Indus Valley Times

ବୈାଦ୍ଧ: ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

 Breaking News

ବୈାଦ୍ଧ: ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

ବୈାଦ୍ଧ: ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ
October 07
22:55 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୧୦; ଆରମ୍ଭ ହେଲା ପାର୍ବଣର ଉତ୍ସବ । ବୌଦ୍ଧ ସହରର ମାଳୀସାହି ସ୍ଥିତ ଦୁର୍ଗାମଣ୍ଡପ ଠାରେ ମାଁ ଦୁର୍ଗାଙ୍କର ନବରାତ୍ର ପୂଜା ଆରମ୍ଭ ହୋଇଛି । ସ୍ଥାନୀୟ ରାମନାଥ ଯୁବ ସଂସଦ ଆନୁକୁୁଲ୍ୟରେ ଆରମ୍ଭ ହୋଇଥିବା ଏହି ନବରାତ୍ର ପୂଜାରେ ମାଁ ଦୁର୍ଗାଙ୍କର ଷୋଡଶୋ ଉପଚାର ପୂଜା ସହ ପ୍ରତ୍ୟହ ଚଣ୍ଡି ପାଠ କରାଯିବ । ପ୍ରତିଦିନ ମା ଦୁର୍ଗାଙ୍କ ଭିନ୍ନ ଭିନ୍ନ ବେଶରେ ପୂଜା ହେବା ସହ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଛି । ବୈାଦ୍ଧ ଗଡଜାତ ସମୟରୁ ରାଜବାଟୀ ଠାରେ ମାଁ ଦୁର୍ଗାଙ୍କୁ ମାଳୀ ପୂଜକ ମାନେ ନବରାତ୍ର ପୂଜା କରୁଥିଲେ । ରାଜୁଡା ଶାସନ ପରେ ରାଜବାଟୀ ଠାରେ ହେଉଥିବା ମାଁ ଙ୍କ ପୂଜା ବନ୍ଦ ହୋଇଯିବା ପରେ ମାଳୀ ପୂଜକ ମାନେ ମାଙ୍କ ଚଳନ୍ତି ପ୍ରତିମାକୁ ରାମେଶ୍ୱର ମନ୍ଦିରରେ ସ୍ଥାପନ କରି ମାଳିସାହି ଠାରେ ଦୀର୍ଘ ବର୍ଷ ହେଲା ନବରାତ୍ର ପୂଜା କରିଆସୁଛନ୍ତି । ଦଶହରା ପର୍ଯ୍ୟନ୍ତ ବିଭିନ୍ନ ଉପଚାରରେ ମାଁଙ୍କ ପୂଜା ଆରାଧନା କରାଯାଉଛି । ଏଠାର ଏକ ପରମ୍ପରା ଅନୁଯାୟୀ ପ୍ରତ୍ୟହଦିନ ମାଁଙ୍କର ଚଳନ୍ତି ପ୍ରତିମା ନଗର ପରିକ୍ରମାରେ ଯାଇଥାନ୍ତି । ଏବଂ ଦଶହରା ଦିନ ସହରର ବିଭିନ୍ନ ସାହିରେ ପୂଜା ପାଇଆସୁଥିବା ଦୁର୍ଗାମଣ୍ଡପ ଗୁଡିକରେ ଭେଟ ହୋଇଥାନ୍ତି । ମାଙ୍କ ଆବାହନ ପୂର୍ବରୁ ବିଲ୍ୱ ବରଣ କରାଯାଇ ଅଷ୍ଟକୋଟି ଦେବାଦେବୀଙ୍କୁ ଆବାହନ ପରେ ଘଟ ସ୍ଥାପନ କରାଯାଇଥିଲା । ଘଟ ସ୍ଥାପନ, ନବ ପତ୍ରିକା ପ୍ରବେଶ ଓ ଚକ୍ଷୁଦାନ ପରେ ମାଙ୍କ ଆବାହନ କରାଯାଇ ସପ୍ତସତୀ ଚଣ୍ଡୀ ପାଠ ସହିତ ହୋମ କରାଯାଇଥିଲା । ବୌଦ୍ଧରେ ଏହି ମଣ୍ଡପରେ ମା ଙ୍କ ଆବାହନ ହେଲା ପରେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏହି ପୀଠରେ ମହାଷ୍ଟମୀ ଦିନ ନିଶାରାତ୍ରରେ ବଳିପ୍ରଥା କରାଯାଇଥାଏ । ପୂଜକ ଭାବରେ ଅଙ୍ଗିରା ମିଶ୍ର ଶର୍ମା ଓ କର୍ତ୍ତା ଭାବରେ ସୂର୍ଯ୍ୟନ୍ଦ୍ରେ କୁମାର ଶତପଥି ଦାୟୀତ୍ୱ ତୁଲାଇ ଥିବା ବେଳେ ରାମନାଥ ଯୁବ ସଂସଦ ସଭାପତି ଶ୍ୟାମସୁନ୍ଦର ବାରିକ,ସଂପାଦକ ସୁଦର୍ଶନ ନାୟକ, ଶ୍ରବଣ ବଡମାଳୀ, ନିରଜ ପାଢୀ, ସୁଶୀଲ ପ୍ରଧାନ, ନିରଂଜନ ନାୟକ, ହେମନ୍ତ ନାୟକ ପ୍ରମୁଖ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରୁଛନ୍ତି ।
