Indus Valley Times

ବୌଦ୍ଧରେ ଜିଲାସ୍ତରୀୟ ଫୁଟବଲ ମ୍ୟାଚ୍‌,ମାଁ ଭୈରବୀ କ୍ଲବକୁ ୫-୪ ଗୋଲରେ ହରାଇ ଆଇ.ଆର୍‌.ବି ଦଳ ଚମ୍ପିୟାନ୍‌

 Breaking News

ବୌଦ୍ଧରେ ଜିଲାସ୍ତରୀୟ ଫୁଟବଲ ମ୍ୟାଚ୍‌,ମାଁ ଭୈରବୀ କ୍ଲବକୁ ୫-୪ ଗୋଲରେ ହରାଇ ଆଇ.ଆର୍‌.ବି ଦଳ ଚମ୍ପିୟାନ୍‌

January 10
20:58 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧: ବୌଦ୍ଧ ସହର ନିକଟ ବଢିଗାଁ ଖେଳପଡିଆଠାରେ ଗତ ୨ତାରିଖରୁ ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ବିଭାଗ ଅଧିନ ନେହେରୁ ଯୁବକେନ୍ଦ୍ର ଓ ମାଁ ଦୁର୍ଗାକ୍ଲବ ବଢିଗାଁର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ବାମନ ବେହେରା, ପୁର୍ବତନ ସ୍ୱେଚ୍ଛାସେବୀ ଚିତରଂଜନ ବେହେରା ଏବଂ ମାଁ ଦୁର୍ଗା କ୍ଲବର ସଭାପତି ନିଳମଣୀ ପଟ୍ଟନାୟକ ଓ ସଂପାଦକ ସହସ୍ରାଂଶୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭିନ୍ନ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବୌଦ୍ଧଜିଲାର ବିଭିନ୍ନ ସ୍ଥାନରୁ ୧୬ଗୋଟି ଦଳ ଫୁଟବଲ୍ ମ୍ୟାଚରେ ଯୋଗଦାନ କରିଥିଲେ ।
ଆଜି ଅନ୍ତିମ ଦିନରେ ଫାଇନାଲ ମ୍ୟାଚ୍ ଭାରତୀୟ ୫ମ ରିଜର୍ଭ ବାଟାଲିୟନ, ବୌଦ୍ଧ ଓ ମାଁ ଭୈରବୀ କ୍ଲବ ବଢିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷସୁଦ୍ଧା କୌଣସି ଦଳ ଗୋଲ ନଦେବା ଫଳରେ ଟ୍ରାଏବେକର ହୋଇଥିଲା । ୫-୪ ଗୋଲରେ ବାଟାଲିୟନ ଦଳ ବିଜୟ ଲାଭ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ଡି.ଜି. ନୋମିନି ଦେବାଶିଷ ପୁରୋହିତ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିନ୍ଦ୍ର କୁମାର ରାଉତ ଯୋଗଦେଇ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସଂଯୋଜକ ଉତମ ମହାକୁଡ ଖେଳାଳୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଓ ଯୁବ ସମାଜସେବୀ ପ୍ରଭାତ ପ୍ରଧାନ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ରେଫରୀ ଭାବେ ବିଭୁତିଭୂଷଣ ବେହେରା, ତାପସ ଭୁକ୍ତା, ପ୍ରହଲ୍ଲାଦ ଭୁକ୍ତା, ସିଲୁ ବେହେରା ଓ ସୁଜିତ ରାଜହଂସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ପୁଝାରୀ, ସୁବଳ ପାଢୀ ସହଯୋଗ କରିଥିଲେ । ସରକାରଙ୍କ ତରଫରୁ ୮ବର୍ଷରୁ ୧୮ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଖେଳପ୍ରତି ଆଗ୍ରହ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୫ତାରିଖ ଭିତରେ ପଂଜୀକରଣ କରିବାକୁ ସୂଚନା ପ୍ରଦାନ କରାଯାଇଥିଲା ।
ବେଆଇନ ବାଲି ଚାଲାଣ ସମୟରେ ବୌଦ୍ଧ ତହସିଲ ପକ୍ଷରୁ ଚଢାଉ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ
ବୌଦ୍ଧ୧୦/୧: ବୌଦ୍ଧ ତହସିଲ ଅଂଚଳରେ ରାଜସ୍ୱ ଫାଙ୍କି ବେଆଇନ ଭାବରେ ବିଭିନ୍ନ ନଦୀ, ନାଳ ଘାଟରୁ ଟ୍ରାକ୍ଟର ମାଧ୍ୟମରେ ବାଲି ଚାଲାଣ ହେଉଥିବା ସମୟରେ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ତହସିଲଦାର ଭାବରେ ଯୁବ ପ୍ରଶାସନିକ ଅଧିକାରୀ ଅବିନାଶ ପାଣ୍ଡିଆ ଦାୟିତ୍ୱ ଗ୍ରହଣ କରିବାପରେ ବାଲି,ପଥର ଓ ମୁରୁମ ମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । ଶ୍ରୀପାଣ୍ଡିଆ ଅଧକାଂଶ ସମୟରେ କ୍ଷେତ୍ର ପରିଦର୍ଶନ କରିବା ସହିତ ୧୫ ଦିନ ମଧ୍ୟରେ ବୌଦ୍ଧ ତହସିଲ ଅନ୍ତର୍ଗତ ବାଉଁଶୁଣୀ,ଖୁଣ୍ଟବନ୍ଧ, ଡମ୍ବରଗାଡ ଆଦି ଅଂଚଳରେ ଚଢାଉ କରି ବାଲି ଚାଲାଣ କରୁଥିବା ଅନେକ ଗାଡି ଜବତ କରିବାସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ଜିଲାସାରା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବହୁ ସଂଖ୍ୟାରେ ଗାଡିରେ ଚୋରାରେ ବାଲି ଓ ପଥର ଚାଲାଣ କରାଯାଉଅଛି । ଏହା ଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଅଛି । ତେଣୁ ତହସିଲଦାରଙ୍କ ପକ୍ଷରୁ ଜାରି ରହିଥିବା ଚଢାଉ ଯୋଗୁଁ ଚୋରା ବ୍ୟବସାୟରେ ଅଙ୍କୁଶ ଲାଗିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।
୨୧ କେଜି ଗଞ୍ଜେଇ ଜବତ , ଦୁଇ ଢାବା କର୍ମଚାରୀ ଗିରଫ
ବୌଦ୍ଧ,୧୦/୧: ବୌଦ୍ଧ ପୋଲିସ ପକ୍ଷରୁ ହରଭଙ୍ଗା ବ୍ଳକ ଅନ୍ତର୍ଗତ ଜାତୀୟ ରାଜପଥ କଡରେ ବାମଣ୍ଡା ଗ୍ରାମ ନିକଟରେ ଥିବା ଏକ ଢାବା ନିକଟରୁ ୨୧ କେଜି ଗଞ୍ଜେଇ ଜବତ ହେବାସହ ଦୁଇଜଣ ଢାବା କର୍ମଚାରୀ ଗିରଫ ହୋଇଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୁଚନା ମୁତାବକ ଗତ ଶନିବାର ରାତିରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିବାବେଳେ ବାମଣ୍ଡା ସ୍ଥିତ ଗୁଗୁଲ ଢାବା ସମ୍ମୁଖରେ ଏକ ବ୍ୟାଗ ସହିତ ଦୁଇଜଣ ଯୁବକଙ୍କୁ ଦେଖି ସନ୍ଦେହରେ ପଚରା ଉଚୁରା କରିଥିଲା । ପୋଲିସ ପକ୍ଷରୁ ସନ୍ଦେହରେ ଯାଞ୍ଚ କରାଯିବାପରେ ବ୍ୟାଗ ଭିତରୁ ୨୧ କିଲୋ ଗଂଜେଇ ଜବତ କରାଯିବା ସହିତ ବୌଦ୍ଧ ସହରର ବଗିଚା ସାହିର ତ୍ରିଲୋଚନ ବହିଦାର (୨୫) ଓ ପୁରୁଣାକଟକର ପ୍ରଶାନ୍ତ କୁମାର ଭୋକ୍ତା (୪୦)କୁ ଗିରଫ କରାଯାଇଥିଲା ।
ଉଭୟେ ସଂପୃକ୍ତ ଢାବାର କର୍ମଚାରୀ ବୋଲି ଜଣାପଡିଛି । ସେମାନେ ବସକୁ ଅପେକ୍ଷା କରିଥିବାବେଳେ ପୋଲିସ ହାବୁଡରେ ପଡି ଗିରଫ ହୋଇଥିଲେ । ଢାବାଟିକୁ ଜଣେ ପୋଲିସ କର୍ମଚାରୀ ଚଳାଉଥିବାବେଳେ ତାଙ୍କୁ ପୂର୍ବତନ ଏସପି ବି.ଗଙ୍ଗାଧରଙ୍କ ସମୟରେ ଗଞ୍ଜେଇ ବ୍ୟବସାୟ ସହ ସଂପୃକ୍ତି ନେଇ ତାଗିଦ କରାଯିବା ସହ କାର୍ଯ୍ୟରୁ ନିଳମ୍ବିତ କରାଯାଇଥିଲା ।
ତେଣୁ ସଂପୃକ୍ତ ଢାବାର ଦୁଇଜଣ କର୍ମଚାରୀ ଗଞ୍ଜେଇ ସହ ଧରାପଡିବାପରେ ଏବେ ଘଟଣାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି । ଏନେଇ ପୋଲିସ ପକ୍ଷରୁ ବୌଦ୍ଧ ଥାନା କେସନଂ ୧୧ /୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ନେଇ ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031