Legatus

ପ୍ରବଳ ବର୍ଷାରେ ବେହାଲ ଉତ୍ତର ଭାରତ, ଜଳବନ୍ଦୀ ଯୋଗୁଁ ଫସିଛନ୍ତି ଲୋକେ

 Breaking News

ପ୍ରବଳ ବର୍ଷାରେ ବେହାଲ ଉତ୍ତର ଭାରତ, ଜଳବନ୍ଦୀ ଯୋଗୁଁ ଫସିଛନ୍ତି ଲୋକେ

July 10
12:27 2023

ନୂଆଦିଲ୍ଲୀ,୧୦/୭ : ଉତ୍ତର-ପଶ୍ଚିମ ଭାରତର ଅନେକ ଭାଗରେ ଶନି ଓ ରବିବାର ପ୍ରବଳ ବର୍ଷା ହେବା ସହ ଦିଲ୍ଲୀ ୪୦ ବର୍ଷ ରେକର୍ଡ ଭାଙ୍ଗିଛି। ରବିବାର ସକାଳ ୮ଟା ୩୦ ସୁଦ୍ଧା ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
ଉତ୍ତର-ପଶ୍ଚିମ ଭାରତରେ ଗତ ଦୁଇଦିନ ମଧ୍ୟରେ ଲଗାତାର ବର୍ଷା ହୋଇଛି। ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ପଞ୍ଜାବର ଅନେକ ଅଞ୍ଚଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇଛି।
ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ହିମାଚଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜମ୍ମୁ କାଶ୍ମୀରରେ ୫ଜଣ, ରାଜସ୍ଥାନରେ ୩ ଜଣ ଓ ଅନ୍ୟ ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି ଯେ, ଜୁଲାଇର ପ୍ରଥମ ଆଠ ଦିନରେ ଭାରତର ଅନେକ ସ୍ଥାନରେ ପ୍ରବଳ ବର୍ଷା ସମଗ୍ର ଦେଶ ପାଇଁ ପୂର୍ବର ବର୍ଷା ଅଭାବକୁ ଦୂର କରିପାରିଛି। ତଥ୍ୟ ଅନୁଯାୟୀ, ମୌସୁମୀ ଋତୁରେ ସମୁଦାୟ ବୃଷ୍ଟିପାତ ୨୪୩.୨ ମିମିରେ ପହଞ୍ଚିଛି, ଯାହାକି ୨୩୯.୧ ମିଲିମିଟର ହାରାହାରିଠାରୁ ୨ ପ୍ରତିଶତ ଅଧିକ।
ପାଣିପାଗ ବିଭାଗ ଏକ ୟେଲୋ ଆଲର୍ଟ ଜାରି କରି ପୁଣି ମଧ୍ୟମ ଧରଣ ବର୍ଷାର ଚେତାବନୀ ଦେଇଛି, ଯାହା ଦିଲ୍ଲୀ ବାସିନ୍ଦାଙ୍କୁ ଅଧିକ ସମସ୍ୟାରେ ପକାଇପାରେ। ପ୍ରବଳ ବର୍ଷା ପାର୍କ, ଅଣ୍ଡରପାସ୍, ବଜାର ଏବଂ ଏପରିକି ଡାକ୍ତରଖାନା ପରିସରକୁ ଜଳମଗ୍ନ କରି ସମସ୍ୟା ସୃଷ୍ଟି କରିଛି। ଆଣ୍ଠୁଏ ପାଣିରେ ଯାତାୟାତ କରୁଥିବା ଲୋକଙ୍କ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସହରର ଡ୍ରେନେଜ ଭିତ୍ତିଭୂମିର କାର‌୍ୟ୍ୟଦକ୍ଷତା ଉପରେ ଚିନ୍ତା ଉଦ୍ରେକ କରିଛି।
ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶରେ ଅତି କମ୍ରେ ପାଞ୍ଚ ଜଣ ଲୋକ ବର୍ଷା ବିତ୍ପାତରେ ପ୍ରାଣ ହରାଇଛନ୍ତି। ଶିମଲାରେ ତିନି ଜଣ, ଚାମ୍ବାରେ ଜଣେ ଏବଂ କୁଲୁରେ ଜଣେ ମୃତ୍ୟୁବରଣ କରିଛନ୍ତି। ହିମାଚଳ ପ୍ରଦେଶର ମନାଲିରେ ଲଗାତାର ବର୍ଷା ବ୍ୟାପକ ଧ୍ୱଂସ ଘଟାଇଛି। ହିମାଚଳ ପ୍ରଦେଶର ସାତୋଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି।
ଶନିବାର ସକାଳେ ସୋଲାନ ଜିଲ୍ଲାର କସୌଲି ଅଞ୍ଚଳରେ ବର୍ଷା ଯୋଗୁ ନିର୍ମାଣାଧୀନ ୬ଟି ଘର କ୍ଷତିଗ୍ରସ୍ତ ହୋଇଥିଲା। ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ଯୋଗୁ ଶିମଲା, ସିର୍ମାଉର୍, ଲାହାଉଲ୍ ଏବଂ ସ୍ପିଟି, ଚାମ୍ବା ଏବଂ ସୋଲାନ୍ ଜିଲ୍ଲାର ଅନେକ ଅଞ୍ଚଳରେ ରାସ୍ତା ଅବରୋଧ ହୋଇଛି। ଅନେକ ଗୁରୁତ୍ବପୂର୍ଣ୍ଣ ରାସ୍ତା ଜଳମଗ୍ନ ହୋଇ ରହିଥିବା ବେଳେ ବିଭିନ୍ନ ସ୍ଥାନରେ କଲ୍ଭର୍ଟ ନଷ୍ଟ ହୋଇଯାଇଛି।
କାଶ୍ମୀରର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ଝେଲମ୍ ନଦୀ ଏବଂ ଏହାର ଉପନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜି କାଶ୍ମୀରର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। କେତେକ ସ୍ଥାନରେ ଜୁଲାଇ ମାସରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ବୃଷ୍ଟିପାତ ହୋଇଛି।
ଅମରନାଥ ସମେତ କେତେକ ଉଚ୍ଚସ୍ଥାନରେ ତୁଷାରପାତ ହୋଇଥିଲା। ଲଗାତାର ବର୍ଷା ଓ ଭୂସ୍ଖଳନ ପରେ ଗତକାଲି କ୍ରମାଗତ ଦ୍ବିତୀୟ ଦିନ ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା।
ପ୍ରବଳ ବର୍ଷା ଯୋଗୁ ହରିୟାଣା ଓ ପଞ୍ଜାବର ଅନେକ ସ୍ଥାନରେ ପାରଦ ସାଧାରଣ ସୀମାଠାରୁ ତଳକୁ ଖସିଯାଇଥିବା ପାଣିପାଗ କାର‌୍ୟ୍ୟାଳୟ କହିଛି। ଦୁଇ ରାଜ୍ୟର ସାଧାରଣ ରାଜଧାନୀ ଚଣ୍ଡୀଗଡ଼ରେ ଦିନସାରା ବର୍ଷା ହେବା ଦେଖାଯାଇଥିଲା ଏବଂ ସର୍ବାଧିକ ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ ରହିଥିଲା।
ରାଜସ୍ଥାନର ଅନେକ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁ ପୃଥକ୍ ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଚିତୋରଗଡରେ ବଜ୍ରପାତରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସାୱାଇ ମାଧୋପୁରରେ ଦୁଇଟି ପୃଥକ୍ ଘଟଣାରେ ଦୁଇଜଣ ବ୍ୟକ୍ତି ବୁଡ଼ିଯାଇଛନ୍ତି ବୋଲି ପୋଲିସ କହିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31