Indus Valley Times

ବୌଦ୍ଧ: ଜାତୀୟ ରାଜପଥରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

 Breaking News

ବୌଦ୍ଧ: ଜାତୀୟ ରାଜପଥରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

December 15
20:49 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧୨ବୌଦ୍ଧ ସହର ମଧ୍ୟରେ ସଙ୍କୁଚିତ ରାଜପଥ ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଦୁଇଟି ଭାରିଯାନ ପରସ୍ପରକୁ ଅତିକ୍ରମ କରିବା ମୁସ୍କିଲ ହୋଇ ପଡ଼ୁଛି। ଫଳରେ ଦୀର୍ଘ ସମୟ ଗାଡ଼ି ମଟର ଜାମ ରହୁଛି। ଏନଏସି ଛକରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖ ପର‌୍ୟ୍ୟନ୍ତ ରାସ୍ତା ଅଧିକାଂଶ ସମୟରେ ଏଭଳି ସ୍ଥିତି ଦେଖାଯାଉଛି। ବୁଧବାର ଏନଏସି ଛକଠାରୁ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାସ୍ତା କଡ଼ରେ ଥିବା ଚା, ପାନ ଓ ଅନ୍ୟ ଦୋକାନଗୁଡ଼ିକ ସହ ଦୋକାନ ସାମ୍ନା ଡ୍ରେନକୁ ଅକ୍ତିଆର କରାଯାଇଥିବା ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ସବୁ ବେଳେ ବ୍ୟସ୍ତ ରହିଥାଏ। ଭାରୀଯାନଗୁଡ଼ିକର ଯାତାୟତ ଯୋଗୁଁ ଅନେକ ସମୟରେ ସହରରେ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ। ପୁରୁଣା କୋଠାଗୁଡ଼ିକ ଯୋଗୁଁ ସହରର କିଛି ସ୍ଥାନରେ ରାଜପଥ ସଙ୍କୁଚିତ ହୋଇ ପଡ଼ିଛି। ରାସ୍ତା ପାର୍ଶ୍ବର ଥିବା ସରକାରୀ କୋଠା ଯୋଗୁଁ ରାସ୍ତା ଓସାର ହୋଇ ପାରୁ ନାହିଁ। ଯାହା ଦ୍ବାରା ସମସ୍ୟା ଜଟିଳ ହୋଇଥାଏ।
ରାସ୍ତାର ପ୍ରଶସ୍ତିକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ରାସ୍ତାକୁ ଲାଗି ରହିଥିବା ସିଡିଏମଓ ଅଫିସର ମୁଖ୍ୟ ଫାଟକ ଓ ପାଚେରୀ ଭଙ୍ଗା ଦୂରତା ବଜାୟ ରଖି ନୂତନ ଭାବରେ ନିର୍ମାଣ କରାଯାଉଛି। କୋଭିଡ କେୟାର ସେଣ୍ଟର ସମ୍ମୁଖରେ ଥିବା ଅଣଓସାରିଆ ପୋଲକୁ ଭାଙ୍ଗି ଓସାରିଆ କରାଯାଉଛି। ତେବେ ଅନେକ ସ୍ଥାନରେ ଡ୍ରେନକୁ ମଧ୍ୟ ଲୋକେ ମାଡ଼ି ବସିଛନ୍ତି। ଦୋକାନ ସମ୍ମୁଖରେ ଥିବା ଡ୍ରେନକୁ ଅତିକ୍ରମ କରି ଜବର ଦଖଲ କରି ରଖିଛନ୍ତି। ସେଗୁଡ଼ିକୁ ଚିହ୍ନଟ କରି ଭଙ୍ଗା ଯାଇଛି। ଉଚ୍ଛେଦ ବେଳେ ତହସିଲଦାର ଅବିନାଶ ପାଣ୍ଡିଆ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଷ୍ଟେଟବ୍ୟାଙ୍କ ପକ୍ଷରୁ ଗୃହଋଣ ପାଇଁ କର୍ମଶାଳା

