରତି ମୁହଁ ଫେରାଉଛନ୍ତି ବୌଦ୍ଧ ଚାଷୀ
October 16
14:29 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ:୧୫/୧୦: ବୌଦ୍ଧ ଜିଲ୍ଲାର ଚାଷୀମାନେ ଉନ୍ନତମାନର ପିଆଜ ଉତ୍ପାଦନ କରି ବାହାର ରାଜ୍ୟକୁ ରତ୍ପାନୀ କରିଥାନ୍ତି । କିନ୍ତୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ ପିଆଜ ସ୍ୱପ୍ନ ହୋଇପଡିଛି । ପିଆଜ ଦର ଶୁଣି ଖାଉଟି ଆଖିରୁ ଲୁହ ଝରୁଛି । ପିଆଜ ଚାଷ ନେଇ ଦିନେ ବୌଦ୍ଧ ଜିଲ୍ଲା ରାଜ୍ୟ ତଥା ଦେଶରେ ନାଁ କରିଥିବାବେଳେ କିନ୍ତୁ ଆଜି ପିଆଜ ଦର ଜିଲ୍ଲା ଲୋକଙ୍କ ହୋସ ଉଡାଇଛି । ବୌଦ୍ଧ ଜିଲ୍ଲାର ପିଆଜର ମାନ ଉନ୍ନତ ଥିବାରୁ ଏହାର ଚାହିଦା ଖୁବ ବେଶୀ ଥିଲା । ପିଆଜ ଚାଷ ନେଇ ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପିଆଜ ରôଫାନୀ ଆରମ୍ଭ କରାଯିବା ନେଇ ବାହାବା ନେଉଥିବା ବେଳେ ଏବେ ସେସବୁର ଗୁମୁର ଫିଟୁଛି । ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ପିଆଜ ଘର ଆଦି ଯୋଗାଇ ଦିଆଯିବା ପ୍ରଚାର କରାଯାଉଥିବା ବେଳେ ପ୍ରକୃତରେ ସେସବୁ ଖର୍ଚ୍ଚ ଓ କାମ କେବଳ କାଗଜ କଲମରେ କରାଯାଇଥିବାରୁ ଜିଲ୍ଲାରେ ଏବେ ପିଆଜ ଚାଷ ଫେଲ ମାରିବା ପରେ ଅଭିଯୋଗର ସୁଅ ଛୁଟିଛି । ପିଆଜ, ରସୁଣ ଓ ଆଳୁ ଚାଷର ଉନ୍ନତି ପାଇଁ ବଘିଆପଡାର ପାଲଝାର ଠାରେ ମଧ୍ୟ ଏକ ରାଷ୍ଟ୍ରିୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ପିଆଜ ଦର ଜିଲ୍ଲାରେ ବର୍ତମାନ ୬୦ ଟଙ୍କା ଥିବା ବେଳେ ବାଧ୍ୟ ହୋଇ ଲୋକମାନେ କିଣୁଛନ୍ତି । ଜିଲ୍ଲାର ପିଆଜ ରାଜ୍ୟ ଓ ଦିଲ୍ଲୀ ଦରବାରରେ ନାଁ କରିଥିବା ବେଳେ କିନ୍ତୁ ଆଜି ଜିଲ୍ଲାର ଲୋକ ପିଆଜ ନେଇ ଚିନ୍ତିତ । ଗତ ୨୦୧୨ ମସିହାରେ ଉଦ୍ୟାନ ବିଭାଗ ଓ ପ୍ରଶାସନର ସହାୟତାରେ ୩ ଗୋଟି ଟ୍ରକରେ ଦିଲ୍ଲୀକୁ ପିଆଜ ରପ୍ତାନୀ କରାଯାଇଥିଲା । ପିଆଜ ରପ୍ତାନୀ କରୁଥିବା ବେଳେ ଆଜି ଜିଲ୍ଲାବାସୀ ପିଆଜ ପାଇଁ କାନ୍ଦୁଛନ୍ତି । ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପିଆଜ ସଂଗ୍ରହ କରି ରଖିବା ପାଇଁ ନିର୍ମାଣ କରାଯାଇଥିବା ପିଆଜ ଘର ଆଜି ଅନାବଶ୍ୟକ ହୋଇପଡିଛି । କେହି କେହି ପିଆଜ ଘର ସବୁକୁ କୁକୁଡା ଘର ଭାବେ ବ୍ୟବହାର କରୁଛନ୍ତି । ପିଆଜ ଚାଷ ପାଇଁ ଜିଲ୍ଲାର ମାଟି, ଜଳବାୟୁ ଓ ପରିବେଶ ଅନୂକୂଳ ରହିଥିବା ବେଳେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଠିକ ଭାବେ ପ୍ରତ୍ସାହନ, ସହଯୋଗ, ସହାୟତା , ପ୍ରଶିଷଣ ଦିଆନଯିବାରୁ ପିଆଜ ଚାଷରୁ ଚାଷୀ ମୁହଁ ଫେରାଇ ନେଇଛନ୍ତି । ଏପରିକି ଚାଷୀଙ୍କୁ ନିମ୍ନମାନର ବିହନ ଓ ସାର ଯୋଗାଇ ସିଧାସଳଖ ଠକେଇ କରାଯିବା ପରେ ଚାଷୀମାନେ ପିଆଜ ଚାଷ ବନ୍ଦ କରିଦେଇଛନ୍ତି । ବର୍ତ୍ତମାନ ସମୟରେ ଉନ୍ନତ ମାନର ବିହନ ଅଭାବ , ସରକାରୀ ପ୍ରଶିକ୍ଷଣ ଓ ସହଯୋଗ ଅଭାବ ରହିଥିବା ଯୋଗୁଁ ଚାଷୀମାନେ ପିଆଜ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ବର୍ତ୍ତମାନ ସମୟରେ ଜିଲ୍ଲାରେ ବହୁତ କମ ପରିମାଣରେ ପିଆଜ ଚାଷ କରାଯାଉଛି । ଯାହାଫଳରେ ଜିଲ୍ଲାର ଖାଉଟିମାନେ ଆବଶ୍ୟକ ପରିମାଣର ପିଆଜ ପାଇପାରୁନାହାନ୍ତି । ବର୍ତମାନ ଜିଲ୍ଲାରେ ନଅ ସହ ପଚାଶ ହେକ୍ଟର ଚାଷ ଜମିରେ ପିଆଜ ଚାଷ କରାଯାଉଛି । ସେଥିରୁ ଏଗାର ହଜାର ଚାରିଶହ ଅଠଚାଲିଶ ମାଟ୍ରିକଟନ ପିଆଜ ଉତ୍ପାଦନ କରାଯାଉଛି । ବୈାଦ୍ଧବ୍ଲକରେ ୧୪୫୦ ଜଣ ଚାଷୀ ୨୯୦ ହେକ୍ଟର ଜମିରେ ପିଆଜ ଚାଷ କରୁଥିବା ବେଳେ କଣ୍ଟାମାଳ ବ୍ଲକରେ ୧୪୦୦ ଜଣ ଚାଷୀ ୨୮୦ ହେକ୍ଟର ଚାଷ ଜମିରେ ଓ ହରଭଙ୍ଗାର ୧୯୦୦ ଜଣ ଚାଷୀ ୩୮୦ ହେକ୍ଟର ଚାଷ ଜମିରେ ପିଆଜ ଚାଷ କରୁଛନ୍ତି । ଏହି ଚାଷ ଜମିରୁ ବୈାଦ୍ଧବ୍ଲକରୁ ୩୪୯୪ ମେଟ୍ରିକଟନ ପିଆଜ ଉତ୍ପାଦନ ହେଉଥିବା ବେଳେ କଣ୍ଟାମାଳବ୍ଲକରେ ୩୩୭୪ ମେଟ୍ରିକଟନ ଓ ହରଭଙ୍ଗା ବ୍ଲକରେ ୪୫୮୦ ମେଟ୍ରିକଟନ ପିଆଜ ଉତ୍ପାଦନ ହେଉଥିବା ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ମାତ୍ର ୪୭୫୦ ଜଣ ଚାଷୀ ପିଆଜ ଚାଷ କରୁଛନ୍ତି । ବୈାଦ୍ଧ ଭଳି ଏକ କୃଷି ପ୍ରଧାନ ଜିଲ୍ଲାରେ ଏତେକମ ମାତ୍ରାରେ ଚାଷୀ ପିଆଜ ଚାଷ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜିଲ୍ଲାର ଚାଷୀମାନଙ୍କୁ ପିଆଜ ଚାଷ ପ୍ରତି ପ୍ରତ୍ସାହନ ଯୋଗାଇ ଦିଆଯାଉନଥିବାରୁ ଚାଷୀମାନେ ପିଆଜ ଚାଷ ପ୍ରତି ବିମୁଖ ହେଉଥିବାର ଅଭିଯୋଗ ହେଉଛି । ଏପରିକି ପିଆଜ ଚାଷ କରୁଥିବା ପ୍ରକୃତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ମିଳୁନଥିବାରୁ ଚାଷୀମାନେ ଆସ୍ତେଆସ୍ତେ ପିଆଜ ଚାଷ ଠାରୁ ଦୂରେଇ ଯିବା ଏକ ପ୍ରମୁଖ କାରଣ ହୋଇଛି । ପ୍ରକୃତ ଚାଷୀଙ୍କୁ ପିଆଜ ଘରପାଇଁ ସରକାରଙ୍କ ପକ୍ଷରୁ ସହାୟତା ମିଳୁ ନଥିବା ସ୍ଥଳେ ଅନେକ ଅଣଚାଷୀ କଳେବଳେ ପିଆଜ ଘର ସହାୟତା ପାଇଛନ୍ତି । ଗତ କିଛି ବର୍ଷ ତଳେ ବୈାଦ୍ଧ ଜିଲ୍ଲାରୁ ଦିଲ୍ଲୀକୁ ପିଆଜ ପଠାଯାଇଥିବା ଦର୍ଶାଯିବା ପରେ ସରକାରଙ୍କ ପକ୍ଷରୁ ଅଧିକ ଅନୁଦାନ ମଧ୍ୟ ଆସିଥିଲା । ମାତ୍ର ସେସବୁରି ଖର୍ଚ୍ଚ କେବଳ କାଗଜପତ୍ରରେ ହେବା ଫଳରେ ପିଆଜ ଚାଷ କରୁଥିବା ଚାଷୀ ଏବେ ସେଥିରୁ ମୁହଁ ଫେରାଇନେଇଛନ୍ତି । ଜିଲ୍ଲାରେ ପିଆଜ ଚାଷର ଉନ୍ନତି ପାଇଁ କୃଷି ବିଭାଗ ପ୍ରଚୁର ପରିମାଣରେ ଚାଷୀଙ୍କୁ ସହାୟତା , ପ୍ରଶିକ୍ଷଣ ଦେବା ସହ ପିଆଜ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ ଉତ୍ପାଦିତ ପିଆଜକୁ ସାଇତି ରଖିବା ପାଇଁ ଜିଲ୍ଲାରେ ଗୋଟିଏ ଶୀତଳ ଭଣ୍ଡାର ନିର୍ମାଣ କରାଗଲେ ଚାଷୀ ପିଆଜ ଚାଷ ପ୍ରତି ଆଗ୍ରହ ଦେଖାଇବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031