୬୭ତମ ବନ୍ୟପ୍ରାଣୀ ସପ୍ତାହ ସଚେତନତା ଦୌଡ
ବୌଦ୍ଧ,୬ା୧୦: ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବୌଦ୍ଧରେ ଏକ ସଚେତନତା ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାନଦୀ ବ୍ରିଜଛକଠାରୁ ଏହି ସଚେତନତା ଦୌଡକୁ ଅତିରିକ୍ତ ଜିଲ୍ଲାପାଳ ଅଶି୍ୱନୀ କୁମାର ମେହେର ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା,ଯୁବ ରେଡକ୍ରସର ସମ୍ପାଦକ ତଥା ଅଧ୍ୟାପକ ପ୍ରବୀର କୁମାର ଦାସ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏନସିସି ଅଫିସର ପଦ୍ମଜା ପତି ପ୍ରମୁଖ ଯୋଗଦେଇଥିଲେ । ସଚେତନତା ଦୌଡରେ ମହାବିଦ୍ୟାଳୟର ଛାତ୍ର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା ଦୌଡ ବ୍ରିଜଛକଠାରୁ କୋଭିଡ କେୟାର ସେଣ୍ଟର ପର୍ଯ୍ୟନ୍ତ ଯାଇଥିଲା ।
ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ନିଯୁକ୍ତି ମେଳା
ବୌଦ୍ଧ,୦୬ା୧୦: ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ନ ଦିତୀୟ ପର୍ଯ୍ୟାୟ ଓ ଓରମାସ ର ମିଳତି ଆନୁକୁଲ୍ୟରେ ଗୁରୁବାର ଦିନ ହରଭଙ୍ଗା ବ୍ଳକର ବୀରନରସିଂହପୁର ନର୍ସରୀ ଠାରେ ଦିନ ଦୟାଲ ଗ୍ରାମୀଣ ଉପାଦ୍ଧେୟ ଯୋଜନା ମାଧ୍ୟମରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । ମେଳାରେ ବୌଦ୍ଧ ବ୍ଳକରୁ ୬୩ ଜଣ ଓ ହରଭଙ୍ଗା ବ୍ଳକରୁ ୧୮ ଜଣ ଯୁବକ ଯୁବତୀ ଯୋଗଦାନ କରିଥିଲେ । ଏଥିରେ ସାହଣା କ୍ଳଥିଙ୍ଗ ଓ କ୍ୱେସ କର୍ପୋରେସନ ଲିମିଟେଡ ଦ୍ୱାରା ୨୦ ଜଣ ଯୁବକ ଓ ୯ ଜଣ ଯୁବତୀଙ୍କୁ ତାଲିମ ଦେବା ପାଇଁ ଚୟନ କରାଯାଇଥିଲା । ଚୟନ ହୋଇଥିବା ଯୁବକ ଯୁବତୀ ମାନଙ୍କୁ ପ୍ଳମ୍ବର, ଇଲେକଟ୍ରିସିଆନ, କଲ ସେଣ୍ଟର, ହୋଟେଲ ମ୍ୟାନେଜମେଣ୍ଟ ଓ ସିଲେଇ ସଂସ୍ଥା ଗୁଡିକରେ ତାଲିମ ପ୍ରଦାନ କରାଯିବ ।
ମହାନଦୀ ବ୍ରିଜ ଉପରେ କାର ବାଇକ ଦୁର୍ଘଟଣା ଘଟଣା: ୪ ଦିନ ପରେ ବଡମ୍ବା ଠାରେ ମହାନଦୀରେ ମିଳିଲା ପ୍ରତିମାର ମୃତ ଦେହ