ବୌଦ୍ଧ,୧୫ ।୧୨ : ବୌଦ୍ଧ ଷ୍ଟେଟବ୍ୟାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମିଳନୀକକ୍ଷରେ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ଗୃହଋଣ ସମ୍ପର୍କିତ ଏକ କର୍ମଶାଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ବୌଦ୍ଧ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ପ୍ରଦିପ ଚନ୍ଦ୍ର ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଗୃହଋଣ ସଂପର୍କିତ ସୂଚନା ପ୍ରଦାନ କରିଥିଲେ । ବୁଟୁପାଲି ଷ୍ଟେଟବ୍ୟାଙ୍କ କୃଷିଶାଖାର ମୁଖ୍ୟ ପରିଚାଳକ ହେମନ୍ତ କୁମାର ପ୍ରଧାନ, ଗୃହଋଣ ର ଆରଏସିସି ବୌଦ୍ଧ ଜୀବନ କୁମାର ପଣ୍ଡା, ଆରବିଓ ଫୁଲବାଣୀ ବେହେରା ଏବଂ ସଂଜୟ କୁମାର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଗୃହଋଣ ସଂପର୍କିତ ସୂଚନା ସହିତ କର୍ମଚାରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ଉପଯୁକ୍ତ କଳାକାର ଚିହ୍ନଟ କରି ଭତା ପ୍ରଦାନ କରିବାକୁ ନିର୍ଦ୍ଦେଶ
ବୌଦ୍ଧ : ୧୫/୧୨: ବୁଧବାର ଦିନ ଅପରାହ୍ନ ୫ ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ବିଭିନ୍ନ ଘଟଣାମୂଳକ ପଏଣ୍ଟ ଉପରେ ପ୍ରତ୍ୟେକ ବିଭାଗର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ,ସେକ୍ସନ ଅଫିସରଙ୍କୁ ଏହାର ଉପସ୍ଥାପନା ଏବଂ ଶିଘ୍ର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାରେ ଆସନ୍ତା ୧୬ ରୁ ୧୯ ତାରିଖ ଯାଏ ହେବାକୁଥିବା କଳାକାର ଭତ୍ତା ନିମନ୍ତେ ପ୍ରାଥମିକ ଚୟନ ପ୍ରକିୟା ଯେପରି ଠିକ୍ ଭାବରେ ପରିଚାଳନା କରାଯିବ ଏବଂ ଉପଯୁକ୍ତ କଳାକାର ଯେପରି ଭତ୍ତା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦଳବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହିତ ବିଡିଓମାନଙ୍କୁ ଆବେଦନ କରାଯାଇଥିବା ଭାଗବତ ଟୁଙ୍ଗି ପ୍ରକିୟାକୁ ତୁରନ୍ତ ପୂରଣ କରି କାର‌୍ୟ୍ୟାଦେଶ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହିତ ଆଜାଦି କି ଅମୃତ ମହୋତ୍ସବ ନିର୍ଦ୍ଧାରିତ ସୂଚୀ ପ୍ରକାରେ ଆୟୋଜନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ପ୍ରକାର ଉତ୍ସବ ଠିକ୍ ଭାବରେ ପାଳନ କରାଯିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ବ୍ୟକ୍ତିଗତ ମାମଲାଗୁଡିକ ସମାଧାନ,ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ଗୁଡିକ ତୁରନ୍ତ ଫଇସଲା, ସମସ୍ତ ଅଧିକାରୀ ପ୍ରତିଦିନ ମେଲ ଯାଞ୍ଚ କରିବା,ବିଧାନସଭାରୁ ଆସୁଥିବା ପ୍ରଶ୍ନର ଉତ୍ତର ତୁରନ୍ତ ପ୍ରସ୍ତୁତ କରି ଦେବା,ସୂଚନା ଅଧିକାର ମାମଲାଗୁଡିକ ତୁରନ୍ତ ତଥ୍ୟ ପ୍ରଦାନ କରିବା,କ୍ଷମା ପ୍ରାର୍ଥନା ମାମଲା ଗୁଡିକ ତୁରନ୍ତ ସମାଧାନ,କର୍ମଚାରୀଙ୍କ ସରକାରୀ ଆବାସ ମରାମତି, ପଡି ରହିଥିବା ଫାଇଲ ଗୁଡିକ ତୁରନ୍ତ ଫଇସଲା କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ବୈଠକରେ ଡେପୁଟି କଲେକ୍ଟର ଝରଣା ପ୍ରଧାନ,ସ୍ଥାପନା ଅଧିକାରୀ ଶାନ୍ତିସୁଧା ପାତ୍ର,ବିଜୟ କୁମାର ପ୍ରଧାନ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ,ଜମି ଅଧିଗ୍ରହଣ ଭୂଉନ୍ନୟନ ଅଧିକାରୀ ସତ୍ୟଜିତ ମହାପାତ୍ର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ନିଜାରତ,ତାଉଜି,ନିର୍ବାଚନ,ସାଧାରଣ ଓ ବିବିଧ,ଉନ୍ନୟନ,ସମାଜ ମଙ୍ଗଳ,ଜିଲ୍ଲା ପଞ୍ଚାୟତ,ଅଦାଲତ, ବିଭାଗର ସେକ୍ସନ ଅଫିସରମାନେ ଉପସ୍ଥିତ ଥିଲେ ।
ବୌଦ୍ଧ ଶିକ୍ଷା ଜିଲ୍ଲା ତରଫରୁ ସ୍ୱଚ୍ଛତାପକ୍ଷ ପାଳନ
ବୌଦ୍ଧ,୧୪/୧୨: ବୌଦ୍ଧ ଶିକ୍ଷା ଜିଲ୍ଲାରେ ଡିସେମ୍ବର ଏକ ରୁ ପନ୍ଦର ମଧ୍ୟରେ ବିଭିନ୍ନ ବିଦ୍ୟାଳୟରେ ସ୍ୱଛତା ପକ୍ଷ ପାଳନ ହୋଇ ଯାଇଅଛି କ୍ଷ
ବୁଧବାର ଦିନ ଦିନ ୧୦ ଘଣ୍ଟା ସମୟରେ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ତରଫରୁ ପରିମଳ ସଚେତନତା କାର‌୍ୟ୍ୟକ୍ରମ ଏବଂ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରୀତିଯୋଗିତା ଅନୁଷ୍ଠିତ ହୋଇଥିଲା କ୍ଷ
ଆୟୋଜିତ ସଭାରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ, ସମ୍ମାନୀତ ଅତିଥି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଓ ଜିଲ୍ଲା ଶାରୀରିକଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା ଯୋଗ ଦେଇଥିଲେ କ୍ଷ
ସ୍ୱଚ୍ଛଭାରତ ଗଠନ ପାଇଁ ପ୍ରଥମେ ଶପଥ ପାଠ କଲାପରେ, ବିଦ୍ୟାଳୟ ପରିବେଶ ତଥା ନିଜେ ରହୁଥିବା ପରିବେଶ ପରିଷ୍କାର ପାରିଛନ୍ନ ରଖିବା, ଥରେ ବ୍ୟବହାର ଯୋଗ୍ୟ ପଲିଥିନକୁ ଉଚିତ ଉପାୟରେ ନଷ୍ଟ କରିବା, ଉପଯୁକ୍ତ ଶୌଚାଳୟ ବ୍ୟବହାର କରିବା ଉପରେ ଅତିଥି ମାନେ ବକ୍ତବ୍ୟ ଦେଇଥିଲେ କ୍ଷ
ଏହାପରେ ପିଲାମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭମ କୁମାର ସାହୁ ନୋଡାଲ ଉଚ୍ଚ ବିଦ୍ୟାଳୟ ହରଭଙ୍ଗା, ଦ୍ଵିତୀୟ ଜୟପ୍ରକାଶ ମୁଖି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ, ତୃତୀୟ ଦେବଦାସ ମେହେର ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ଗଣେଶ ସାହୁ, ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ, ଦ୍ଵିତୀୟ ଅବର୍ଣ୍ଣ ମହାପାତ୍ର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧ, ତୃତୀୟ ଜ୍ୟୋତିର୍ମୟୀ ମିଶ୍ର ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ବିରନରସିଂହପୁର ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା କ୍ଷ ଶିକ୍ଷକ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ କ୍ଷ
ବୀରନରସିଂହପୁରରେ ପଞ୍ଚମ ଗଡ଼ଜାତ ଲୋକମହୋତ୍ସବ ଉଦଘାଟିତ
