Indus Valley Times

ବର୍ଷା ନଥିବାରୁ ଚାଷୀ କୂଳ ହତାଶ, ଏବେ ଆଶା ଦେଇଛି ଘୂର୍ଣ୍ଣିବଳୟ : ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା !

 Breaking News

ବର୍ଷା ନଥିବାରୁ ଚାଷୀ କୂଳ ହତାଶ, ଏବେ ଆଶା ଦେଇଛି ଘୂର୍ଣ୍ଣିବଳୟ : ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା !

July 28
13:39 2020

ଭୁବନେଶ୍ୱର ୨୮।୭: ଶ୍ରାବଣ ମାସରେ ତାତିର ଜୁଲମ । ରାଜଧାନୀ ସମେତ ୬ ସହରରେ ପାରଦ ୩୭ ଡିଗ୍ରୀ ସେଲସିୟସ୍ ଉପରେ । ଗୁଳୁଗୁଳି ବି ଭୀଷଣ । ବର୍ଷା ନଥିବାରୁ ଚାଷୀ କୂଳ ବି ହତାଶ । ରୁଆ, ବେଉଷଣ ଅଟକି ପଡ଼ିଛି । ଏଭଳି ସ୍ଥିତିରେ ଆଶା ଦେଖାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ। ଯାହାକି ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ଯଦି ପୂର୍ବାନୁମାନ ଠିକ୍ ହୁଏ, ତେବେ ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ବି ବର୍ଷା ଅଭାବ ସଙ୍କଟ ଟଳିପାରେ । ଏହି ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଅପେକ୍ଷା କରିଛି ଉପକୂଳ ଓଡ଼ିଶାର ଚାଷୀ ।
ରାଜ୍ୟରେ ସୋମବାର ଦିନ ଭୀଷଣ ଗରମ ନାକେଦମ୍ କରିଥିଲା । ଉପକୂଳ ଓଡ଼ିଶାର ଚାନ୍ଦବାଲି, କଟକ ଓ ଭୁବନେଶ୍ୱରରେ ଦିନ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ଯାହାକି ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ ଅଧିକ। ଶ୍ରାବଣରେ ସାଧାରଣତଃ ବର୍ଷା ଢାଳିବା କଥା । ମାତ୍ର ଏ ମାସରେ ଧୁ ଧୁ ଖରା ଜନଜୀବନକୁ ଦୁର୍ବିସହ କଲାଣି । କଟକରେ ଗତ ୧୦ ବର୍ଷ ଭିତରେ ଜୁଲାଇ ମାସରେ ସର୍ବୋଚ୍ଚ ତାପମାତ୍ରା କେବେ ବି ୩୭.୨ ଡିଗ୍ରୀରେ ପହଞ୍ଚି ନଥିଲା ।
ଅନ୍ୟ ସହର ଭିତରେ ଟିଟିଲାଗଡ଼, ମାଲକାନଗିରି ଓ ବୌଦ୍ଧ ସହରରେ ବି ପାରଦ ୩୭ ଡିଗ୍ରୀ ଛୁଇଁଥିଲା । ଏହାବାଦ୍ ଅନେକ ସହରରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ଥିଲା । ସକାଳୁ ସକାଳୁ ଟାଣ ଖରା ନାକେଦମ୍ କରୁଥିବାବେଳେ ଦିନ ବଢ଼ିବା ସହ ଗୁଳୁଗୁଳି ପ୍ରକୋପ ବି ଭୀଷଣ ହେଉଛି । ଦିନ ଭିତରେ କାଁ ଭାଁ ବର୍ଷା ଛିଞ୍ଚିଥିଲା । ପାଣିପାଗ ବିଭାଗ କହିଛି, ମୌସୁମୀ ଟ୍ରଫ୍ ଏବେ ହିମାଳୟ ପାଦଦେଶ ଉପରେ ରହିଛି । ତେଣୁ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ପ୍ରଭାବରେ ୩ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୧ରୁ ବର୍ଷା ବଢ଼ିପାରେ ।
ସେହିପରି ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୯ରୁ ବର୍ଷା କମିଯିବ । ୪/୫ ଦିନ ପରେ ପୁଣି ବର୍ଷା ବଢ଼ିପାରେ । ସମ୍ଭାବ୍ୟ ଲଘୁଚାପ ଶକ୍ତିଶାଳୀ ରହିଲେ ଉପକୂଳରେ ନିଅଣ୍ଟିଆ ବର୍ଷା ସ୍ଥିତି ଦୂର ହୋଇପାରେ ।
ଜୁନ୍ ପହିଲାରୁ ଆଜି ସୁଦ୍ଧା ଓଡ଼ିଶାରେ ସମୁଦାୟ ୪୫୮.୪ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱାଭାବିକଠାରୁ ୧୦% କମ୍ । ପୂର୍ବରୁ ୯ଟି ଜିଲ୍ଲାରେ ବର୍ଷା ଅଭାବ ଥିବାବେଳେ ଏହି ତାଲିକାରେ ଆଉ ଦୁଇଟି ଜିଲ୍ଲା (କେନ୍ଦୁଝର ଓ ମୟୂରଭଞ୍ଜ) ସାମିଲ ହୋଇଛି । ୧୧ ଜିଲ୍ଲାରେ ଏବେ ବର୍ଷା ଅଭାବ ରହିଛି ।
ପୁରୀ ଜିଲ୍ଲାରେ ୪୮% କମ୍ ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡ଼ାରେ ୪୩%, ଖୋର୍ଦ୍ଧାରେ ୪୨%, ଯାଜପୁରରେ ୪୧%, କଟକରେ ୪୦% କମ୍ ବର୍ଷିଛି ମୌସୁମୀ । ସେହିପରି ବାଲେଶ୍ୱରରେ ୩୪%, ଭଦ୍ରକରେ ୨୭%, ଜଗତସିଂହପୁରରେ ୨୭%, କେନ୍ଦୁଝରରେ ୨୨%, ମୟୂରଭଞ୍ଜରେ ୨୧% ଓ ସୋନପୁରରେ ୨୯% କମ୍ ରହିଛି ବର୍ଷା।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031