ବୌଦ୍ଧ,୬ା୧୦: ଗତ ଶନିବାର ସନ୍ଧ୍ୟାରେ ବୌଦ୍ଧ ମହାନଦୀ ବ୍ରିଜ ଉପରେ ଏକ କାର ସହ ମଟର ସାଇକେଲର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଯୋଗୁଁ ବାଇକ ଚାଳକ ଛେପରା ଗ୍ରାମର କୁନା ବରିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବାଇକ ପଛରେ ବସିଥିବା ଅନୁଗୋଳ ଜିଲ୍ଲା ମାଧପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ବୈଦ୍ୟନାଥ ସାହୁଙ୍କ ସ୍ତ୍ରୀ ପ୍ରତିମା ସାହୁ ନିଖୋଜ ହୋଇଯାଇଥିଲେ । ପ୍ରତିମା ଦୁର୍ଘଟଣା ପରେ ମହାନଦୀ ଭିତରେ ପଡିଯାଇଥିବା ଆଶଙ୍କା କରି ବୌଦ୍ଧ ପୋଲିସ , ଓଡ୍ରାଫ, ଅଗ୍ନିଶମ, ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଡଙ୍ଗା ସାହାଯ୍ୟରେ ଦୁର୍ଘଟଣା ଦିନ ରାତିରେ ଓ ରବିବାର ଓ ସୋମବାର ଦିନ ମହାନଦୀରେ ଖୋଜାଖୋଜି କରିଥିଲେ କିନ୍ତୁ ପ୍ରତିମାଙ୍କ କୌଣସି ଖବର ପାଇ ପାରିନଥିଲେ । ପୋଲିସ ପକ୍ଷରୁ କାର ଚାଳକକୁ ଗିରଫ କରିବା ସହ କାରରେ ବସିଥିବା ଯାତ୍ରୀଙ୍କୁ ଆଣି ତଦନ୍ତ କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରିନଥିଲା । ଦୀର୍ଘ ୪ ଦିନ ପରେ ନିଖୋଜ ମହିଳାଙ୍କ ମୃତ ଦେହ କଟକ ଜିଲ୍ଲା ବଡମ୍ବା ଥାନାର ବାଙ୍ଗିରିଟିଙ୍ଗାର ନରଣପୁର ନଦୀ କୁଳରେ ଲାଗିଥିବା ପୋଲିସ ସୂଚନା ପାଇଥିଲା । ଏନେଇ ଗୁରୁବାର ସକାଳୁ ଏକ ପୋଲିସର ଏକ ଟିମ ବଡମ୍ବାଥାନା ଅଞ୍ଚଳକୁ ଯାଇଥିଲେ । ମୃତ ଦେହ ପ୍ରତିମାର ବୋଲି ପରିବାର ଲୋକ ଚିହ୍ନଟ କରିବା ପରେ ବଡମ୍ବା ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପୋଷ୍ଟମର୍ଟମପରେ ମୃତ ଦେହକୁ ପରିବାକୁ ହସ୍ତାନ୍ତର କରାଯାଇଥିବା ବେଳେ ଶବ ଦହ ପାଇଁ ସ୍ୱର୍ଗଦ୍ୱାରା ନିଆଯାଇଥିବା ଜଣାପଡିଛି ।
ବିଜେପି ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ଉଦଯାପିତ
ବୌଦ୍ଧ,୬ା୧୦: ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଉତ୍ସବ ପାଳନ ଅବସରରେ ଗତ ସେପ୍ଟେମ୍ବର ୧୭ ତାରିଖ ଠାରୁ ଜିଲ୍ଲାସାରା ଆରମ୍ଭ ହୋଇଥିବା ସେବା ଓ ସମର୍ପଣ ଅଭିଯାନ ମହାସମାରୋହରେ ଅକ୍ଟୋବର ୭ ତାରିଖ ଦିନ ଉଦଯାପିତ ହୋଇଯାଇଛି । ଦୀର୍ଘ ୨୧ ଦିନ ଧରି ଜିଲ୍ଲାର ସମସ୍ତ ମଣ୍ଡଳ,ଶକ୍ତିକେନ୍ଦ୍ର ଓ ବୁଥମାନଙ୍କରେ ଏହି ଅଭିଯାନ ମାଧ୍ୟମରେ ବିଭିନ୍ନ ସେବାମୂଳକ ଓ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଏହି ଅବସରରେ ପବିତ୍ର ମହାନଦୀରେ ନମାମି ଗଙ୍ଗା,ସ୍ୱଛଭାରତ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ,ବଭିନ୍ନ ଧର୍ମର ସାଧୁ ସନ୍ଥଙ୍କ ସହିତ ସାକ୍ଷାତକାର,ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି ଦୀପ ପ୍ରଜ୍ଜଳନ ସହିତ ୨୧ ଦିନ ଧରି ୨୭ ଗୋଟି ସେବାମୂଳକ କାର୍ଯ୍ୟକ୍ରମାନ ଆୟୋଜନ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହିସବୁ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ,ସୁଶାନ୍ତ କୁମାର ପ୍ରଧାନ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ,ସତ୍ୟାନନ୍ଦ ପାଣ୍ଡେ,ତାପସ କୁମାର ପଟ୍ଟନାୟକ,ସୁଶାନ୍ତ ବାଘ,ପ୍ରେମାନନ୍ଦ ମିଶ୍ର,ପୁର୍ଣ୍ଣଚନ୍ଦ୍ର ଗାଈଗୌରିଆ,ଶ୍ୟାମ ସୁନ୍ଦର ପୁରୋହିତ,ବିଶିକେଶନ ପ୍ରଧାନ,ସମ୍ଭୁ ପ୍ରଧାନ,ବିଷ୍ଣୁ ଦାସ,କୈଳାଶ ପାଣ୍ଡେ,ବ୍ୟୋମକେଶ ମହାପାତ୍ର,ନିରଂଜନ ଦାନୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର, ମାମି ବେହେରା,ନମିତା ବେହେରା,ଅଙ୍କିତା ଭଞ୍ଜ,ସୁଜାତା ସିଂହ,ସୁବର୍ଣ୍ଣ ଝାଙ୍କର,ରାଜୀବ ଦେହୁରୀ,ସଂଗ୍ରାମ ବେହେରାଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି.ମୋର୍ଚ୍ଚା ସଭାପତି ଓ ବିଜେପି ନେତୃମଣ୍ଡଳୀ ସାମିଲ ହୋଇଥିଲେ ।
ଚାଷଜମିକୁ ପାଣି ଯୋଗାଇ ଦେବା ଦାବିରେ ନିର୍ବାହୀଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୭/୧୦: ବୌଦ୍ଧ ତହସିଲ ଟାଲୁପାଲି ମୌଜାକୁ କେନାଲ ପାଣି ଯୋଗାଇ ଦେବା ଦାବିରେ ଆଜି ଚାଷୀମାନେ ଇରିକେସନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାଇ, ବାଉଁଶୁଣୀ ଆରଆଇ ସର୍କଲର ଟାଲୁପାଲି ମୌଜାକୁ କେନାଲ ପାଣି ଯୋଗାଇ ଦିଆଯାଇ ନାହିଁ । ଏହାଦ୍ୱାରା ଧାନ ମରିଗଲାଣି , ଏବର୍ଷ ଭଳି ଅନ୍ୟ ବର୍ଷ ମଧ୍ୟ ଏହି ଗ୍ରାମକୁ ଆବଶ୍ୟକ ମୁତାବକ ପାଣି ଦିଆଯାଉନାହିଁ । ଚାଷୀମାନେ ପାଣି ନ ପାଇ ମଧ୍ୟ ଜଳକର ଦିଅନ୍ତି ଏବଂ ଆଟ୍ଟ ଜମିକୁ କେନାଲ ପାଣି ମାଡୁଛି ବୋଲି ରେକର୍ଡଭୁକ୍ତ କରି ଉନ୍ନତ କିସମ ଜମି ବୋଲି ଅନ୍ୟାୟ ଭାବରେ ଦେୟ ଆଦାୟ କରନ୍ତି । ଏଣୁ କେନାଲ ପାଣି ଯୋଗାଇ ଦିଆଯାଉନାହିଁ ବୋଲି ପ୍ରମାଣପତ୍ର ପ୍ରଦାନ କରନ୍ତୁ ଏବଂ ଜଳକର ଛାଡ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି । କମଳ ମେହେର, ସତ୍ୟ ନାରାୟଣ ପୋଢ, ବବୁଲୁ ମହାକୁଡ, ଗୌତମ ମହାକୁଡ, ସରତ ମହାକୁଳ, ଧ୍ରୁବ ଚରଣ ମହାକୁଳ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031