ବୌଦ୍ଧ,୧୫/୧୨: ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଉଦଘାଟିତ ହୋଯାଇଛି।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗଡ଼ଜାତ ସସ୍କୃତି ପରମ୍ପରାକୁ ବଜାୟ ରଖି ଥିବାରୁ ଗଡ଼ଜାତ ସାଂସ୍କୃତିକ ପରିଷଦର କାର‌୍ୟ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂହ ଓ ବୀରନରସିଂହପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଫିଲ୍ମ ଜଗତ ର ଶ୍ରେଷ୍ଠ ନିର୍ଦ୍ଦେଶକ ବନମାଳି ରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ବୌଦ୍ଧ ର ସଂସ୍କୃତି ପରମ୍ପରା ଦଣ୍ଡନାଚ ର ମହିମା ସମ୍ପର୍କ ରେ ଆଲୋଚନା କରିବା ସହ ବାଲ୍ୟବିବାହ ଉପରେ ହୋଇଥିବା କର୍ମଶାଳା ପ୍ରସଙ୍ଗରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ୧୭ ବର୍ଷ ପର‌୍ୟ୍ୟନ୍ତ କରାଗଲେ ବାଲ୍ୟବିବାହ କୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ। କୃତୀ କ୍ରୀଡାବିତ୍ ଭାବେ ଶ୍ରୀକାନ୍ତ ବହିଦାର ଓ ସମ୍ବଲପୁର ଧମା ର ସଙ୍ଗୀତା ହାତୀ ଙ୍କୁ କୃତୀ କଳାକାର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁଶାନ୍ତ କୁମାର ଭୋଇ, ପ୍ରଣୟିନି ଲେଙ୍କା, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବାଲ୍ୟ ବିବାହ ବନ୍ଦ ସଚେତନ ଶିବିର କୁ ପରିଚାଳନା କରିଥିଲେ। ବନମାଳି ରଣା ରଚିତ ବ୍ରହ୍ମା କୁମ୍ଭାର ନିର୍ଦ୍ଦେଶିତ , ଦେବାଶିଷ ମହାକୁଡ ପ୍ରଯୋଜିତ ଏବଂ ଇରା ମହାନ୍ତି ଓ ଟି ସୌରୀ ଗାଇଥିବ। ଗୀତ” ଶୀତୁଆ ରାତି” ଓ ,”ଅଧାଲେଖା ପ୍ରେମ ଗଳପ” ର ଗଡ଼ଜାତ ଏଣ୍ଟର୍ ଟେନ୍ ମେଣ୍ଟ ୟୁବ ଟ୍ୟୁବ୍ ଚାନେଲ ଉନ୍ମୋଚିତ ହୋଇଥିଲା। ସମସ୍ତ କର‌୍ୟ୍ୟକ୍ରମକୁ ବିଜୟ କୁମାର ସାହୁ ସଂଯୋଜନା କରିଥିଲାବେଳେ ନୀଳାଚଳ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
‘ଉତ୍ସର୍ଗ’ ପକ୍ଷରୁ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ
ବୌଦ୍ଧ,୧୫/୧୨: ବୌଦ୍ଧଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଇବା ପରେ ବୌଦ୍ଧ ସହରର ‘ଉତ୍ସର୍ଗ’ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ କରାଯାଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରୋଗୀ, ରୋଗୀଙ୍କ ସଂପର୍କିୟ ମାନଙ୍କୁ, ବାପୁଜୀନଗର, ସହରର ବିଭିନ୍ନ ସ୍ଥାନରେ ଅସହାୟ ଓ ନିରାଶ୍ରୟ ଅବସ୍ଥାରେ ରହୁଥିବା ୧୦୦ ଲୋକଙ୍କୁ କମ୍ବଳ ବଂଟନ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଂଚଳରେ ବହୁସଂଖ୍ୟାରେ ଅସହାୟ ଓ ନିରାଶ୍ରୟ ଅବସ୍ଥାରେ ରହୁଥିବା ଲୋକଙ୍କୁ ଦେବାପାଇଁ ଅଧିକ ସଂଖ୍ୟାରେ କମ୍ବଳର ଆବଶ୍ୟକତା ରହୁଥିବାରୁ କମ୍ବଳ ଓ ଆର୍ଥିକ ସହଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।
‘ଉତ୍ସର୍ଗ’ ପକ୍ଷରୁ ୪ ବର୍ଷ ହେଲା ଅସହାୟ ଓ ନିରାଶ୍ରୟ ମାନଙ୍କୁ କ୍ରମାଗତ ଭାବେ ନୂତନ ଓ ପୁରାତନ ବସ୍ତ୍ର ବିତରଣ କରିବା ସହିତ ଶୀତ ସମୟରେ କମ୍ବଳ ବଂଟନ କରାଯାଉଛି ।
