Indus Valley Times

ବନ୍ୟାରେ ବୁଡ଼ିଲା ଅଧା ଓଡ଼ିଶା, ୧୦ ଜିଲ୍ଲାର ୫୪ ବ୍ଲକ ପ୍ରଭାବିତ

 Breaking News

ବନ୍ୟାରେ ବୁଡ଼ିଲା ଅଧା ଓଡ଼ିଶା, ୧୦ ଜିଲ୍ଲାର ୫୪ ବ୍ଲକ ପ୍ରଭାବିତ

August 29
20:21 2020

ଭୁବନେଶ୍ୱର,୨୯/୮ : ବନ୍ୟା ଜଳରେ ବେହାଲ ହୋଇପଡିଛି ଅଧା ଓଡ଼ିଶା । ବିଭିନ୍ନ ଜିଲ୍ଲାର ତଳି ଅଞ୍ଚଳ ଜଳମଗ୍ନ ।
ହୀରାକୁଦର ୪୬ଟି ଗେଟ ଖୋଲା ଯାଇଥିବା ବେଳେ ମହାନଦୀରେ ଆସୁଛି ବଡ଼ ବନ୍ୟା । ଗତକାଲି ରାତିରୁ ସମ୍ବଲପୁରରୁ ଜଗତସିଂହପୁର ସବୁଠି ତଳି ଅଂଚଳରେ ପଶିଛି ପାଣି । ସମ୍ବଲପୁର, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ ସବୁଠି ବନ୍ୟାଜଳରେ ବୁଡ଼ିଲାଣି ତଳି ଅଂଚଳ । ସେପଟେ ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ବିତ୍ପାତ ଯୋଗୁଁ ଯାଜପୁର, ଭଦ୍ରକରେ ୫ଲକ୍ଷ ଲୋକ ବିପନ୍ନ ହୋଇଛନ୍ତି ।
ରାଜ୍ୟର ଅଧିକାଂଶ ବଡ଼ ନଦୀରେ ବନ୍ୟା ଦେଖାଦେଇଥିବାରୁ ସରକାରଙ୍କ ମୁଣ୍ଡବ୍ୟଥା ବଢିଚାଲିଛି । ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ହୋଇଛି ମହାନଦୀରେ ବଢିଚାଲିଥିବା ଜଳସ୍ତର ।
ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ଚଳିତ ବନ୍ୟା ଯୋଗୁଁ ରାଜ୍ୟର ୧୦ଟି ଜିଲ୍ଲାର ୫୪ଟି ବ୍ଲକର ୧୨୭୬ଟି ଗ୍ରାମ ପ୍ରଭାବିତ ହୋଇଛି । ଏହି ୧୦ଟି ଜିଲ୍ଲା ହେଲା କଟକ,ଜଗତସିଂହପୁର, ପୁରୀ, ସମ୍ବଲପୁର, ବୌଦ୍ଧ,ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ବଲାଙ୍ଗୀର, ଯାଜପୁର । ପ୍ରାୟ ୪୧୫୮୧୭ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୨୭୫୭ଟି ଘର ଭାଙ୍ଗିଯାଇଛି । ପ୍ରାୟ ୫୫୨ଟି ଗ୍ରାମର ୩୮୩୦୪୬ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।
ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି । ଶନିବାର ମଧ୍ୟାହ୍ନରେ ଆଉ ଦୁଇଟି ସ୍ଲୁଇସ ଗେଟ ଖୋଲିବା ପରେ ଖୋଲିଥିବା ମୋଟ ଗେଟ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଏହି ୪୨ଟି ଗେଟ ଦେଇ ଏବେ ୮ ଲକ୍ଷ ୮୩ ହଜାର ୮୫୫ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୭ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି ।
ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର‌୍ୟ୍ୟନ୍ତ ଜଳସ୍ତର ୬୨୬.୨୭ ଫୁଟରେ ପହଞ୍ଚିସାରିଲାଣି । ଅନ୍ୟପକ୍ଷରେ କଟକ ଜିଲ୍ଲାରେ ଥିବା ମୁଣ୍ଡୁଳି ବ୍ୟାରେଜରେ ଜଳସ୍ତର ବିପଦ ସଂକେତ ଉପରକୁୁ ଉଠିଯାଇଛି । ସେଠାରେ ଏବେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଖଇରମାଳଠାରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀରେ ବନ୍ୟା ଯୋଗୁଁ ଓଡ଼ିଶାର କଟକ,ଜଗତସିଂହପୁର, ପୁରୀ, ସମ୍ବଲପୁର, ବୌଦ୍ଧ ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
କେବଳ ଏତିକି ନୁହେଁ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଯୋଗୁଁ ୬ଟି ବ୍ଲକ ଗୁରୁତରଭାବେ ପ୍ରଭାବିତ ହୋଇଛି । ତେବେ ଗତକାଲି ତୁଳନାରେ ଆଜି ଏସବୁ ନଦୀରେ ଜଳସ୍ତର କମିବା ସହ ସ୍ଥିତିରେ ଉନ୍ନତି ଆସିଛି ।
ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ୬ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ୬ଟି ପ୍ରଭାବିତ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଡି.କେ.ସିଂଙ୍କୁ କଟକ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣପଦ ସେଠୀଙ୍କୁ ଭଦ୍ରକ, ଭି.ଭି.ଯାଦବଙ୍କୁ ଯାଜପୁର ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031