Indus Valley Times

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

 Breaking News

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ
June 04
17:47 2026

ଭୁବନେଶ୍ୱର, ୪/୬ : ପ୍ରଖ୍ୟାତ କବି, ଲେଖକ ତଥା ପ୍ରଶାସକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ହୋଇଛି। ୯୦ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନ୍ୟତମ ଜେ.ପି. ଦାସଙ୍କୁ କବିତା, କଥାସାହିତ୍ୟ, ନାଟକ, ଆଲୋଚନା ଓ କଳା ଇତିହାସରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ବେଶ୍ ଜଣାଯାଏ ।
୧୯୩୬ ମସିହାରେ ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମିତ ଜେ.ପି.ଦାସ ୧୯୭୦ ଦଶକରେ ଏକ ସଶକ୍ତ ସାହିତ୍ୟର ସ୍ୱର ରୂପେ ଉଭା ହୋଇଥିଲେ।
ଗହନ ମାନବତାବାଦୀ ଲେଖା ମାଧ୍ୟମରେ ସମକାଳୀନ ଓଡ଼ିଆ ସାହିତ୍ୟକୁ ଆକାର ଦେବାରେ ଜେ.ପି ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଦାସ ତାଙ୍କ କିଶୋରାବସ୍ଥାରୁ କବିତା ଲେଖିବା ଆରମ୍ଭ କରିଦେଇଥିଲେ।
୧୯୫୦ ଦଶକ ପ୍ରାରମ୍ଭରେ ସେ ସାହିତ୍ୟ ଜଗତରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିସାରିଥିଲେ। ତେବେ କଟକ ରେଭେନ୍ସା କଲେଜରୁ ସ୍ନାତକ ଉତୀର୍ଣ୍ଣ ହେବା ପରେ ଉଚ୍ଚଶିକ୍ଷା ନିମନ୍ତେ ଆହ୍ଲାବାଦ ଚାଲିଯାଇଥିଲେ ଓ ପରେ ୧୯୫୮ ମସିହାରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍)ରେ ଯୋଗ ଦେଇଥିଲେ। ଏକ ଦୀର୍ଘ ପ୍ରଶାସନିକ କ୍ୟାରିୟର ସତ୍ତ୍ୱେ ସାହିତ୍ୟ ଲାଗି ତାଙ୍କ ନିଶା କିନ୍ତୁ ଜୀବିତ ଥିଲା।
ପାଖାପାଖି ୧୫ ବର୍ଷର ଦୀର୍ଘ ଅନ୍ତରାଳ ପରେ ସେ ପୁଣି ରଚନାତ୍ମକ ଲେଖା କ୍ଷେତ୍ରକୁ ପ୍ରବେଶ କରିଥିଲେ। ୧୯୭୧ ମସିହାରେ ସେ ତାଙ୍କର ପ୍ରଥମ କବିତା ସଂଗ୍ରହ ‘ପ୍ରଥମ ପୁଋଷ’ ସଂକଳନ କରିଥିଲେ।
ତାଙ୍କର ଏହି କୃତିକୁ ଏହାର ଭାବନାତ୍ମକ ସ୍ପଷ୍ଟତା, ଲୟର ସୁନ୍ଦରତା ଓ ଏହାର କଥିତ ଭାଷା ପାଇଁ ଓଡ଼ିଆ କବିତାରେ ଆଧୁନିକ ସ୍ୱର ରୂପେ ଗ୍ରହଣ କରାଯାଇଥିଲା।
ଦୀର୍ଘ ବର୍ଷରେ ଦାସ କବିତା, ଲଘୁ କଥା ଓ ନାଟକର ଅନେକ ପ୍ରଶଂସିତ ସଂଗ୍ରହ ରଚନା କରିଥିଲେ। ତାଙ୍କ କବିତା ସଂଗ୍ରହ ‘ଅହିନିକ’କୁ ୧୯୯୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଆକାଡେମୀ ପରେ ଏହାକୁ ହିନ୍ଦୀ, ବେଙ୍ଗଲୀ, ଅସମିୟା ଓ ଇଂରାଜୀ ଭାଷାରେ ପ୍ରକାଶନ କରିଥିଲା।