ଏହା ସହିତ ୨ ବର୍ଷ ହେଲା ଅମୂଲ୍ୟ ଆହାର ଯୋଜନା ଆରମ୍ଭ କରାଯାଇ କରୋନା ପଜିଟିଭ ଏବଂ ଅନ୍ୟମାନଙ୍କୁ ଖାଦ୍ୟ ବିତରଣ କରାଯାଇଛି ।
ପ୍ରତି ରବିବାର ସଂନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କ ସଂପର୍କିୟ ଏବଂ ଅନ୍ୟ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଉଛି ,ଅନୁଷ୍ଠାନର ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ନାରାୟଣ ଅଗ୍ରୱାଲ, ଦୀପକ କୁମାର ଅଦର, ମିଥୁନ ସାହୁ, ଦୀପକ ମହାରଣା ପ୍ରମୁଖ କମ୍ବଳ ବଂଟନ କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

ବୌଦ୍ଧର ପଣ୍ଡିତ ସତ୍ୟନାରାୟଣ ପଣ୍ଡାଙ୍କ ଦେହାନ୍ତରେ ବ୍ରାହ୍ମଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ବୌଦ୍ଧ,୧୫/୧୨: ବୌଦ୍ଧ ସହର ବଗିଚାସାହି ସ୍ଥିତ ପ୍ରତିଷ୍ଠିତ ପଣ୍ଡିତ ସତ୍ୟନାରାୟଣ ପଣ୍ଡାଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାର ହେବାପରେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ଶୋକର ଛାୟା ଖେଳିଯାଇଥିଲା ।
ସେ ବୌଦ୍ଧ ସହରର ରଘୁନାଥ ମନ୍ଦିର ପୂଜକ ଦାୟିତ୍ୱ ସହିତ କର୍ମକାଣ୍ଡି ପୁରୋହିତ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ । ମୃତ୍ୟୁ ସମୟରେ ତାଙ୍କର ଚାରିପୁଅ ଗୋପିନାଥ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା, କ୍ଷୀତିନ୍ଦ୍ର କୁମାର ପଣ୍ଡା, ଦିଲ୍ଲୀପ କୁମାର ପଣ୍ଡା, ରାକେଶ କୁମାର ପଣ୍ଡା ସମେତ ଝିଅ ନାତି ନାତୁଣି ଉପସ୍ଥିତ ରହିଥିଲେ ।
ତାଙ୍କୁ ମହାନଦୀ କୂଳ ଶ୍ମ୍ମଶାନ ଘାଟରେ ଅନ୍ତ୍ୟେଷ୍ଟିକ୍ରୀୟା କରାଯାଇଥିଲା । ଶବ ସତ୍କାର କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ, ଲକ୍ଷ୍ମୀ ବାସୁଦେବ ପଣ୍ଡିତ ସଂଘ ଓ ରାମଲୀଳା ନାଟ୍ୟସଂସଦର କାର୍ଯ୍ୟକର୍ତାମାନେ ଯୋଗଦାନ କରିଥିଲେ । ସଂଧ୍ୟାରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜ ତରଫରୁ ଶୋକସଭା କରାଯାଇଥିଲା ।
ଏଥିରେ ସଂପାଦକ ଦେବାଶିଷ ପୁରୋହିତ ପଣ୍ଡିତ ସଂଘର ସଭାପତି ସଞ୍ଜୀବ କୁମାର ପଣ୍ଡା, ପଣ୍ଡିତ ରଂଜିତ କୁମାର ହୋତା. ମାନସ କୁମାର ମିଶ୍ର, ଶିବପ୍ରସାଦ ପାଣିଗ୍ରାହୀ, ପୁର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ସମାଜର ଉପ ସଭାପତି ଶମ୍ଭୁପ୍ରସାଦ ମିଶ୍ର ସ୍ମୃତିଚାରଣ କରିଥିଲେ । ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ଏବଂ ଲକ୍ଷ୍ମୀ ବାସୁଦେବ ପଣ୍ଡିତ ସଂଘ ପକ୍ଷରୁ ଉଭୟ ପଣ୍ଡିତ ଅଲେଖ ସତପଥି ଓ ସତ୍ୟନାରାୟଣ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031