Indus Valley Times

ବାଲିଗୁଡାରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ: ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

 Breaking News

ବାଲିଗୁଡାରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ: ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବାଲିଗୁଡାରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ: ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ
June 22
19:31 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୨/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବା ପରେ ପୁରୋହିତ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥି ପୂଜା ନୀତି ଆରମ୍ଭ କରିଥିଲେ। ଏହାପରେ ମନ୍ଦିର ପୂଜକ ମହେଶ୍ୱର ପଣ୍ଡାଙ୍କ ସମେତ ସମସ୍ତ ପୂଜକ ମାନେ ୧୦୮ ଢାଳ ସୁବାସିତ ଜଳରେ ଠାକୁର ମାନଙ୍କୁ ସ୍ନାନ କରାଯିବା ପରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶ କରାଯାଇଥିଲା ।
ମନ୍ଦିର ଟ୍ରଷ୍ଟି ମଧୁସୂଦନ ଦାସ, ଟି. ଶ୍ରୀନିବାସ ରାଓ, ଲୋକନାଥ ପାଢ଼ୀ, ଜୀବାନନ୍ଦ ମହାରଣାଙ୍କ ସମେତ ବ୍ରାହ୍ମଣ ସମାଜ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ସ୍ନାନ ଯାତ୍ରା ଦେଖିବା ପାଇଁ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ଟ୍ରକ୍ ତଳେ ଶୋଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ
ବାଲିଗୁଡ଼ା, ୨୨/୬: ଟ୍ରକ୍ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଘଟଣା । ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଞ୍ଚ ଦିନ ହେବ ରାସ୍ତା କଡ଼ରେ ଗାଡ଼ି ରଖି ଜଗିଥିଲେ ଡ୍ରାଇଭର । ମୃତ ଟ୍ରକ୍ ଡ୍ରାଇଭର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳର ଚିତ୍ତରଞ୍ଜନ ବସ୍ତିଆ ହୋଇଥିବା ସୂଚନା ମିଳିଛି ।
ସୂଚନା ପ୍ରକାରେ ଡ୍ରାଇଭର ଜଣକ ଟ୍ରକ୍ ନଂ-ଓଡି-୦୫-ଜେଡ-୦୩୦୬ ଟ୍ରକରେ ଏକ ଏଚ୍ ଡ଼ିଡ଼ି ମେସିନ୍ ନେଇ ପାରିଗଡ଼ରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ବୁଢ଼ାନଈ ନିକଟରେ ଟ୍ରକଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ଥିଲା । ମରାମତି କରିବାପାଇଁ ଗାଡ଼ି ଅଟକାଇ ଡ୍ରାଇଭର ଜଣକ ପାଞ୍ଚଦିନ ହେବ ରାସ୍ତା କଡ଼ରେ ଗାଡ଼ିକୁ ଜଗି ରହିଥିଲେ ।
ଗାଡ଼ି ତଳେ ଶୋଇଥିବା ଡ୍ରାଇଭର ଦୀର୍ଘ ସମୟ ଧରି ନ ଉଠିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଏନେଇ ବାଲିଗୁଡ଼ା ଥାନା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ତେବେ ସମ୍ପୃକ୍ତ ଡ୍ରାଇଭର ଜଣଙ୍କର ମୃତ୍ୟୁ କିଭଳି ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
କନ୍ଧମାଳରୁ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ଧରାପଡିଲା : ଗଞ୍ଜେଇ ସହ ବାଇକ ଓ କାର ଜବତ , ୪ଜଣ ଗିରଫ
ବାଲିଗୁଡା ,୨୨/୬: କନ୍ଧମାଳ ରୁ ଭାୟା ରାଉରକେଲା ହୋଇ ଦିଲ୍ଲୀ କୁ ଏକ ଫର୍ଡ କାର ଓ ବାଇକ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ୪ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୩ କେଜି ଗଞ୍ଜେଇ ଜବତ ହୋଇଛି ।
ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ଥାନା ଏସ ଆଇ ଭୋଳାନାଥ ପଣ୍ଡାଙ୍କ ସହ ସଦଳବଳ ନିକଟସ୍ତ ବଡଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ବଡଗାଁ କନ୍ୟାଶ୍ରମ ନିକଟରେ ଏକ ଫର୍ଡ କାର ଓଡି-୦୫-ପି -୮୬୮୮ ଏବଂ ପଲସର ବାଇକ ନଂ. ଓଆର- ୦୫-ଏଆର-୫୩୧୩ ରେ ଆସୁଥିବା ବେଳେ ସେମାନଙ୍କୁ ଅଟକାଇ ଚେକିଙ୍ଗ କରୁଥିବା ବେଳେ ଘଟଣା ସ୍ଥଳରୁ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିବା ସହ ଏ ନେଇ ବାଲିଗୁଡା ଥାନା ରେ କେଶ ନଂ.୧୪୩ /୨୪ ରେ ଏକ ମାମଲା ରୁଜୁ ହୋଇଛି ।
ଏଥିରୁ ଜଣେ ଦିଲ୍ଲୀ ଅଞ୍ଚଳର ଧନଞ୍ଜୟ ସୋନି ହୋଇଥିବା ବେଳେ ଆଉ ତିନି ଜଣ ଫିରିଙ୍ଗିଆ ଥାନା ସାଡିଙ୍ଗିଆ ଅଞ୍ଚଳର ବୁଧେଇ ଦିଗାଲ, ଉତ୍ତମ ଦିଗାଲ ଓ ରଶ୍ମିତା ଦିଗାଲ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।
କନ୍ଧମାଳ ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର: ଜନସାଧାରଣ ଭୟଭୀତ
କନ୍ଧମାଳ, ୨୨/୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଏବଂ ଗୋଛାପଡା ଥାନା ଅଧୀନ କ୍ରାଣ୍ଡିବାଲି, ପକାରୀ ସହ ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। କିଛି ଦିନର ନୀରବତା ପରେ ମାଓବାଦୀ ସଂଗଠନ ଏହି ଅଞ୍ଚଳରେ ପୁଣି ଥରେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଛନ୍ତି।
ଏହି ପୋଷ୍ଟର ପଡିବା ପରେ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ଫେବୃଆରୀ ୫ ତାରିଖ ଦିନ ଗୋଛାପଡା ଥାନା କଙ୍ଗେରିକିଆ ଗାଁରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଦଶରୁକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଗତ ଫେବୃଆରୀ ୩ ତାରିଖ ଦିନ ମାଓବାଦୀ ଦଶରୁ ଏକ ଟିମ ସହ କଙ୍ଗେରିକିଆ ଗାଁକୁ ଆସିଥିବା ବେଳେ ଆଗରୁ ପ୍ରସ୍ତୁତ ଥିବା ପୁଲିସ ତା’କୁ ଜୀବନ୍ତ ଧରିଥିଲା ଓ ଫେବୃୟାରୀ ୫ ତାରିଖରେ ପୁଲିସ ତା’କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଦଶରୁର ମାଓବାଦୀ ସଂଗଠନ ପ୍ରତି ଅବଦାନ ବ୍ୟର୍ଥ ଯିବନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।
ପୋଷ୍ଟର ପଡିବା ପରେ ଏହି ଅଞ୍ଚଳ ଗୁଡ଼ିକରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଞ୍ଚଳବାସୀଙ୍କୁ ଭୟଭୀତ ନ ହେବା ପାଇଁ ଫିରିଙ୍ଗିଆ ଓ ଗୋଛାପଡା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031