ସାହିତ୍ୟ ଏକାଡେମୀ ଅନୁସାରେ ରାଜନୀତି ବିଜ୍ଞାନରେ ଏମଏ ଓ କଳା ଇତିହାସରେ ପିଏଚଡି ଉପାଧି ପ୍ରାପ୍ତ ଦାସ ‘ଦେଶ କାଳ ପାତ୍ର’ ନାମକ ଏକ ଐତିହାସିକ ଉପନ୍ୟାସ ଲେଖିଥିଲେ, ଯାହା ଔପନିବେଶିକ ଶାସନ କାଳରେ ଓଡ଼ିଶାର ପାରମ୍ପରିକ ସମାଜରେ ପରିବର୍ତ୍ତନର ଏକ ଅନନ୍ୟ ଚିତ୍ର ପ୍ରସ୍ତୁତ କରୁଛି।
ତାଙ୍କର ଏହି ମୌଳିକ କୃତି ପରେ ସବୁ ଭାରତୀୟ ଭାଷାରେ ପ୍ରକାଶିତ ହୋଇଥିଲା। ସେ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଭଳି ନାଟକ ମାଧ୍ୟମରେ ଜଣେ ନାଟ୍ୟକାର ରୂପରେ ମଧ୍ୟ ବେଶ୍ ଖ୍ୟାତି ପ୍ରାପ୍ତ କରିଥିଲେ। ଏହି ନାଟକଟି ପରେ ଅନେକ ଭାଷାରେ ଅନୁବାଦ ହୋଇ ସାରା ଭାରତରେ ମଞ୍ଚସ୍ତ ହୋଇଥିଲା। ତାଙ୍କ ଲଘୁ କାହାଣୀ ତାଙ୍କୁ ଜଣେ କୁଶଳ କଥାକାର ଭାବେ ସ୍ଥାପିତ କରିଥିଲା।
ସାହିତ୍ୟ ବ୍ୟତୀତ ଦାସ ‘ପୁରୀ ପେଣ୍ଟିଂସ୍’ ଓ ‘ଚିତ୍ରପୋଥି’ ଭଳି ରଚନା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତି ଅଧ୍ୟୟନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛନ୍ତି।
ଏହା ଛଡା ସେ ଅନେକ ସାହିତ୍ୟିକ କୃତିକୁ ଇଂରାଜୀରେ ଅନୁବାଦ କରିଛନ୍ତି ଓ ଅନେକ ଗୁରୁତ୍ୱପୂର୍ଣ୍ଣ ସଂକଳନ ସମ୍ପାଦନା କରିଛନ୍ତି।
ଜଣେ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଉଲ୍ଲେଖନୀୟ ଥିଲା। କଳାହାଣ୍ଡି ଜିଲ୍ଲା କଲେକ୍ଟର ଭାବେ ସେ ୧୯୬୩-୧୯୬୬ରେ ମରୁଡିଗ୍ରସ୍ତ ଜିଲ୍ଲାରେ ନିଜ ର୍କାଂ୍ୟ ଲାଗି ଉଚ୍ଚ ପ୍ରଶଂସିତ ହୋଇଥିଲେ। ୧୯୮୪ ମସିହାରେ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେବା ପରେ ତାଙ୍କ ପୁରା ଜୀବନକୁ ଲେଖା ଓ ଗବେଷଣା ନିମନ୍ତେ ସମର୍ପଣ କରିଦେଇଥିଲେ।
ଦାସ ଜଣେ ଚିରସ୍ଥାୟୀ ସାହିତ୍ୟିକ ଥିଲେ ହେଲେ ପୁରା ଜୀବନ ପ୍ରସିଦ୍ଧିରୁ ନିଜକୁ ଦୂରରେ ରଖିଥିଲେ। ସେ ତାଙ୍କ ପାର୍ଥୀବ ଶରୀରକୁ ଦାନ କରିଯାଇଛନ୍ତି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ, ଅନ୍ୟ ବରିଷ୍ଠ ରାଜନେତା, ସାହିତ୍ୟିକ ଓ ପ୍ରଶାସକ ଶୋକ ପ୍ରକଟ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031